ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ଦଳୀୟ ପ୍ରଚାର। ପ୍ରଚାର ଅଭିଯାନରେ ସାମିଲ ହେଉଥିବା ବିଭିନ୍ନ ଦଳର ନେତାଙ୍କୁ କେଉଁଠି ସ୍ୱାଗତ କରାଯାଉଥିବା ବେଳେ ଅନ୍ୟ କେଉଁଠି ସେମାନଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି। ସଦ୍ୟ ରାଜ୍ୟର ଦେୱରିୟା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଥିବା ବିଜେପି ସାଂସଦ ମନୋଜ ତିୱାରୀଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି। ବୁଧବାର ରାଜ୍ୟର ଦେୱରିୟା ଜିଲ୍ଲାର ବରହଜ ଆସନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆସିଥିବା ବେଳେ ତାଙ୍କ ସହ ଧସ୍ତାଧସ୍ତି ହୋଇଥିବାର ଖବର ମିଳିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Also Read: 'ଯେଉଁ ହିନ୍ଦୁ ମୋତେ ଭୋଟ ନଦେବେ ସେମାନଙ୍କ ଶରୀରରେ ବହୁଛି ମୁସଲମାନ ରକ୍ତ'


ବରହଜ ଆସନର ବିଭିନ୍ନ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ସେ ଜନସମ୍ପର୍କ କରିବା ସହ ଦଳକୁ ଜିତାଇବା ଲାଗି ଲୋକଙ୍କୁ ନିବେଦନ କରିଥିଲେ ବିଜେପି ସାଂସଦ ମନୋଜ ତିୱାରୀ। ପ୍ରଚାର କରିବା ବେଳେ କିଛି ଅରାଜକତତ୍ତ୍ୱଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଦେଖୁ ଦେଖୁ ଲୋକ ଭିଡ ତାଙ୍କୁ ଘେରି ନେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। ଏହା ପରେ ଭିଡ଼ ମଧ୍ୟରୁ କିଛି ଲୋକ ତାଙ୍କ ଆଡକୁ ମାଡି଼ ଆସିଥିଲେ। 



ଏତିକିବେଳେ ତାଙ୍କ ଆଡ଼କୁ ମାଡି଼ ଆସିଥିବା ଲୋକଙ୍କ ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ବିଜେପି ସାଂସଦଙ୍କ ସୁରକ୍ଷା ପାଇଁ ଆଗକୁ ଆସିଥିଲେ। ଲୋକଙ୍କ ଆକ୍ରୋଶକୁ ଦେଖି ପୋଲିସ ତାକୁ ଗାଡ଼ିରେ ବସାଇ ଅନ୍ୟତ୍ର ନେଇଯାଇଥିଲା। ଏହି ପୁରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।