Lunar eclipse controversy, ପୁରୀ: ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର‌ ଗ୍ରହଣ ପଡ଼ୁଛି। ସେହିଦିନ ମହାପ୍ରଭୁଙ୍କ ସୁନାବେଶ ଅର୍ଥାତ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଏଣୁ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି। ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ଓ ପାକତ୍ଯାଗ ସମୟ ନିର୍ଘଣ୍ଟକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବେ ବି ବିବାଦରେ ରହିଛି। ତେବେ ଏହି ଦିନ କେଉଁ ସମୟରେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ, ତାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ଚନ୍ଦ୍ର‌ ଗ୍ରହଣ ଦିନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଶ୍ରୀମନ୍ଦିର ପ୍ରଶାସନ ଚୂଡ଼ାନ୍ତ ନୀତିକାନ୍ତିରେ ଉଲ୍ଲେଖ କରିଛି। କିନ୍ତୁ ଜ୍ୟୋତିର୍ବିଦ୍‌ମାନେ ସୂଯ୍ୟୋଦୟଠୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜ ତ୍ରୁଟି ସୁଧାରିବାକୁ ନିଷ୍ପତ୍ତି ନେଇଛି। ଚୂଡ଼ାନ୍ତ ନୀତିକାନ୍ତି ସମୟର ପରିବର୍ତ୍ତନ କରିବାକୁ ଦୁଇ ତିନିଦିନ ମଧ୍ୟରେ ଛତିଷାନିଯୋଗ ବୈଠକ ଡାକାଯାଇ ତୃଟି ସଂଶୋଧନ କରାଯିବ। ତେବେ ଶ୍ରୀମନ୍ଦିର ପ୍ରଶାସନର ତ୍ରୁଟିଯୁକ୍ତ ନୀତି ନିର୍ଘଣ୍ଟ ଯୋଗୁଁ ସାଧାରଣରେ ଦ୍ୱନ୍ଦ ଉପୁଜିଛି। ଶ୍ରୀମନ୍ଦିର ନିଜ ପକ୍ଷରୁ ଅଭିଜ୍ଞ ପଣ୍ଡିତଙ୍କୁ ନେଇ ନିଜସ୍ୱ ଏକ ପଞ୍ଜିକା ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଛି।


Also Read: Chhath Puja 2022: ଛଟ୍ ପୂଜାର ତୃତୀୟ ଦିନ, ବ୍ରତଧାରୀ ଜାଣି ରଖନ୍ତୁ ପୂଜାର ଶୁଭ ମୁହୂର୍ତ୍ତ


କାର୍ତ୍ତିକ ପୁର୍ଣ୍ଣମୀ ଦିନ ମହାପ୍ରଭୁଙ୍କ ଦୁର୍ଲ୍ଲଭ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଦୁଇବର୍ଷ ହେବ କୋରୋନା ମହାମାରୀ ଯୋଗୁଁ ଏହି ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ। ହେଲେ ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ରୁଟିଯୁକ୍ତ ନୀତି ନିର୍ଘଣ୍ଟ ଭକ୍ତଙ୍କୁ ଅଡୁଆରେ ପକାଇଛି। ତେବେ ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ତ୍ରୁଟିଶୁନ୍ଯ ନୀତି ନିର୍ଘଣ୍ଟ କରିବାକୁ ନିଷ୍ପତ୍ତି କରାଯାଇଛି। ଜ୍ୟୋତିର୍ବିଦଙ୍କ ଅନୁସାରେ, ସୂଯ୍ୟୋଦୟ ପରଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି, ତେଣୁ ଏହା ପୂର୍ବରୁ ହିଁ ସବୁ ନୀତିକାନ୍ତି ସରିବ। 


ସୂଯ୍ୟୋଦୟ ପୂର୍ବରୁ ପ୍ରଥମ ଭୋଗମଣ୍ଡପ ଉଠିବ। ‌ସୂର୍ଯ୍ୟ ପରାଗରେ ଯେଭଳି ରାତିରୁ ମହାପ୍ରସାଦ ପ୍ରସ୍ତୁତି ହୋଇଥିଲା, ଚନ୍ଦ୍ର ଗ୍ରହଣରେ ବି ସେଭଳି କରାଯିବ। ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ ହୋଇ ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହେବ। ଏହିଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି, ସେ ଦୃ୍ଷ୍ଟିରୁ ଦେବନୀତି ନିଷେଧ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ ନୀତି ସଂପନ୍ନ ହେବ। ପୂର୍ବଦିନ ରାତିରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ। ଯଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ। ସୂର୍ଯ୍ଯୋଦୟ ପୂର୍ବରୁ ପାକତ୍ଯାଗ, ଦେବନୀତି ଓ ଡଙ୍ଗା ଭଷାଣ ଆଦି ଶେଷ କରାଯିବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରୀପାଠି କହିଛନ୍ତି।


Also Read: Kedarnath Temple: ଆଜିଠୁ ବାବା କେଦାରନାଥଙ୍କ କବାଟ ବନ୍ଦ, ମନ୍ଦିର ଗର୍ଭଗୃହରେ ଲାଗିଲା ସୁନା


ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦିତ ନୀତିକାନ୍ତି ଅନୁଯାୟୀ ମଙ୍ଗଳବାର ସକାଳ ୮ଟା ୨୯ ମିନିଟ୍‌ଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏହିଦିନ ଅପରାହ୍ଣ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ସେହି ଅନୁଯାୟୀ ଶ୍ରୀମନ୍ଦିର ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ପୂର୍ବଦିନ ରାତି ୧୨ଟାରେ ଦ୍ବାର ଫିଟା ପରେ ୧୨ଟା ୨୫ରେ ଭିତରଶୋଧ, ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ୧୨ଟା ୫୦ରେ ମଇଲମ ଓ ତଡ଼ପଲାଗି, ୧ଟା ୩୦ରେ ଅବକାଶ, ୨ଟାରେ ରୋଷହୋମ, ୨ଟା ୪୦ରେ ସୂର୍ଯ୍ୟ ପୂଜା, ରାତି ୩ଟାରେ ଦ୍ବାରପାଳ ପୂଜା ଓ ରାଜାଧିରାଜ ବେଶ, ୩ଟା ୩୦ରେ ଗୋପାଳବଲ୍ଲଭ, ୩ଟା ୫୦ରୁ ୪ଟଶ ୫୦ ସକାଳ ଧୂପ (କୋଠଭୋଗ), ୫ଟାରେ ଭୋଗମଣ୍ଡପ ଉଠିବ, ସାଢ଼େ ୫ଟାରେ ବାଳଧୂପ, ୫ଟା ୪୦ରେ ବନ୍ଦାପନା, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ, ୭ଟା ୪୦ରେ ମଇଲମ ନୀତି କରିବାକୁ ଚୂଡ଼ାନ୍ତ କରାଯାଇଛି।


ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶଙ୍କ ମତରେ ପୂର୍ଣ୍ଣମୀ ଦିନ ଅପରାହ୍ଣ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଏହିଦିନ ସୂର୍ଯ୍ୟଦୟଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ ହେବ। ଏଣୁ ସୂର୍ଯ୍ୟଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରିବେ। ପରେ ସବୁ ମାରା ବୋଲି ଧରାଯିବ। ଶ୍ରୀମନ୍ଦିର ପ୍ରଶାସନ ଯେଉଁ ନୀତି ଚୂଡ଼ାନ୍ତ କରିଛି ସେଥିରେ ତ୍ରୁଟି ଥିବା ଡ. ଦାଶ ଦର୍ଶାଇଥିଲେ। ଏହାକୁ ନେଇ ଦିନତମାମ ଚର୍ଚ୍ଚା ଚାଲିବା ପରେ ଶ୍ରୀମନ୍ଦିର ପ୍ରଶାସନ ତ୍ରୁଟି ସୁଧାରିବାକୁ ନିଷ୍ପତ୍ତି ନେଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସମୟ ବଦଳିଲେ ଭକ୍ତମାନେ କେତେ ସମୟ ଧରି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୁଯୋଗ ପାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।