Sanjay Raut at ED Office: ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରବିବାର ତାଙ୍କ ବାସଭବନରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ କରିବା ପରେ ତାଙ୍କୁ ହେପାଜତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ହେପାଜତକୁ ନେବାର କିଛି ସମୟ ପରେ କେନ୍ଦ୍ରୀୟ ଏଜେନ୍ସି ଟିମ୍ ଅଫିସ ଅଭିମୁଖେ ବାହାରି ଥିଲେ। ରବିବାର ହୋଇଥିବା ଚଢାଉ ସମୟରେ ତାଙ୍କ ଘରୁ ୧୧ ଲକ୍ଷ ଟଙ୍କା ଜବତ କରିଯାଇଛି। 


COMMERCIAL BREAK
SCROLL TO CONTINUE READING

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡି କାର୍ଯ୍ୟାଳୟକୁ (Mumbai ED Office) ନିଆଯିବା ପୂର୍ବରୁ ତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା। ରବିବାର ତାଙ୍କୁ ତାଙ୍କ ଘରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡ଼ି। ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି (Patra Chawl Land Scam) ମାମଲାର ଖୋଳତାଡ଼ କରିବା ଲାଗି ଜୁଲାଇ ୩୧ ତାରିଖ ରବିବାର ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିଲେ ୧୨ ଜଣ ଇଡ଼ି ଅଧିକାରୀ। ପୂର୍ବରୁ ଗତ ୨୭ ତାରିଖରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହାଜର ହେବା ଲାଗି ସମନ ଜାରି କରିଥିଲା। ମାତ୍ର ସେ ହାଜର ନ ହେବା ପରେ ରବିବାର ସକାଳେ ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  


ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ନେବା ଘଟଣାରେ ପ୍ରତିକ୍ରିୟା ରଖି ତାଙ୍କ ଓକିଲ ବିକ୍ରାନ୍ତ ସବନେ କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ଇଡି ହେପାଜତକୁ ନେଇ ନାହିଁ। ଏହି ମାମଲାରେ କେବଳ ତାଙ୍କ ବୟାନ ରେକର୍ଡ କରିବା ପାଇଁ ସେ ଇଡି଼ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଇଡ଼ି ଏହି ମାମଲାର ଆହୁରି କିଛି ଦଲିଲ ଚାହୁଁଛି। ତାଙ୍କୁ ଗିରଫ କରାଯାଇ ନାହିଁ। 


ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ରବିବାର ୯ ଘଣ୍ଟାରୁ ଅଧିକ ସମୟ ଧରି ସଞ୍ଜୟ ରାଉତଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୋ ବିରୋଧରେ ମିଥ୍ୟା ଅଭିଯୋଗ ଏବଂ ଦଲିଲ ପ୍ରସ୍ତୁତ କରାଯାଉଛି। ଶିବସେନା ଏବଂ ମହାରାଷ୍ଟ୍ରକୁ ଦୁର୍ବଳ କରିବା ପାଇଁ ଏସବୁ କରାଯାଉଛି। ହେଲେ ସଞ୍ଜୟ ରାଉତ ଏହାକୁ ନେଇ ଭୟଭୀତ ନୁହେଁ। ମୁଁ ଶିବସେନା ସଂସ୍ଥାପକ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ନାମରେ ଶପଥ ନେଉଛି ଯେ ମୁଁ କୌଣସି ଦୁର୍ନୀତିରେ ଜଡ଼ିତ ନୁହେଁ।  ମୁଁ ମରିଯିବି ହେଲେ  ମୁଁ କୌଣସି ପରିସ୍ଥିତି ମୋ ଦଳ ଶିବସେନା ଛାଡି଼ବି ନାହଁ। 


ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଗ୍ରହଣ  କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦଳୀୟ ମୁଖପତ୍ର  ସାମନା ମାଧ୍ୟମରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ ବର୍ଷିଥିଲେ ସଞ୍ଜୟ ରାଉତ। ଏନେଇ ସେ କହିଥିଲେ ବିଦ୍ରୋହୀ ବିଧାୟକ ସଚ୍ଚୋଟତାର ସ୍ୱୀକାର କରିବା ଆବଶ୍ୟକ ଯେ ସେମାନେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ଦଳୀୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି। ବିଦ୍ରୋହୀ ବିଧାୟକ ଏକଥା କହିବା ବନ୍ଦ କରିବା ଆବଶ୍ୟକ ଯେ ଦଳ ହିନ୍ଦୁତ୍ୱ ଛାଡି ଦେଇଥିବାରୁ ସେମାନେ ଦଳ ଛାଡି ଦେଇଛନ୍ତି। ଆପଣ କାହିଁକି ଅନାବଶ୍ୟକ ଭାବେ ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି? ଆପଣ ସଚ୍ଚୋଟତା ଦେଖାନ୍ତୁ। ସେମାନେ ସମସ୍ତେ ନିଜକୁ ବଞ୍ଚାଇବା ପାଇଁ ଦଳରୁ ପଳାୟନ କରିଥିଲେ। 


ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଶିବସେନା ନେତା ଅର୍ଜୁନ ଖୋତକର ସଚ୍ଚୋଟତାର ସହ ନିଜେ ଏକଥା ସ୍ୱୀକାର କରିଛନ୍ତି ଯେ ସେ ଚାପରେ ଅଛନ୍ତି। ଏହି କାରଣରୁ ସେ ବିଦ୍ରୋହୀ ଶିବସେନା ବିଧାୟକ ଦଳରେ ଯୋଗ ଦେଇଥିଲେ। ଦଳର ଅନ୍ୟତମ ସାଂସଦ ଭାବନା ଗାୱଲିଙ୍କ ଘନିଷ୍ଠ ସହଯୋଗୀ ରଇସ ଖାନଙ୍କୁ ଇଡି ଗିରଫ କରିଥିଲା। ହେଲେ ଭାବନା ଗାୱଲି ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିବା ମାତ୍ରେ ରଇସ ଖାନଙ୍କୁ ମୁକ୍ତ କରାଯାଇଥିଲା ଏବଂ ତାଙ୍କର ଜବତ ହୋଇଥିବା ସମ୍ପତ୍ତି ଉପରେ ଲଗାଯାଇଥିବା ରୋକ ହଟାଯାଇଥିଲା।


Also Read: Patra Chawl Land Scam: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଶିବସେନା ସାଂସଦ ସଞ୍ଜୟ ରାଉତ


Also Read: Maharashtra: ଇଡି ସମନ ଉପରେ ଜବାବ ରଖିଲେ ଶିବସେନା ନେତା ସଞ୍ଜୟ ରାଉତ