Jagannath Temple: ଶ୍ରୀମନ୍ଦିରରେ ଆରମ୍ଭ ପଞ୍ଚୁକ ନୀତି, ପାଞ୍ଚଦିନରେ ପାଞ୍ଚୋଟି ବେଶ ହେବେ ଶ୍ରୀଜିଉ
Advertisement
Article Detail0/zeeodisha/odisha1423949

Jagannath Temple: ଶ୍ରୀମନ୍ଦିରରେ ଆରମ୍ଭ ପଞ୍ଚୁକ ନୀତି, ପାଞ୍ଚଦିନରେ ପାଞ୍ଚୋଟି ବେଶ ହେବେ ଶ୍ରୀଜିଉ

Panchaka: ମହାପ୍ରଭୁ ଆସନ୍ତା ପାଞ୍ଚଦିନରେ ପାଞ୍ଚୋଟି ବେଶ ହେବେ । ହେଲେ ଚନ୍ଦ୍ର ଗ୍ରହଣ ଯୋଗୁଁ ରାଜାଧିରାଜ ବେଶ ଦର୍ଶନ ପାଇବା ନେଇ ଏବେବି ଅସ୍ପଷ୍ଟ । ତେବେ ବଡ ଏକାଦଶୀ ପରଠାରୁ ପୁଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଂଚୁକ ବ୍ରତ ବା ବକ ପଂଚକ ବା ଭୀଷ୍ଣପଂଚକ ପାଳନ କରାଯାଉଛି ।

ସୌ: ସୋସିଆଲ ମିଡିଆ

Panchaka: ଚାଲିଛି ପୁଣ୍ୟର ମାସ କାର୍ତ୍ତିକ । ଆସନ୍ତାକାଲି ଠାରୁ ପାଞ୍ଚଦିନ ଧରି ଭକ୍ତ ପଞ୍ଚୁକ ବ୍ରତ ପାଳିବେ । ମହାପ୍ରଭୁ ଆସନ୍ତା ପାଞ୍ଚଦିନରେ ପାଞ୍ଚୋଟି ବେଶ ହେବେ । ହେଲେ ଚନ୍ଦ୍ର ଗ୍ରହଣ ଯୋଗୁଁ ରାଜାଧିରାଜ ବେଶ ଦର୍ଶନ ପାଇବା ନେଇ ଏବେବି ଅସ୍ପଷ୍ଟ । ତେବେ ବଡ ଏକାଦଶୀ ପରଠାରୁ ପୁଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଂଚୁକ ବ୍ରତ ବା ବକ ପଂଚକ ବା ଭୀଷ୍ଣପଂଚକ ପାଳନ କରାଯାଉଛି । ଯେଉଁମାନେ କାର୍ତ୍ତିକ ମାସରେ ବ୍ରତ ପାଳନ କରି ନଥାନ୍ତି, ସେମାନେ ଏହି ପାଞ୍ଚଦିନ ବ୍ରତ କରି ମହାପୁଣ୍ୟ ଅର୍ଜନ କରିଥାନ୍ତି । ସେପଟେ ଆସନ୍ତାକାଲି ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ବଡ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ହରିଉତ୍ଥାପନ ନିତି ରହିଥିବାରୁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏଣୁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଳି ହେବ । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁବିଧା ପାଇଁ ମରିଚିକୋଟ ଛକରୁ ଅସ୍ଥାୟୀ ବେରିକେଡ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ବ୍ଯାପକ ପୁଲିସ ମୁତୟନ କରାଯାଇଛି । ସେପଟେ ସ୍ଥାୟୀ ବେରିକେଡରେ ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳିଙ୍କ ଲାଗି ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । 

ଆସନ୍ତାକାଲି କାର୍ତ୍ତୀକ ଶୁକ୍ଳ ଏକାଦଶୀ ତିଥି । ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି । ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ ହରିଉତ୍ଥାପନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ  ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ମହଣ ମହଣ ସ୍ୱର୍ଣ୍ଣ ଆଭୁଷଣରେ ବିଭୁଷିତ ହୋଇ ଲକ୍ଷ୍ମୀନାରାୟଣ ଅର୍ଥାତ ଠିଆକିଆ ବେଶରେ ଶ୍ରୀଜୀଉ ଦର୍ଶନ ଦେବେ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିବେ । କାର୍ତ୍ତିକ ମାସରେ ମହାପ୍ରଭୁ ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୁଷଳ ଓ  ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୋଇନଥାଏ । ହବିଷ୍ଯାଳି ମାନେ ଏକମାସ ଧରି କାର୍ତ୍ତୀକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚଦିନ ପଞ୍ଚୁକବ୍ରତ ପାଳନ କରିଥାନ୍ତି । ଧର୍ମମାସ କାର୍ତ୍ତୀକରେ ହବିଷ୍ଯାଳି ମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସହ ଶେଷ ପାଞ୍ଚଦିନରେ ପାଞ୍ଚୋଟି ବେଶ ଦର୍ଶନ କଲେ ପୁଣ୍ଯ ମିଳିଥାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ।

ସେପଟେ କୋରୋନା ଯୋଗୁଁ ଦୁଇବର୍ଷ ହେବ ଶ୍ରୀମନ୍ଦିରରେ କାର୍ତ୍ତିକ  ମାସରେ ଦର୍ଶନ ପାଇନଥିଲେ ଭକ୍ତ। ଏମିତିକି ପଞ୍ଚୁକରେ ସୁନାବେଶ ବି ଦର୍ଶନ କରିବାର ସୁଯୋଗ ପାଇନଥିଲେ। ମାତ୍ର ଚଳିତ ବର୍ଷ କାର୍ତ୍ତୀକ ମାସ ତମାମ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଥିଲେ ମଧ୍ୟ ଚନ୍ଦ୍ରଗ୍ରହଣ ଯୋଗୁଁ ସୁନାବେଶ ଦର୍ଶନ ପାଇବେନାହିଁ। ସେପଟେ ପଞ୍ଚୁକରେ ଗହଳିକୁ ଦୃଷ୍ଟିରେ ରଖି ମରଚିକୋଟ ଛକ ନିକଟରୁ ଲମ୍ବା ବେରିକେଡ ପ୍ରସ୍ତୁତ କରାଯାଇଛି। ଏଥିସହିତ ସ୍ୱତନ୍ତ୍ର ବେରିକେଡରେ ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ଯୋଗାଇଦିଆଯିବ। ସହାୟତା ପାଇଁ ଭଲ୍ଯୁଣ୍ଟିଅର ନିୟୋଜିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ସୁରକ୍ଷା ଦୃଷ୍ଟିରୁ କେବଳ ପଞ୍ଚୁକ ପାଞ୍ଚଦିନ ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପଞ୍ଚୁକ ପୂର୍ଣ୍ଣିମା ଦିନ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବାକୁ ଥିବାରୁ ଗହଳିକୁ ନଜରରେ ରଖି ସୁରକ୍ଷା କଡାକଡି କରାଯିବ ବୋଲି ଏସପି କହିଛନ୍ତି । 

ଆସନ୍ତାକାଲି ବଡଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଥିବା ବେଳେ ଦ୍ୱାଦଶୀରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ ରହିଛି । କାର୍ତ୍ତୀକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ରହିଥିବା ବେଳେ ଚଳିତ ବର୍ଷ ଏହି ବେଶ ଦର୍ଶନ ପାଇବେ ନାହିଁ ଭକ୍ତ ।