ଚର୍ଚ୍ଚାରେ SBSP ଅଧ୍ୟକ୍ଷ OP Rajbhar; ମଦ୍ୟପାନ ଉପରେ ରଖିଲେ ଏପରି ବୟାନ
ମେଣ୍ଟ ଗଠନ ନୁହେଁ ଏଥର ମଦ୍ୟପାନ ଉପରେ ରଖିଥିବା ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏସବିଏସପି ଅଧ୍ୟକ୍ଷ।
ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ସରଗରମ ହୋଇଉଠିଲାଣି ରାଜ୍ୟ ରାଜନୀତି। ବିଭିନ୍ନ ପ୍ରସଙ୍ଗୁ କେନ୍ଦ୍ର କରି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ରାଜନୈତିକ ଦଳର ନେତା।
ଏହି କ୍ରମରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର (Om Prakash Rajbhar) ନିଜର ବୟାନକୁ ନେଇ ଚର୍ଚ୍ଚାକୁ ଆସିଯାଇଛନ୍ତି। ନିର୍ବାଚନୀ ସଭାରେ ବିବାଦୀୟ ବୟାନବାଜି କରି ଚର୍ଚ୍ଚାରେ ରହୁଥିବା ଏସବିଏସପି ଅଧ୍ୟକ୍ଷ ପୁଣି ଥରେ ନିଜର ଭାଷଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।
ଦଳର ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ମଉ ଜିଲ୍ଲା ଠାରେ ଆୟୋଜିତ ହୋଇଥିବା ମହାପଞ୍ଚାୟତରେ ଶାସକ ବିଜେପି ସରକାରକୁ ସମାଲୋଚନା କରିବା ସହ ରାଜ୍ୟ ରାଜକୋଷକୁ ଦର୍ଶାଇ ଓମ ପ୍ରକାଶ ରାଜଭର କହିଛନ୍ତି ବିଜେପି ୨ ମାସ ମଧ୍ୟରେ ଯେତିକି ଖର୍ଚ୍ଚ କରୁଛି ସେତିକି ଟଙ୍କା ଆମ ଲୋକ ଗୋଟିଏ ମାସରେ ସେତିକି ଟଙ୍କା ମଦ ପିଇବାରେ ଖର୍ଚ୍ଚ କରିଥାନ୍ତି। ଏହା କହିବା ପରେ ସେ ଲୋକଙ୍କ ଉଦ୍ଦେଶ୍ୟରେ ପଚାରି କହିଥିଲେ ରାଜ୍ୟରେ ମଦ୍ୟପାନ ବନ୍ଦ କରାଯିବା ଉଚିତ ନା ନୁହେଁ। କେତେ ଲୋକ ଚାହାଁନ୍ତି ଯେ ରାଜ୍ୟର ମଦ ବନ୍ଦ କରାଯାଉ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନେକ ମହିଳା ବକ୍ତା ରାଜ୍ୟରେ ମଦ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଦାବି କହିଥିଲେ। ମଦ କାରଣରୁ ରାଜ୍ୟରେ ବହୁ ସଂଖ୍ୟକ ମହିଳାଙ୍କୁ ବିଭିନ୍ନ ପ୍ରକାରର ଶୋଷଣର ସମ୍ମୁଖୀନ ହେବାକୁ ପଡୁଥିବା ସେମାନେ କହିଥିଲେ।
Also Read: ପଟ୍ଟ ବଦଳାଇଲେ OP Rajbhar; BJP ନୁହେଁ ଏହି ଦଳ ସହ କରିବେ ମେଣ୍ଟ
ଏସବିଏସପି ପକ୍ଷରୁ ଆୟୋଜିତ ଏହି ମହାପଞ୍ଚାୟରେ ସମାଜବାଦୀ ପାର୍ଟି ଏସପି ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଉଭୟ ଏସପି-ଏସବିଏସପି ମଧ୍ୟରେ ମେଣ୍ଟ ଗଠନ ହେବା ନେଇ ଏହି ମହାପଞ୍ଚାୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ଓମ ପ୍ରକାଶ ରାଜଭର।
ବିବାଦୀୟ ବୟାନବାଜି କରି ଚର୍ଚ୍ଚାରେ ରହିବା ଏସବିଏସପି ଅଧ୍ୟକ୍ଷଙ୍କ ଲାଗି କୌଣସି ନୂଆ କଥା ନୁହେଁ। ଏହା ପୂର୍ବରୁ ସେ ଗତ ଜୁନ ମାସରେ ରାଜ୍ୟର ହରଦୋଇ ଜିଲ୍ଲା ସ୍ଥିତ ଅତରୌଲି ଠାରେ ଆୟୋଜିତ ଏକ ସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯଦି ଆମ ଦଳ ରାଜ୍ୟରେ ସରକାର ଗଠନ କରେ ତାହେଲେ ଆମେ ୫ ବର୍ଷରେ ୫ ମୁଖ୍ୟମନ୍ତ୍ରୀ ଏବଂ ପ୍ରତିବର୍ଷ ୪ ଜଣଙ୍କୁ ନେଇ ମୋଟ ୨୦ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବୁ।
ଏହି କାର୍ଯ୍ୟକ୍ରମରେ ସେ ନିଷାଦ ପାର୍ଟି ମୁଖ୍ୟ (NISHAD Party) ଡ.ସଞ୍ଜୟ ନିଷାଦଙ୍କୁ (Dr.Sanjay Nishad) ତାଙ୍କ ଦଳ ନେତ୍ୱରେ ଗଠିତ ଭାଗିରଥି ସଙ୍କଳ୍ପ ମୋର୍ଚ୍ଚା ମେଣ୍ଟରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲେ। ଏହା ସହିତ ସେ କହିଥିଲେ ଯଦି ଆମ ମେଣ୍ଟ ସରକାର ଗଠନ କରେ ତାହେଲେ ନିଷାଦ ପାର୍ଟି ମୁଖ୍ୟଙ୍କୁ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କରାଯିବ।
ଆପଣ କାହିଁକି ବିଜେପି ଠାରେ ଭିକ ମାଗୁଛନ୍ତି? ଆମ ପାଖକୁ ଆସ, ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବୁ। ବିଜେପି ନିକଟରେ ମତଦାତା ନାହାଁନ୍ତି। ସେମାନେ ଭୋଟର ବିହୀନ ହୋଇଗଲେଣି। ଯାହାର ଫଳାଫଳ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନରେ ଦୃଶ୍ୟମାନ ହେବ। ଏଭଳି ପରିସ୍ଥିତିରେ ଏସବିଏସପି ସରକାର ଗଠନକୁ କେହି ଅଟକାଇ ପାରିବେ ନାହିଁ।
Also Read: UP Poll 2022 ପୂର୍ବରୁ ହୋଇପାରେ ବଡଧରଣର ପରିବର୍ତ୍ତନ; ପୁଣି BJP ହାତ ଧରିବେ OP Rajbhar
ଉତ୍ତରପ୍ରଦେଶରେ ଭାଗିରଥି ସଙ୍କଳ୍ପ ମୋର୍ଚ୍ଚା ମେଣ୍ଟ କିପରି ସରକାର ଗଠନ କରିବ ତାହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ରାଜ୍ୟ ଜନସଂଖ୍ୟାର କେବଳ ୧୪% ହେଉଛନ୍ତି ନିଷାଦ, ବିନ୍ଦ, କେଉଟ, ମଲ୍ଲାହା, ମାଞ୍ଝି ସମ୍ପ୍ରଦାୟର। ଯଦି ସେମାନେ ଏକାଠି ହୋଇଯାନ୍ତି ତାହେଲେ ରାଜ୍ୟରେ ଆମ ମେଣ୍ଟ ସରକାର ଗଠନ କରିବ। ପ୍ରତିବର୍ଷ ଗୋଟିଏ ଜାତିର ମୁଖ୍ୟମନ୍ତ୍ରୀ କରାଯିବ। ପ୍ରଥମ ବର୍ଷରେ ନିଷାଦ ପାର୍ଟି ମୁଖ୍ୟଙ୍କୁ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କରାଯିବ। ଦ୍ୱିତୀୟ ବର୍ଷରେ ରାଜଭର, ତୃତୀୟ ବର୍ଷରେ ପଟେଲ ଏବଂ ଚତୁର୍ଥ ବର୍ଷରେ ମୌର୍ଯ୍ୟ ସମ୍ପ୍ରଦାୟର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ କରିବୁ। ଆମେ ୫ ବର୍ଷରେ ୫ ଜଣ ମୁଖ୍ୟମନ୍ତ୍ରୀ ଏବଂ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ଚାରୋଟି ଜାତିରୁ ୪ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବୁ। ଏହା ହେଉଛି ଆମ ମେଣ୍ଟର ଚିନ୍ତାଧାରା। ବିଜେପି ଠାର ଭିକ ମାଗିବା ଅପେକ୍ଷା ଏଠାରେ ମାଲିକ ହୋଇ ଆପଣ ସମାଜ ପାଇଁ କାମ କରନ୍ତୁ।
ଅନ୍ୟପଟେ ଗତ ୨୦୧୮, ଅକ୍ଟୋବର ୨୭ ତାରିଖରେ ଦଳର ସ୍ଥାପନା ଦିବସ ଅବସରରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ସେ କହିଥିଲେ ରାଜ୍ୟରେ ପ୍ରତି ୫ ବର୍ଷରେ ଥରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଯେତେବେଳେ ରାଜ୍ୟରେ ଯେଉଁ ଦଳର ସରକାର ଗଠିତ ହୋଇଥାଏ ସେତେବେଳେ ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହୋଇଥାନ୍ତି। ଗୋଟିଏ ଜାତିର ନେତା ପୁରା ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥାନ୍ତି। ପ୍ରତି ୬ ମାସରେ ଥରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ଦରକାର। ପ୍ରତ୍ୟେକ ଜାତିର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିବା ଆବଶ୍ୟକ।