UP Election 2022: ୨୩ ଜିଲ୍ଲାରେ ଫୁଟିଲା ପଦ୍ମ, ଖାତା ଖୋଲିପାରିଲେନି ବିରୋଧି
ଏଥର ୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ଅଭଙ୍ଗା ରେକର୍ଡ କରିଛି ବିଜେପି।
ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ଏହି ରାଜ୍ୟରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଗତ ୩୭ ବର୍ଷର ରେକର୍ଡ ଭାଙ୍ଗି ଦଳ। ଗତ ୧୯୮୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି କ୍ଷମତାକୁ ଆସିନଥିଲେ। ହେଲେ ଦୀର୍ଘ ଦିନ ଧରି ଚାଲିଥିବା ଏହି ପରମ୍ପରାରେ ଏଥର ଦେଖିବାକୁ ମିଳିଛି ବ୍ୟତିକ୍ରମ।
ବିଗତ ୨୦୧୭ ପରେ ଚଳିତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ମୋଟ ୪୦୩ ସିଟ୍ ବିଶିଷ୍ଟ ଉତ୍ତର ପ୍ରଦେଶରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୨୦୩ ବିଧାୟକ ସମର୍ଥନ ଆବଶ୍ୟକ। ବିଜେପି ଏଥର ୨୫୫ ଆସନ ଦଖଳ ସରକାର ଗଠନ କରିବାକୁ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସକ୍ଷମ ହୋଇଛି।
ହେଲେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ଅଭଙ୍ଗା ରେକର୍ଡ କରିଛି ବିଜେପି। ଏଥର ରାଜ୍ୟର ମୋଟ ୭୫ ଜିଲ୍ଲାରୁ ୨୩ ଜିଲ୍ଲାରେ ଅବସ୍ଥିତ ଥିବା ସମସ୍ତ ଆସନରେ ବାଜିମାତ କରିଛି ଦଳ। ଏଠାରେ ବିଜେପି ବ୍ୟତୀତ ଅନ୍ୟ କୌଣସି ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନାହାଁନ୍ତି।
Also Read: UP Assembly Election 2022 Result: ୩୭ ବର୍ଷର ରେକର୍ଡ ଭାଙ୍ଗିଲା BJP
ଏହି ତାଲିକାରେ ରହିଛି କୃଷକ ଆନ୍ଦୋଳନକୁ ନେଇ ଚର୍ଚ୍ଚାର ପରିସରରେ ରହିଥିବା ଲଖୀମପୁର ଖୀରୀ। ଏହି ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ଆସନ ଦଖଲ କରିବାରେ ସଫଳ ହୋଇଛି ବିଜେପି। ଏଠାରେ ହୋଇଥିବା ହିଂସା ପରେ ବିଜେପି ଏଠାରେ କ୍ଷତି ସହିପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯାଇଛି।
ଅନ୍ୟପଟେ ପଶ୍ଚିମ ଉତ୍ତର ପ୍ରଦେଶ ଯେଉଁଠି କୃଷକ ଆନ୍ଦୋଳନର ପ୍ରଭାବ ଅନୁଭୂତ ହୋଇଥିଲା ସେଠାରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ହୋଇଥିବା ମେଣ୍ଟକୁ ଟକ୍କର ଦେବାରେ ସଫଳ ହୋଇଛି ବିଜେପି। ଦଳ ଏଠାରେ ବିଜୟବାନା ଉଡ଼ାଇବାରେ ସକ୍ଷମ ହୋଇଛି। ଏଠାକାର ଆଗ୍ରା, ମଥୁରା, ଆଲିଗଡ଼ ଏବଂ ଏଟା ଜିଲ୍ଲାରେ ବିଜେପି ଅନ୍ୟ ଦଳର ଜିତିବାକୁ କଷ୍ଟକର କରିଦେଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୃହ ଜିଲ୍ଲା ଗୋରଖପୁରର ସମସ୍ତ ୯ ସିଟ୍ ହାତେଇବାରେ ବିଜେପି ସଫଳ ହୋଇଥିବାଛି। ଗତ ଥର ଜିଲ୍ଲାର ଚିଲୁପର ଆସନ ବିଏସପି ଖାତାରେ ପଡିଥିଲା। ପୂର୍ବତନ ମନ୍ତ୍ରୀ ହରିଶଙ୍କର ତିୱାରୀଙ୍କ ପୁଅ ବିନୟ ଶଙ୍କର ତିୱାରୀ ଏଠାରେ ଜିତିଥିଲେ। ଏଥର ସେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଦେୱରିୟା ଜିଲ୍ଲାର ସମସ୍ତ ୭ ସିଟ୍ ବିଜେପି ପାଇଛି। ଗତ ଥର ଭପପାରାରାନୀ ଆସନ ସମାଜବାଦୀ ପାର୍ଟି ହାତେଇଥିଲା।
ଗତ ଥର ଭଳି ଏଥର ମଧ୍ୟ ପୀଲୀଭୀତ ଏବଂ ଗୌତମବୁଦ୍ଧ ନଗର ଜିଲ୍ଲାର ସମସ୍ତ ଆସନ ହାତେଇବାରେ ସଫଳ ହୋଇଛି ବିଜେପି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟକ୍ଷେତ୍ର ବାରାଣାସୀ ଜିଲ୍ଲାର ସମସ୍ତ ୯ ଆସନ ଜିତି ବିଜେପି ବିଜୟ ବାନା ଉଡ଼ାଇଛି। ଏହା ସହିତ ମିର୍ଜାପୁର, ସୋନଭଦ୍ରା, ଶାହଜହାଁପୁର, ଉନ୍ନାଁଓ, ଫରୁଖାବାଦ, କନ୍ନୌଜ, ମହୋବା, ହମୀରପୁର, କାନପୁର ଦେହାତ ପ୍ରଭୃତି ଜିଲ୍ଲାରେ ସମସ୍ତ ଆସନ ଦଖଲ କରିଛି ଦଳ।