ନବରଙ୍ଗପୁର: ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ହେଉଥିବା ସମୟରେ ଚୋରାଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ୩ ଜଣ ବ୍ୟକ୍ତି ଜଙ୍ଗଲରୁ ବଜ୍ରକାପ୍ତା (pangolin ) ଧରି ଚୋରା ଚାଲାଣ କରିବା ସମ୍ପର୍କରେ ବନ ବିଭାଗକୁ କୌଣସି ସୁତ୍ରରୁ ଖବର ପହଞ୍ଚିଥିଲା ।  ଏହାପରେ ବନ ବିଭାଗ (Forest department) ଟିମ୍ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଏଥିସହ ବନ ବିଭାଗ ଅଧିକାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିର ବୟସ ୪ରୁ ୫ ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି । ଓଜନ ପ୍ରାୟ ସାଢେ ୭କେଜି ହେବ । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରି ଏହି ଚଢାଉ କରିଥିଲେ । ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ହେବା ସମୟରେ ହିଁ ଏହି ଚଢାଉ ହୋଇଥିଲା । ପୂର୍ବରୁ ଯୋଜନା ମୁତାବକ ଡିଲ୍ ହେବା ସ୍ଥାନ କୋଡ଼ିଙ୍ଗା ବନାଞ୍ଚଳ ଅଧିନସ୍ଥ ଦେଓଡ଼ଙ୍ଗରି ଜଙ୍ଗଲରେ ଛକି ରହିଥିଲେ ବନ ଅଧିକାରୀ ଟିମ୍ । ସେଠାରେ ଏକ ବାଇକ୍ ସାହାଯ୍ୟରେ ୩ ବ୍ୟକ୍ତି ବଜ୍ରକାପ୍ତାକୁ ବ୍ୟାଗରେ ଭର୍ତ୍ତି କରି ପହଞ୍ଚିଥିଲେ । ୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତାଟିକୁ ବିକ୍ରି କରିବା ନେଇ ମୁଲଚାଲ ହୋଇଥିବା ଜଣାପଡିଥିଲା । ବଜ୍ରକାପ୍ତା ଚୋରା ଚାଲାଣରେ ଧରାପଡିଥିବା ୩ଜଣ ଅଭିଯୁକ୍ତଙ୍କ ଘର କୋରାପୁଟର ବିଭିନ୍ନ ଅଞ୍ଚଳରେ । ସେମଧ୍ୟରୁ ଅଭିଯୁକ୍ତ ମାଧବ ମୁଦୁଲିର ଘର ଓଉଗୁଡାରେ ହୋଇଥିବାବେଳେ ତୁଳାରାମ ହରିଜନର ଘର ତାରାଗାଁ ଅଞ୍ଚଳରେ । ସେହିପରି ଅନ୍ୟତମ ଅଭିଯୁକ୍ତ ଘାସି ଟାକ୍ରିର ଘର ମାଝୀଗୁଡା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଏଥିସହ ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିଦିଆଯାଇଛି ।


Also Read- Railway Minister Ashwini Vaishnaw: ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ


Also Read- Bargarh dhanu yatra 2024: ରାତି ପାହିଲେ ବରଗଡ଼ ଧନୁଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି