Shiv Sena MP Sanjay Raut: ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ହେପାଜତରେ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜୁଲାଇ ୩୧ ତାରିଖ ରବିବାର ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିବା ପ୍ରାୟ ୪-୫ ଜଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଏହି ମାମଲାରେ ଚଢାଉ କରିଥିଲେ। ତାଙ୍କୁ ହେପାଜତକୁ ନେବା ପୂର୍ବରୁ ତାଙ୍କୁ ଜେରା କରିଥିଲା ଇଡି। ଏହି ଘଟଣାରେ ହେଉଥିବା ତଦନ୍ତରେ ସଞ୍ଜୟ ରାଉତ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସହରରେ ହୋଇଥିବା ପ୍ରାୟ ୧୦୩୪ କୋଟି ଟଙ୍କାର ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ (Patra Chawl Land Scam) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ଜେରା କରିବା ଜାରି ରଖିଛି। ପୂର୍ବରୁ ଗତ ୨୭ ତାରିଖରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହାଜର ହେବା ଲାଗି ସମନ ଜାରି କରିଥିଲା। ମାତ୍ର ସେ ହାଜର ନ ହେବା ପରେ ଜୁଲାଇ ୩୧ ତାରିଖ ରବିବାର ସକାଳେ ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  


ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତିନୋଟି ଟିମ୍ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ବାସଭବନରେ ଚଢାଉ କରିଥିଲା। ରବିବାର ସକାଳେ ଗୋଟିଏ ଟିମ ଦଳ ଦଦାର କୋର୍ଟ ଗାର୍ଡେନ୍ ବିଲ୍ଡିଂ ସ୍ଥିତ ୨୫ ତମ ମହଲାରେ ଚଢାଉ କରିଥିଲା। ଏଠାରେ ହୋଇଥିବା ଚଢାଉ ବେଳେ ଅନେକ ଇଡି ଅଧିକାରୀ ଉପସ୍ଥିତ ରହିବା ସହ ବିଲଡିଂ ଚାରିପାଖରେ ବହୁ ପରିମାଣର କେନ୍ଦ୍ରୀୟ ସୁରକ୍ଷା ସୁରକ୍ଷା ବଳ ନିୟୋଜିତ ହୋଇଥିଲେ। ଦାଦର କୋର୍ଟ ଗାର୍ଡେନ ଆପାର୍ଟମେଣ୍ଟ ଠାରେ ସଞ୍ଜୟ ରାଉତଙ୍କର ଏକ ଫ୍ଲାଟ ରହିଛି। ଯାହା ପୂର୍ବରୁ ଇଡି ଜବତ କରିସାରିଛି।


କ'ଣ ଏହି ପାତ୍ରାଚଲ ଜମି ଦୁର୍ନୀତି ମାମଲା? 
ମହାରାଷ୍ଟ୍ର ହାଉସିଂ ଏରିଆ ଡେଭେଲପମେଣ୍ଟ ଅଥରିଟି (MHADA)ର ୪୭ ଏକର ଜମିରେ ରହୁଥିଲେ ୬୭୨ଜଣ ଭଡ଼ାଟିଆ। ସେହି ୬୭୨ ଭଡ଼ାଟିଆଙ୍କ ପୁନର୍ବାସ ପାଇଁ 'ପାତ୍ର ଚଲ୍' ଯୋଜନା ଅନ୍ତର୍ଗତ ବିକାଶ କାର୍ଯ୍ୟ ପ୍ରବୀଣ ରାଉତଙ୍କ କମ୍ପାନୀକୁ ଦିଆ ଯାଇଥିଲା। କଣ୍ଟ୍ରାକ୍ଟରେ ଉଲ୍ଲେଖ ଥିଲା, ସେହି ୪୭ ଏକର ଜମିରେ ଯେଉଁ ବିଲଡିଂ ନିର୍ମାଣ ହେବ, ସେଥିରୁ ୬୭୨ଟି ଫ୍ଲାଟ୍ ଚଲ୍ ର ଭଡ଼ାଟିଆମାନଙ୍କୁ ଦେବାକୁ ହେବ ଏବଂ ୩ ହଜାର ଫ୍ଲାଟ୍ MHADAକୁ ହସ୍ତାନ୍ତର କରିବାକୁ ହେବ। ଏହାପରେ ଯେଉଁ ଜମି ବଳିବ, ତାକୁ ବିକ୍ରି କରିବା ଏବଂ ବିକଶିତ କରିବା ପାଇଁ ମଧ୍ୟ ଅନୁମତି ଜରୁରୀ ହେବ। ଏବେ ଚଲ୍ ବିକାଶର କଣ୍ଟ୍ରାକ୍ଟରେ ସବୁ କିଛି ନିର୍ଦ୍ଧାରିତ ଥିଲା। ତେବେ ଅଡୁଆ ସେତିକି ବେଳେ ହେଲା, ଯେତେବେଳେ କମ୍ପାନୀ ନା ଏ ଜାଗାର ବିକାଶ କଲା, ନା ଭଡ଼ାଟିଆମାନଙ୍କୁ ଘର ଦେଲା ନା MHADAକୁ ଫ୍ଲାଟ୍ ହସ୍ତାନ୍ତର କଲା।


୧୦୩୪ କୋଟି ଟଙ୍କା ହେରଫେର
ମୁମ୍ବାଇ ପୋଲିସ ନିକଟରେ ଦାୟର ହୋଇଥିବା FIR ଆଧାରରେ ରୁଜୁ ହୋଇଥଇବା ଏହି ମାମଲାରେ ED କହିଛି, 'ପିଏମଏଲଏ ଅନୁଯାୟୀ କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ଯେ, ଗୁରୁ ଆଶିଷ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭାବରେ ପ୍ରବୀଣ ରାଉତ ପୁନର୍ବିକାଶ ପରିଯୋଜନାରେ ସକ୍ରିୟ ଭୂମିକା ନିଭାଇଥିଲେ ଏବଂ ହାଉସିଂ ଡେଭେଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ରାକେଶ କୁମାର ୱାଧୱାନଙ୍କ ସହ ମିଶି ୧୦୦୦ କୋଟି ଟଙ୍କାର ଜମି ହେରଫେର କରିବାରେ ସଫଳ ହୋଇଥିଲେ। ଏହି ସମୟରେ ୬୭୨ ଜଣ ଭଡ଼ାଟିଆ ଏବଂ କ୍ରେତାଙ୍କ ହିତକୁ ସମ୍ପୂର୍ଣ୍ଣ ଅଣଦେଖା କରା ଯାଇଥିଲା। ED ବୟାନ ଦେଇଥିଲା ଯେ, ବିଭିନ୍ନ ବିଲଡରଙ୍କଠାରୁ ୧ ହଜାର ୩୪ କୋଟି ଟଙ୍କା ପାଇବା ସହ ଅଭିଯୁକ୍ତ ବ୍ୟାଙ୍କରୁ ମଧ୍ୟ ଋଣ ନେଇଛନ୍ତି।


ଜମି ଦୁର୍ନୀତି ସହ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ସମ୍ପୃକ୍ତି!
ED ଅଧିକାରୀମାନେ ଅଭିଯୋଗ କରିଥିଲେ ଯେ, ୨୦୧୦ ମସିହାରେ ପ୍ରବୀଣ ରାଉତ ଇକ୍ୱିଟି ସେଲ୍ ଏବଂ ଜମି କିଣାବିକା ଉହାଡ଼ରେ ନିଜ ବ୍ୟାଙ୍କ ଖାତାରେ ୯୫ କୋଟି ଟଙ୍କା ହାତେଇଥିଲେ। ତେବେ କମ୍ପାନୀ ପ୍ରୋଜେକ୍ଟକୁ ପୂରା କରି ପାରି ନ ଥିଲା ଏବଂ ତାଙ୍କର କିଛି ଆୟ ହୋଇ ନ ଥିଲା। ପ୍ରବୀଣଙ୍କ ଉପରେ ଏଜେନ୍ସୀ ଅଭିଯୋଗ କରିଥିଲା ଯେ, HDIL କମ୍ପାନୀଠାରୁ ପ୍ରବୀଣ ରାଉତଙ୍କ ଖାତାକୁ ୧୦୦ କୋଟି ଟଙ୍କା ଟ୍ରାନ୍ସପର ହୋଇଛି।ଏହାପରେ ସେ ଏହି ଅର୍ଥ ନିଜ ନିକଟ ସମ୍ପର୍କୀୟ ଏବଂ ଖାସ୍ ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ୨୦୧୦ରେ ଅପରାଧରୁ ଆୟ ହୋଇଥିବା ଅର୍ଥ ଆସିଥିଲା ବର୍ଷା ରାଉତଙ୍କ ପାଖକୁ। ଏହାର ପରିମାଣ ଥିଲା ୮୩ ଲକ୍ଷ ଟଙ୍କା, ଯାହାକୁ ପ୍ରବୀଣ ରାଉତଙ୍କ ପତ୍ନୀ ମାଧୁରୀ ରାଉତଙ୍କ ଜରିଆରେ ପଠା ଯାଇଥିଲା। ଏହି ଅର୍ଥ ବଳରେ ବର୍ଷା ରାଉତ ଦାଦରରେ ଏକ ଫ୍ଲାଟ୍ କିଣିଥିଲେ। ଯେତେବେଳେ ତଦନ୍ତ ହେଲା, ଜଣାପଡ଼ିଲା ଯେ ବର୍ଷାଙ୍କ ନିକଟକୁ ମାଧୁରୀଙ୍କ ଆକାଉଣ୍ଟରୁ ୫୫ ଲକ୍ଷ ଟ୍ରାନ୍ସଫର ହୋଇଛି। ଏହାଛଡ଼ା ଆହୁରି ମଧ୍ୟ ଟ୍ରାଞ୍ଜାକ୍ସନ ହୋଇଥିଲା। EDର କହିବା କଥା, ଖିମ୍ ବିଚ୍ ନିକଟରେ ଯେଉଁ ୮ଟି ଫ୍ଲାଟ୍ ଅଛି, ତାହା ମଧ୍ୟ ବର୍ଷା ରାଉତ ଏବଂ ସ୍ୱପ୍ନା ପାଟେକରଙ୍କ ନାମରେ କିଣା ଯାଇଛି। ସ୍ୱପ୍ନା ହେଉଛନ୍ତି ସଞ୍ଜୟ ରାଉତଙ୍କ ପାଖଲୋକ ଭାବରେ ଜଣାଶୁଣା ସୁଜିତ ପାଟେକରଙ୍କ ପତ୍ନୀ।


Also Read: Maharashtra: ଇଡି ସମନ ଉପରେ ଜବାବ ରଖିଲେ ଶିବସେନା ନେତା ସଞ୍ଜୟ ରାଉତ