Assembly Election 2021: ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ
ପଶ୍ଚିମବଙ୍ଗ-ଆସାମ ବିଧାନସଭା ନିର୍ବାଚନ ଲାଗି ଶେଷ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ।
ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ଲାଗି ଏପ୍ରିଲ ୧ ତାରିଖ ଗୁରୁବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି।
ଏହି ଦୁଇ ରାଜ୍ୟ ମଧ୍ୟରୁ ଆସାମରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ପଶ୍ଚିମ ମେଦୀନପୁର ଜିଲ୍ଲାର ୯, ପୂର୍ବ ମେଦୀନପୁର ଜିଲ୍ଲାର ୯, ବାଙ୍କୁଡାର ୮, ଦକ୍ଷିଣ ୨୪ ପରଗଣା ଜିଲ୍ଲାର ୪ ବିଧାନସଭା ଆସନ ଲାଗି ହୋଇଛି ମତଦାନ। ପ୍ରାୟ ୧୦,୬୨୦ ଭୋଟଗ୍ରହଣ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରିଛନ୍ତି ନିର୍ବାଚନ ଆୟୋଗ। ସୁରକ୍ଷା ଦାୟିତ୍ୱରେ ୬୫୧ କମ୍ପାନୀ ଫୋର୍ସ ନିୟୋଜିତ କରାଯାଇଛି।
Also Read: West Bengal Assembly Election 2021: ହ୍ୱିଲ ଚେୟାରରେ ବସି ମତଦାନ କେନ୍ଦ୍ରରେ ପହଞ୍ଚିଲେ ଦିଦି
ଏହି ପର୍ଯ୍ୟାୟରେ ପୂର୍ବ ମେଦୀନପୁରରେ ୮୧.୨୩, ପଶ୍ଚିମ ମେଦୀନପୁରରେ ୭୮.୦୨, ବାଙ୍କୁଡାରେ ୮୨.୯୨, ନନ୍ଦିଗ୍ରାମରେ ୮୦.୭୯ ପ୍ରତିଶତ ମତଦାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ ଏବଂ ଆସାମର ୩୯ ବିଧାନସଭା ଆସନ ଲାଗି ହୋଇଥିଲା ଭୋଟଗ୍ରହଣ। ଆସାମ ବିଧାନସଭା ନିର୍ବାଚନନର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୫ ମନ୍ତ୍ରୀ ତଥା ରାଜ୍ୟର କେତେକ ପୁରୁଖା ବିରୋଧି ଦଳ ନେତାଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ମତଦାତା। ଏହି ପର୍ଯ୍ୟାୟରେ ୨୬ ମହିଳାଙ୍କ ସମେତ ମୋଟ ୩୪୫ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
Also Read: Assembly Election 2021: ମତଦାନ ଜାରି, ଚାଲିଛି ରାଜନେତାଙ୍କ ଭାଗ୍ୟ ପରୀକ୍ଷା
ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିବା ମୋଟ ଆସନ ମଧ୍ୟରୁ ବିଜେପି ୩୪, ସହଯୋଗୀ ଏଜିପି ୬ ଏବଂ ୟୁପିପିଏଲ ୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ। ପାଠରକାଣ୍ଡି ଏବଂ ଅଲଗାପୁର ଆସନରେ ମୁହାଁମୁହଁ ହୋଇଛନ୍ତି ଉଭୟ ବିଜେପି-ଏଜିପି। ସେହିପରି ମାଜବାତ ଏବଂ କୋଲେଗାଓଁ ବିଧାନସଭା ଆସନରେ ଉଭୟ ବିଜେପି-ୟୁପିପିଏଲ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଥର ଆସାମରେ ଏହି ଦଳ ଏନଡିଏ ମେଣ୍ଟରେ ଅଂଶୀଦାର ଅଛନ୍ତି। ଏହି ସମସ୍ତ ଆସନରେ ଶାସକ ଏନଡିଏ ମେଣ୍ଟର ଅଂଶୀଦାର ଦଳଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହୋଇଯାଇଛି।
Also Read: Assembly Elections 2021: ମତଦାନ ଜାରି; ଚାଲିଛି ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା
ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧିନ ମହାଗଠବନ୍ଧନ ମଧ୍ୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆସାମର ମୋଟ ୩୯ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୨୮, ଏଆଇୟୁଡିଏଫ ୭, ବିପିଏଫ ୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଅନ୍ୟପଟେ ନବଗଠିତ ଆସାମ ଜାତୀୟ ପରିଷଦ ୧୯ ସିଟରେ ପ୍ରାର୍ଥୀ। ଏହି ପର୍ଯ୍ୟାୟର ୨୫ ଆସନରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧିନ ମହାଗଠବନ୍ଧନ ମଧ୍ୟରେ ଅନୁଷ୍ଠିତ ହେଉଛି। ସେହିପରି ବାକି ଆସନରେ ବହୁକୋଣୀୟ ମୁକାବିଲା ହେଉଛି।