ତମାଲ ବାକଚି, ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଓ ଶିବସେନା ସାଂସଦ (Shiv Sena MP) ସଞ୍ଜୟ ରାଉତ (Sanjay Raut) ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛୁ । ସେପ୍ଟେମ୍ୱର ୩ରୁ ଦୁହେଁ ପରସ୍ପରକୁ ଚ୍ୟାଲେଞ୍ଜ କରିଆସୁଛନ୍ତି । ସେମାନଙ୍କ ମଧ୍ୟରୁ କେହି ପଛକୁ ହଟିବାକୁ ଚାହୁଁ ନାହାଁନ୍ତି । ଏଭଳି ପରିସ୍ଥିତିରେ ଏହି ବିବାଦର ରାଜନୈତିକ ଅର୍ଥ ମଧ୍ୟ ଖୋଜା ଚାଲିଛି । କଙ୍ଗନା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିବାକୁ ଯାଇ ମୁମ୍ବାଇ (Mumbai) କୁ POK ଅର୍ଥାତ ପାକିସ୍ତାନ ଅଧିକୃତ କାଶ୍ମୀର ବୋଲି କହିଥିଲେ । ଗତ ଏକ ସପ୍ତାହ ଧରି ଚାଲିଆସୁଥିବା ଏହି ବିବାଦରେ କଙ୍ଗନାଙ୍କ ଏହି ବୟାନ ନିଆଁରେ ଘି ଭଳି କାମ କରିଛି । କଙ୍ଗନା ଓ ଶିବସେନା ପରସ୍ପରକୁ ଲଗାତର ସମାଲୋଚନା କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ କଂଗ୍ରେସ (Congress) ଓ ଏନସିପି (NCP) ରାଜ୍ୟ ସରକାରରେ ଶିବସେନା (Shiv Sena) ର ସହଯୋଗୀ ଅଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ଏହି ବିବାଦରେ ଶିବସେନାଙ୍କୁ ସମର୍ଥନ କରିଛନ୍ତି । କିନ୍ତୁ ମହାରାଷ୍ଟ୍ର ବିଜେପି (Maharashtra BJP) ପ୍ରଥମ ଦିନରୁ ହିଁ କଙ୍ଗନାଙ୍କୁ ସମର୍ଥନ କରି ଆସୁଛି । କିନ୍ତୁ କଙ୍ଗନାଙ୍କ 'ପିଓକେ' ମନ୍ତବ୍ୟ ପରେ ମହାରାଷ୍ଟ୍ର ବିଜେପି ବେକଫୁଟ୍କୁ ଆସିଯାଇଛି । କଙ୍ଗନାଙ୍କ ବୟାନକୁ ସମର୍ଥନ କରୁଥିବା ରାମ କଦମ ହଠାତ୍ ନୀରବତା ରକ୍ଷା କରିଛନ୍ତି । ତେବେ ମହାରାଷ୍ଟ୍ର ବାହାରେ ବିଜେପି ନେତାମାନେ ସୋସିଆଲ ମିଡିଆରେ କଙ୍ଗନାକୁ ସମର୍ଥନ କରୁଛନ୍ତି । କିନ୍ତୁ ବିଜେପିର ମହାରାଷ୍ଟ୍ର ୟୁନିଟ୍ ଶାନ୍ତ ରହିଛି ।


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


ଏହି ବିବାଦର ଗୋଟିଏ କଥାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଗତ ଏକ ସପ୍ତାହ ଧରି କଙ୍ଗନାଙ୍କ ବୟାନକୁ ଶିବସେନା କାହିଁକି ଏତେ ଗୁରୁତ୍ୱ ଦେଉଛି ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଆମକୁ କଙ୍ଗନାଙ୍କ ବୟାନରୁ ଶିବସେନା ପାଇଁ ଚାରୋଟି ସମ୍ଭାବ୍ୟ (ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ) ଲାଭ ଦେଖିବାକୁ ମିଳୁଛି । ଚାଲନ୍ତୁ ଏହି ଚାରୋଟି ବିନ୍ଦୁ ଉପରେ ଚର୍ଚ୍ଚା କରିବା ।


୧. ମହାରାଷ୍ଟ୍ର ବିଜେପିର ନକାରାତ୍ମକ ଛବି 


କଙ୍ଗନା ସେପ୍ଟେମ୍ବର ୩ରେ ଟ୍ୱିଟରରେ 'ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ'ର ଏକ ଖବର ସେୟାର କରି ସଞ୍ଜୟ ରାଉତଙ୍କୁ ସମାଲୋଚନା କରିଥିଲେ । ସେ ମୁମ୍ବାଇକୁ ପିଓକେ (PoK) ସହିତ ମଧ୍ୟ ତୁଳନା କରିଥିଲେ । ସେତେବେଳେ ମୁମ୍ବାଇର ବିଧାୟକ ରାମ କଦମ, ପୂର୍ବତନ ମୁଖପାତ୍ର ଅବଧୁତ ବାଘଙ୍କ ଭଳି ବିଜେପି ନେତା ସୋସିଆଲ ମିଡିଆରେ କଙ୍ଗନାଙ୍କୁ ସମର୍ଥନ କରିଥିଲେ । କିନ୍ତୁ 'ଆମଚି ମୁମ୍ବାଇ' ହ୍ୟାସଟ୍ୟାଗ ଟ୍ୱିଟରରେ ଭାଇରାଲ ହୋଇଯାଇଥିଲା । ରାଜନୀତି ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି କଙ୍ଗନାଙ୍କ ବୟାନକୁ ନିନ୍ଦା କରି ମୁମ୍ବାଇକୁ ପ୍ରଶଂସା କରିଥିଲେ । ବିଜେପି ନେତା ରାମ କଦମ କଙ୍ଗନାଙ୍କୁ ଝାନସୀ ରାଣୀଙ୍କ ସହ ତୁଳନା କରିଥିଲେ । ଏଭଳି ପରିସ୍ଥିତିରେ ଲୋକମାନେ ବିଜେପି ବିରୋଧରେ ହେବାକୁ ଲାଗିଥିଲେ । ବିଜେପି ନେତା ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ଆଶିଷ ଶୋଲାର ତୁରନ୍ତ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟ କରିଥିଲେ ଯେ, କଙ୍ଗନାଙ୍କ ମନ୍ତବ୍ୟ ସହ ବିଜେପି ସହମତ ନୁହେଁ । ତେବେ ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପରବେଶ ସାହିବ ସିଂ ବର୍ମାଙ୍କ ସମେତ ମହାରାଷ୍ଟ୍ର ବାହାରେ ବିଜେପି ନେତାମାନେ କଙ୍ଗନାକୁ ସମର୍ଥନ କରୁଛନ୍ତି ।



ବିଶ୍ଳେଷକମାନେ କହିଛନ୍ତି ଯେ, ଏହି କାରଣରୁ ରାଜ୍ୟରେ ମହାରାଷ୍ଟ୍ର ବିଜେପିର ଏକ ନକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି ହେଉଛି । ଯଦି ମୁମ୍ବାଇରେ ବିଜେପିର ଛବି ଖରାପ ହୁଏ । ତେବେ ଏହା ଶିବସେନା ପାଇଁ ଲାଭଦାୟକ ହେବ । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (BMC) ର ନିର୍ବାଚନ ପାଖେଇ ଆସୁଥିବାରୁ ଅନେକ ରାଜନୈତିକ ବିଶ୍ଳେଷକ ମନେ କରୁଛନ୍ତି ଯେ, ଯଦି ବିଜେପିର ଏହି ନକାରାତ୍ମକ ଛବି ଜାରି ରହେ । ତେବେ ଏହା ଶିବସେନା ପାଇଁ ଲାଭଦାୟକ ହେବ । 


ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରୁ ହଠାତ୍ କାହିଁକି ଦୂରେଇ ଗଲେ ବିଜେପିର 'ସଙ୍କଟମୋଚକ' ?


୨. ଶିବସେନା ଅଧିକ ମଜଭୁତ ହେଉଛି କି ?


ଶିବସେନା ଓ ସଞ୍ଜୟ ରାଉତଙ୍କୁ ସାମାଲୋଚନା କରୁ କରୁ କଙ୍ଗନା ମୁମ୍ବାଇକୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଥରେ ସେ ମୁମ୍ୱାଇକୁ ପିଓକେ କହିଥିଲେ ଏବଂ ଏହା ପରେ ସେ ଏହାକୁ ପାକିସ୍ତାନ ବୋଲି ମଧ୍ୟ କହିଥିଲେ । ଏହା ଦ୍ୱାରା ମୁମ୍ବାଇର ପରିଚୟ ପ୍ରସଙ୍ଗ ଏକ ବଡ଼ ବିଷୟ ଭାବେ ଦେଖାଦେଇଛି । ଯାହା ସର୍ବଦା ଶିବସେନା ପାଇଁ ଲାଭଦାୟକ ହୋଇଥାଏ । ଶିବସେନାର ଆଧାର ହିଁ ପରିଚୟର ରାଜନୀତି ଉପରେ ତିଷ୍ଠି ରହିଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ କହିଛନ୍ତି ଯେ, ଯଦି କେହି ମୁମ୍ବାଇ ବିଷୟରେ କିଛି ଖରାପ କହୁଛନ୍ତି ତା’ହେଲେ ତାଙ୍କର ମୁମ୍ବାଇରେ ରହିବାର ଅଧିକାର ନାହିଁ । ରାଉତ ଦେଶମୁଖଙ୍କ ବୟାନକୁ ସମର୍ଥନ କରିଛନ୍ତି ।



ବହୁ ବର୍ଷ ଧରି ମୁମ୍ବାଇ ଅର୍ଥାତ ଶିବସେନାର ସମୀକରଣ ଲୋକଙ୍କ ମନରେ ରହିଆସିଛି । ଏହି ଭାବନା ସହିତ ଶିବସେନା ଆଗାମୀ ମୁମ୍ବାଇ ନଗର ପାଳିକା ନିର୍ବାଚନରେ ​​ଲାଭ ପାଇପାରନ୍ତି । କଙ୍ଗନା ପ୍ରସଙ୍ଗରେ ଶିବସେନା ଆକ୍ରମଣାତ୍ମକ ରହିଆସିଛି । ଏହା ମୁମ୍ବାଇରେ ଶିବସେନାର ସମୀକରଣକୁ ଆହୁରି ମଜବୁତ କରୁଛି ।


ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, ପୁଣି ଗେହଲଟ-ପାଇଲଟ କ୍ୟାମ୍ପ ମୁହାଁମୁହିଁ


୩. ଶିବସେନାର ବିଶେଷତା ହେଉଛି ଭାଷାଭିତ୍ତିକ ଏବଂ ଆଞ୍ଚଳିକ ପରିଚୟର ପ୍ରସଙ୍ଗ 


କଙ୍ଗନା କହିଥିଲେ ଯେ, "ମହାରାଷ୍ଟ୍ର କାହାର ବାପାଙ୍କର ନୁହେଁ । ଏହା ସେହି ସମସ୍ତଙ୍କର ଯିଏ ମହାରାଷ୍ଟ୍ରର ଗୌରବକୁ ପ୍ରତିଷ୍ଠା ଦେଇଛନ୍ତି ।" ସଞ୍ଜୟ ରାଉତ ଏହାର ଜବାବରେ ଟ୍ୱିଟରରେ ତାଙ୍କ ବୟାନର ଉତ୍ତର ଦେଇଛନ୍ତି । ରାଉତ ଟ୍ୱିଟ୍ କରି କହିଛନ୍ତି ଯେ, "ମୁମ୍ବାଇ ହେଉଛି ମରାଠୀ ମାନୁଷଙ୍କ ପୂର୍ବଜଙ୍କ ଭୂମି । ଯେଉଁମାନେ ଏଥିରେ ସହମତ ନୁହଁନ୍ତି, ସେମାନେ ନିଜ ବାପାଙ୍କୁ ଆଣି ଏହାକୁ ଦେଖାନ୍ତୁ । ଶିବସେନା ସୁନିଶ୍ଚିତ କରିବେ ଯେ ଆମେ ମହାରାଷ୍ଟ୍ରର ଏପରି ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବୁ ।"


ଅନ୍ୟପକ୍ଷରେ କଙ୍ଗନା ମୁମ୍ବାଇକୁ ପିଓକେ, ପାକିସ୍ଥାନ, ବାବର ଏବଂ ତାଲିବାନ କରିଥିଲେ । ଭାଷା ଓ ଆଞ୍ଚଳିକ ପରିଚୟ ମହାରାଷ୍ଟ୍ରରେ ସର୍ବଦା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଆସୁଛି । ଏଭଳି ପରିସ୍ଥିତିରେ କଙ୍ଗନାଙ୍କ ବୟାନ ଶିବସେନାଙ୍କୁ ତାଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାର ସୁଯୋଗ ଦେଇଛି ।


ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଲାଗିବ ବ୍ୟାନ୍ ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା


୪. କୋରୋନା ଓ ଅନ୍ୟାନ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାରେ ସଫଳ ହୋଇଛନ୍ତି ମହାରାଷ୍ଟ୍ର ସରକାର ?


ମହାରାଷ୍ଟ୍ର ଆଜି କୋରୋନା, ଶିକ୍ଷା, ରୋଜଗାର, ବିଦର୍ଭରେ ବନ୍ୟା ପରିସ୍ଥିତି, କୋଙ୍କଣରେ ନିସର୍ଗ ବାତ୍ୟା ଯୋଗୁଁ ବିନାଶ ଭଳି ସମସ୍ୟା ସହ ମୁକାବିଲା କରୁଛି । କିନ୍ତୁ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ କେବଳ କଙ୍ଗନା ଏବଂ ଶିବସେନା ଉପରେ ଆଲୋଚନା କରୁଛନ୍ତି । ଏହି ସମସ୍ୟାକୁ କେନ୍ଦ୍ରରେ ରଖିବା ଦ୍ୱାରା ଶିବସେନା ଉପକୃତ ହେବେ କି ? ସେପ୍ଟେମ୍ବର ୭ ଓ ୮ରେ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ କେବଳ କଙ୍ଗନା ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିଷୟରେ ଆଲୋଚନା କରି ସମୟ ଅତିବାହିତ ହୋଇଥିଲା । କୋରୋନା ଓ ଅନ୍ୟାନ୍ୟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିଲା । ମୁମ୍ବାଇ ସହିତ ପୁଣେ ମଧ୍ୟ ଏକ ଭୟଙ୍କର କୋରୋନା ସଙ୍କଟ ଦେଇ ଗତି କରୁଛି । ବିଧାନସଭାରେ ଏହି ପ୍ରସଙ୍ଗରେ ଗମ୍ଭୀର ଆଲୋଚନା ହେବ ବୋଲି ଆଶା କରାଯାଉଥିଲା । ତେବେ ଆଲୋଚନା କଙ୍ଗନା ବିବାଦ ମଧ୍ୟରେ ସୀମିତ ରହିଥିଲା ।