Puri Lord Jagannath, ପୁରୀ: ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଶୁକ୍ରବାର ଠାରୁ ପବିତ୍ର ପଞ୍ଚୁକ ବ୍ରତର ଅୟମାରମ୍ଭ ହୋଇଛି। ଏହି ପଞ୍ଚୁକ ବ୍ରତକୁ ଭୀଷ୍ମ ପଞ୍ଚକ ବା ବଗ ପଞ୍ଚକ ବୋଲି କୁହାଯାଏ। ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ଉପାସନା ହେଉଥିବା ବେଳେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  ମହାପ୍ରଭୁ। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଏବେ ଚଳଚଂଚଳ ଦେଖାଦେଇଛି। ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ଭୋରରୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦ୍ୱାରଫିଟା, ମଙ୍ଗଳ ଆରତୀ ବଢି ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶରେ ଶୃଙ୍ଗାର କରାଯାଇଥିଲା। ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା ଓ ବିଭିର୍ନ ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ଚତୁର୍ଧାମୂର୍ତ୍ତି ସୁସଜିତ ହୋଇ ଅଗଣିତ ଶ୍ରଦ୍ଧାଳୁ ଓ ବ୍ରତଧାରିଣୀଙ୍କୁ ଦର୍ଶନ ଦେଇଥିଲେ। ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ ହୋଇଥିବା ବେଳେ ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।


Also Read: ଶ୍ରୀମନ୍ଦିରରେ ଆରମ୍ଭ ପଞ୍ଚୁକ ନୀତି, ପାଞ୍ଚଦିନରେ ପାଞ୍ଚୋଟି ବେଶ ହେବେ ଶ୍ରୀଜିଉ


ପଞ୍ଚୁକ ପାଞ୍ଚଦିନରେ ପ୍ରତ୍ୟେହ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ବେଶ ଅନୁଷ୍ଠିତ ହୋଇଥାଏ।  ଆଜି ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ଦ୍ଵାଦଶୀରେ ବାଙ୍କଚୁଡ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ।  ତେବେ ପଞ୍ଚୁକ ପାଞ୍ଚଦିନ ଧରି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ  ଗ୍ରହଣ କରାଯାଇଛି।


ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନପାଇଁ ଶ୍ରୀମନ୍ଦିରରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ପଞ୍ଚତୀର୍ଥ ପୁଷ୍କରିଣୀ ଓ ମହଦଧୀରେ ହବିଷ୍ୟାଳୀଙ୍କ ସ୍ନାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅନ୍ୟପଟେ ମହାପ୍ରଭୁଙ୍କ ଏଭଳି ଦୁର୍ଲଭ ବେଶ ଦେଖି ଭକ୍ତ ଓ ଶ୍ରଦ୍ଧାଳୁ ବେଶ ଖୁସିଥିବା ମତଦେଇଥିବା ବେଳେ କାର୍ତ୍ତିକ ବ୍ରତ ସାର୍ଥକ ହୋଇଛି ବୋଲି ମତଦେଇଛନ୍ତି।


Also Read: Srimandir controversy: ବଡ଼ ଦେଉଳରେ କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ? ଦ୍ୱନ୍ଦରେ ନୀତି ନିର୍ଘଣ୍ଟ, ଆଗୁଆ ହେବ ମହାପ୍ରଭୁଙ୍କ ସୁନାବେଶ


ଆଶନ୍ତା ୮ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବ। ସେଥିପାଇଁ ସୂଯ୍ୟୋଦୟ ପୂର୍ବରୁ ପ୍ରଥମ ଭୋଗମଣ୍ଡପ ଉଠିବ। ‌ସୂର୍ଯ୍ୟ ପରାଗରେ ଯେଭଳି ରାତିରୁ ମହାପ୍ରସାଦ ପ୍ରସ୍ତୁତି ହୋଇଥିଲା, ଚନ୍ଦ୍ର ଗ୍ରହଣରେ ବି ସେଭଳି କରାଯିବ। ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ ହୋଇ ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହେବ। ଏହିଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି, ସେ ଦୃ୍ଷ୍ଟିରୁ ଦେବନୀତି ନିଷେଧ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ ନୀତି ସଂପନ୍ନ ହେବ। ପୂର୍ବଦିନ ରାତିରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ। ଯଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ। ସୂର୍ଯ୍ଯୋଦୟ ପୂର୍ବରୁ ପାକତ୍ଯାଗ, ଦେବନୀତି ଓ ଡଙ୍ଗା ଭଷାଣ ଆଦି ଶେଷ କରାଯିବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରୀପାଠି କହିଛନ୍ତି।