India South Africa Hockey Match Result: ବିଜୟ ସହ ୨୦୨୩ ବିଶ୍ୱକପ ଅଭିଯାନ ଶେଷ କରିଛି ଭାରତ। ନବମରୁ ଦ୍ୱାଦଶ ସ୍ଥାନ ପାଇଁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତ ଦକ୍ଷିଣ  ଆଫ୍ରିକାକୁ ୫-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି।  କ୍ରସଓଭର ମୁକାବିଲାରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ପାଖରୁ ପରାସ୍ତ ହୋଇଥିଲା। ଏହା ପରେ ଦଳ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଜାପାନକୁ ୮-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ବର୍ତ୍ତମାନ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ୫-୨ ଗୋଲ ବ୍ୟବଧାନରେ ବିଜୟୀ ହୋଇଛି। ଏହି ବିଜୟ ସହିତ ଭାରତୀୟ ଦଳ ୨୦୨୩ ବିଶ୍ୱକପରେ ନବମ ସ୍ଥାନରେ ରହିଛି। 


COMMERCIAL BREAK
SCROLL TO CONTINUE READING

ଜାନୁଆରୀ ୨୮ ତାରିଖ ଶନିବାର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଥିଲେ ଭାରତ-ଦକ୍ଷିଣ ଆଫ୍ରିକା। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତୀୟ ଦଳ ପ୍ରଥମ କ୍ୱାର୍ଟରରେ ଦୁଇଟି ଗୋଲ୍ ସ୍କୋର କରିଥିଲା। ଚତୁର୍ଥ ମିନିଟରେ ଅଭିଷେକଙ୍କ ଗୋଲ ଦେଇ ଭାରତୀୟ ଦଳ ଖାତା ଖୋଲିଥିଲା। ଏହା ପରେ ଏକାଦଶ ମିନିଟରେ ଦଳ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ଭାରତ ପକ୍ଷରୁହରମାନପ୍ରୀତ ସିଂହ ଗୋଲ ସ୍କୋର କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା ଭଲ ଖେଳିଥିଲା। ଭାରତ ତିନୋଟି ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ହେଲେ ଦଳ ଗୋଟିଏ ଗୋଲ ସ୍କୋର କରିପାରି ନଥିଲା।


ତୃତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ୪୪ତମ ମିନିଟରେ ଶମଶେର ସିଂହ ଭାରତୀୟ ଦଳ ପାଇଁ ଗୋଲ ସ୍କୋର କରିଥିଲେ ଏବଂ ଦଳ ୩-୦ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟରର ୪୮ ତମ ମିନିଟରେ ଆକାଶ ଦୀପ ସିଂହଙ୍କ ଗୋଲ ବଳରେ ଭାରତ ୪-୦ ଗୋଲ ବ୍ୟବଧାନରେ ଆଗୁଆ ରହିଥିଲା। କିନ୍ତୁ କିଛି ସମୟ ପରେ ମିୱିମ୍ବି ସାମକେଲୋ ଦକ୍ଷିଣ ଆଫ୍ରିକା ପାଇଁ ସ୍କୋର କରିଥିଲେ। ମ୍ୟାଚ୍ ଶେଷ ହେବା ପୂର୍ବରୁ ସୁଖଜିତ ସିଂହ ୫୮ ତମ ମିନିଟରେ ଭାରତ ପାଇଁ ପଞ୍ଚମ ଗୋଲ ଦେଇଥିଲେ। ୫୯ ତମ ମିନିଟରେ ଦକ୍ଷିଣ ଆଫ୍ରିକା ପାଇଁ କାସିମ ମୁସ୍ତାଫା ଗୋଲ ଦେଇଥିଲେ। ଏହି ଗୋଲ ପେନାଲ୍ଟି ଷ୍ଟ୍ରାଇକ ଜରିଆରେ ମିଳିଥିଲା। 


ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ୧୭ ହକି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ଭାରତୀୟ ଦଳ ୧୨ ମ୍ୟାଚ ଜିତିଛି। ଅନ୍ୟପଟେ ଆଫ୍ରିକା କେବଳ ଗୋଟିଏ ମ୍ୟାଚ୍ ଜିତିଛି। ବାକି ଚାରୋଟି ମ୍ୟାଚ୍ ଡ୍ର ରହିଛି।