Lucknow Mango Festival: ଜୁଲାଇ ୪ ତାରିଖ ସୋମବାର ରାଜଧାନୀ ଲକ୍ଷ୍ନୌ ଠାରେ ଆୟୋଜିତ ହୋଇଥିବା ଉତ୍ତର ପ୍ରଦେଶ ଆମ୍ବ ମହୋତ୍ସବକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ କହିଛନ୍ତି ଯେ ରାଜଧାନୀ ଲକ୍ଷ୍ନୌ ଠାରେ ଆମ୍ବ 'ମେଗା କ୍ଲଷ୍ଟର' କୁ ସ୍ୱୀକୃତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି 'ମେଗା କ୍ଲଷ୍ଟର' ମାଧ୍ୟମରେ ଲକ୍ଷ୍ନୌର ଆମ୍ବ "କାକୋରୀ ବ୍ରାଣ୍ଡ" ଭାବେ ଜଣାଶୁଣା ହେବ।


COMMERCIAL BREAK
SCROLL TO CONTINUE READING

ରାଜଧାନୀ ଲକ୍ଷ୍ନୌସ୍ଥିତ ଅୱଧ ଶିଳ୍ପ ଗ୍ରାମରେ "ଉତ୍ତରପ୍ରଦେଶ ଆମ୍ବ ମହୋତ୍ସବ ୨୦୨୨" ଆରମ୍ଭ ହେବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି "କାକୋରୀ ବ୍ରାଣ୍ଡ" ଦେଶ ବିଦେଶରେ ନୂତନ ଭାରତ  ନୂତନ ଉତ୍ତରପ୍ରଦେଶର ଭାବମୂର୍ତ୍ତି ପ୍ରଦର୍ଶନ କରିବ। ସ୍ୱାଧିନତାର ଅମୃତ ମହୋତ୍ସବ ଆୟୋଜନ ଶୃଙ୍ଖଳାରେ କାକୋରୀ ବ୍ରାଣ୍ଡ କାକୋରୀ ସ୍ୱାଧିନତା ସଂଗ୍ରାମୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।


୧୯୨୫ ମସିହା ଅଗଷ୍ଟ ୯ ତାରିଖରେ ତତ୍କାଳୀନ ବ୍ରିଟିଶ ରାଜ ବିରୋଧରେ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ନୌସ୍ଥିତ କାକୋରୀ ଠାରେ ଏକ ଟ୍ରେନ ମଧ୍ୟର ଇଂରେଜ ସରକାରଙ୍କ ଖଜଣା  ଲୁଟି ନେଇଥିଲେ। ପଣ୍ଡିତ ରାମ ପ୍ରସାଦ ବିସ୍ମିଲଙ୍କ ନେତୃତ୍ୱରେ ଚନ୍ଦ୍ରଶେଖର ଆଜାଦ, ଆଶଫାଫ ଉଲା ଖାନଙ୍କ ସମେତ ଅନ୍ୟ ବିପ୍ଳବୀଙ୍କ ଦ୍ୱାରା ଏହି ଟ୍ରେନ ଡକାୟତି ଯୋଜନା କରାଯାଇଥିଲା।


ଚଳିତ ବର୍ଷ ରାଜ୍ୟରେ ଆମ୍ବ ମହୋତ୍ସବ ଆୟୋଜିତ ହେବା ଅବସରରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କୋରୋନା ମହାମାରୀ କାରଣରୁ ୨ ବର୍ଷ ପରେ ଆମ୍ବ ମହୋତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ସେ କହିଛନ୍ତି ଯେ ହେକ୍ଟର ପିଛା ରାଜ୍ୟର ଆମ୍ବ ଉତ୍ପାଦନ ଦେଶ ଅପେକ୍ଷା ପ୍ରାୟ ଦୁଇ ଗୁଣ ଅଧିକ ରହିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ର ଉଦ୍ୟାନ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ପକ୍ଷରୁ ଆୟୋଜିତ ଆମ୍ବ ପ୍ରଦର୍ଶନୀ ପରିଦର୍ଶନ କରି ଲକ୍ଷ୍ନୌ ଆମ୍ବ ମହୋତ୍ସବ ସ୍ମରଣିକା ୨୦୨୨ ଉନ୍ମୋଚନ କରିଥିଲେ ଏବଂ ରାଜ୍ୟର ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।


Also Read: CM Yogi Birthday: ୫୦ କିଲୋ କେକ୍ ଉପରେ ବୁଲଡୋଜର, ଏପରି ପାଳନ ହେଲା ବାବାଙ୍କ ଜନ୍ମଦିନ