Disqualification of Azam Khan: ବିଧାନସଭା ସଦସ୍ୟତା ପଦ ହରାଇଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଆଜାମ ଖାନ। ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମାହାନା ରାଜ୍ୟର ରାମପୁର ଆସନର ବିଧାୟକଙ୍କ ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଆଜମ ଖାନଙ୍କ ସଦସ୍ୟତା ଅୟୋଗ୍ୟ ଘୋଷିତ ହେବା ପରେ ରାମପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିକଟରେ ତାଙ୍କୁ ହେଟ ସ୍ପୀଚ ମାମଲାରେ ତିନି ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ରାମପୁର ସାଂସଦ-ବିଧାୟକ କୋର୍ଟ।  ଜେଲ ଦଣ୍ଡା ସହ ତାଙ୍କୁ ୬ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।


COMMERCIAL BREAK
SCROLL TO CONTINUE READING

ଅକ୍ଟୋବର ୨୮ ତାରିଖରେ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମାହାନା ସମାଜବାଦୀ ପାର୍ଟି ବିଧାୟକ ଆଜାମ ଖାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଧାନସଭା ସଦସ୍ୟତା ବାତିଲ କରିଛନ୍ତି। ତାଙ୍କର ସଦସ୍ୟତା ବାତିଲ କରିବା ପରେ ବାଚସ୍ପତି ରାମପୁର ବିଧାୟକ ପଦ ଖାଲି ହୋଇଥିବା ନିର୍ବାଚନ ଆୟୋଗକୁ ଅବଗତ କରାଇଛନ୍ତି।


ହେଟ ସ୍ପୀଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏବଂ ଦଣ୍ଡ ଘୋଷଣା ହେବା ପରେ ସମାଜବାଦୀ ପାର୍ଟି ବିଧାୟକ ଆଜାମ ଖାନ ବିଧାନସଭା ସଦସ୍ୟତା ଉପରକୁ ସଙ୍କଟର କଳା ବାଦଲ ମାଡ଼ି ଆସିଥିଲା। ଯଦିଓ ଏହି ମାମଲାରେ ତାଙ୍କୁ କୋର୍ଟ ଦଣ୍ଡାଦେଶ ଶୁଣାଇବା ସହିତ ଜାମିନ ପ୍ରଦାନ କରିଥିଲେ। ହେଲେ ବର୍ତ୍ତମାନ ତାଙ୍କୁ ବିଧାନସଭାରୁ ଏକ ବଡ ଝଟକା ଲାଗିଛି। କୋର୍ଟ ୨ ବର୍ଷରୁ ଅଧିକ ଦଣ୍ଡାଦେଶ ଶୁଣାଇବା ହେତୁ ତାଙ୍କର ବିଧାନସଭା ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମାହାନା ଏ ସମ୍ପର୍କରେ ଜଣାଇଛନ୍ତି। 


କୋର୍ଟ ଆଦେଶ ଅନୁଯାୟୀ, ଆଜାମ ଖାନଙ୍କୁ ଆଇପିସିର ଧାରା ୧୫୩ଏ, ଧାରା ୫୦୫ (୧) ଏବଂ ଲୋକ ପ୍ରତିନିଧି ଅଧିନିୟମ ୧୨୫ ଅନୁଯାୟୀ ୩ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ତାଙ୍କ ପାଖରୁ ୨ ହଜାର ଟଙ୍କାକ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଜରିମାନା ଦେବାର ବିଫଳ ହେଲେ ତାଙ୍କୁ ଅଧିକ ଏକ ମାସ କାରାଦଣ୍ଡ ଭୋଗିବାକୁ ପଡିବ। ଦଣ୍ଡ ପାଇବା ପରେ ସମାଜବାଦୀ ପାର୍ଟି ବିଧାୟକ ଆଜାମ ଖାନଙ୍କ ପ୍ରଥମ ପ୍ରତିକ୍ରିୟା ଆସିଥିଲା। ଅଦାଲତରୁ ଜାମିନ ପାଇବା ପରେ ସେ କହିଛନ୍ତି ଯେ ଆମେ କୋର୍ଟ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଏହି ନିଷ୍ପତ୍ତି ବିରୋଧରେ ଏକ ଆବେଦନ କରିବେ। ଓକିଲଙ୍କ ସହ ଏ ବାବଦରେ ଆଲୋଚନା କରାଯିବ।


ରାମପୁର କୋର୍ଟ ନିଷ୍ପତ୍ତି ବିରୋଧରେ ନିମ୍ନ ଅଦାଲତକୁ ଯିବାର ବିକଳ୍ପ ଆଜାମ ଖାନଙ୍କ ପାଖରେ ରହିଛି । ସେ ଏହି ନିଷ୍ପତ୍ତିକୁ ନିମ୍ନ ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ। ଯଦି ସେଠାରୁ ତାଙ୍କୁ କୌଣସି ଆଶ୍ୱସ୍ତି ନ ମିଳେ, ତାହେଲେ ସେ ମଧ୍ୟ ହାଇକୋର୍ଟ ଯାଇପାରିବେ। ଆଜାମ ଖାନ ମଧ୍ୟ ଦୋହରାଇଛନ୍ତି ଯେ ତାଙ୍କ ପାଖରେ ଅନେକ ବିକଳ୍ପ ମହଜୁଦ ରହିଛି।


Also Read: Uttar Pradesh: ବିଧାନସଭା ସଦସ୍ୟତା ପଦ ହରାଇଲେ ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନ


ଜନ ପ୍ରତିନିଧୀଙ୍କ ପାଇଁ ପ୍ରସ୍ତୁତ ଆଇନ ଅନୁଯାୟୀ, ଯଦି ଜଣେ ବିଧାୟକଙ୍କୁ ୨ ବର୍ଷରୁ ଅଧିକ ଦଣ୍ଡିତ କରାଯାଏ, ତାହେଲେ ତାଙ୍କର ସଦସ୍ୟତା ଚାଲିଯାଏ। ଆଜାମ ଖାନଙ୍କୁ ଘୃଣା ଭାଷଣ ମାମଲାରେ ରାମପୁର ସାଂସଦ-ବିଧାୟକ କୋର୍ଟ  ଦୋଷୀ ସାବ୍ୟସ୍ତ କରି ୩ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଆଜାମ ଖାନ ରାମପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୨୨ ବିଧାନସଭା ନିର୍ବାଚନରେ ରାମପୁର ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଧାୟକ ନିର୍ବାଚିତ ହେବା ପରେ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।


ଆଜାମ ଖାନଙ୍କ ସହ ଜଡିତ ହେଟ ସ୍ପୀଚ ମାମଲା ଗତ ୨୦୧୯ ଲୋକସଭା ନିର୍ବାଚନ ସମୟର ବୋଲି ଜଣାପଡ଼ିଛି। ଏହି ନିର୍ବାଚନରେ ସେ ରାମପୁର ଲୋକସଭା ଆସନରୁ ଏସପି-ବିଏସପି ମେଣ୍ଟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ ୨୦୧୯ ଅପ୍ରେଲରେ ନିର୍ବାଚନ ପ୍ରଚାର ସମୟରେ ସେ ମିଲକ ଥାନାର ଖାତାନଗରିୟା ଗ୍ରାମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏନେଇ ଅଭିଯୋଗ ହୋଇଛି ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତତ୍କାଳୀନ ରାମପୁର ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହଙ୍କ ବିଷୟରେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ। ତାଙ୍କର ଏହି ବିବାଦୀୟ ଭାଷଣର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏହି ମାମଲାରେ ଭିଡିଓ ପର୍ଯ୍ୟବେକ୍ଷଣ ଦଳ ଦାୟିତ୍ୱରେ ଥିବା ଅନିଲ କୁମାର ଚୌହାନଙ୍କ ପକ୍ଷରୁ ମିଲକ ଥାନାରେ ଏହି ମାମଲାର ଏକ ରିପୋର୍ଟ ଦାଖଲ କରାଯାଇଥିଲା।