Odisha News: ମୃତ ବ୍ୟକ୍ତିଙ୍କ ନାମରେ ବଞ୍ଚିଥିବା ଦର୍ଶାଇ ଭତ୍ତା ଟଙ୍କା ମାସ ମାସ ଧରି ଉଠାଯାଉଥିବା ଘଟଣା ପୁର୍ବରୁ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ବଞ୍ଚିଥିବା ଅବସ୍ଥାରେ ମୃତ ଘୋଷଣା କରି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉନଥିବା ଅଭିଯୋଗ ଆସିଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲି ନିତି ଯୋଗୁଁ ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ସଭ୍ୟ ସମାଜରେ ପୁଣି ଘଟିଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲି ଗ୍ରାମପଞ୍ଚାୟତର ଲୁଡ୍ରୁ ଗ୍ରାମର ଜଣେ ୭୩ ବୟସ୍କା ବୃଦ୍ଧାଙ୍କୁ ବଞ୍ଚିଥିବା ଅବସ୍ଥାରେ ମୃତ ଘୋଷଣା କରି ଭତ୍ତା ଟଙ୍କା ତାଲିକାରୁ ନାମ କାଟିଦେଇଛନ୍ତି ସରକାରୀ ବାବୁମାନେ।


COMMERCIAL BREAK
SCROLL TO CONTINUE READING

ବୃଦ୍ଧ ମହିଳା ଜଣଙ୍କ ହେଲେ ମାଣିକ ନାୟକ। ସେ ସଠିକ ଭାବେ ଚାଲିବୁଲି ପାରୁନଥିବା ବେଳେ ହାତ ଧରି ଚଲାଇଲେ ଚାଲୁଛନ୍ତି । କିନ୍ତୁ ତାଙ୍କୁ ଏବେ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରିଦିଆଯାଇଛି । ଯାଫଳରେ ଦୀର୍ଘ ୬ ମାସ ହେବ ଭତ୍ତା ପାଇପାରୁ ନଥିବା ଅଭିଯୋଗ କରିଛନ୍ତି । ମାଣିକ ନାୟକ ନିଜ ଗ୍ରାମରେ ଲୁଡ୍ରରେ ରହି ପୁର୍ବରୁ ଭତ୍ତା ପାଉଥିଲେ । କିନ୍ତୁ ଦେହ ଅସୁସ୍ଥ କାରଣରୁ ଚନ୍ଦ୍ରଗିରି ଗ୍ରାମ ସ୍ଥିତ ତାଙ୍କ ପୁଅ ମିଲନ୍ ନାୟକଙ୍କ ପାଖରେ ଆସି କିଛି ଦିନ ହେବ ରହୁଛନ୍ତି । ଚନ୍ଦ୍ରଗିରି କାନାରା ବ୍ୟାଙ୍କରେ ଥିବା ମାଣିକଙ୍କ ଏକାଉଣ୍ଟ୍ କୁ ଭତ୍ତା ଟଙ୍କା ଆସୁଥିଲା । କିନ୍ତୁ କିଛି ମାସ ହେବ ଆଉ ଟଙ୍କା ନଆସିବାରୁ ମାଣିକଙ୍କ ପୁଅ ମୋହନା ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ କାର୍ଯ୍ୟାଳୟରେ ଚଳିତ ମାସ ୧୯ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ଭତ୍ତା ନପାଇବାର କାରଣ ପଚାରିଥିଲେ। ତେବେ ମାଣିକ ନାୟକଙ୍କୁ ପଞ୍ଚାୟତ ସ୍ତରରେ ମୃତ ଘୋଷଣା କରାଯାଇଥିବାରୁ ତାଙ୍କ ଭତ୍ତା କଟିଯାଇଛି ବୋଲି ଲିଖିତ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ।


ମାଣିକ ନାୟକ ଜୀବିତ ଥାଉ ଥାଉ ତାଙ୍କୁ ମୃତ ଘୋଷଣା କରାଯାଇଥିବା ଯୋଗୁଁ ହତବାକ୍ ହୋଇଯାଇଛନ୍ତି ଉଭୟ ମାଁ ପୁଅ । ତେଣୁ ଯେଉଁ ଅଧିକାରୀ ମାନେ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ପ୍ରତି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ଼ଞ୍ଚିଥିବା ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ତୁରନ୍ତ ତ୍ତତ୍ତା ଟଙ୍କା ଯୋଗଦେଇବାକୁ ଦାବି କରିଛନ୍ତି ପୁଅ ମିଲନ୍ ନାୟକ। ଏଭଳି ଘଟଣା ଯେ କେବଳ ଯେ ମାଣିକଙ୍କ କ୍ଷେତ୍ରରେ ନୁହେଁ ବରଂ ମୋହନା ବ୍ଲକର ଅନେକ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ହିତାଧିକାରୀ ଙ୍କୁ ଭତ୍ତା ସଠିକ ଭାବେ ମିଳିପାରୁନଥିବା ଅଭିଯାଗ ହୋଇଛି।


ଏ ସମ୍ପର୍କରେ ମୋନହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବରଙ୍କୁ ପଚାରିବାରେ ତଦନ୍ତ କରି ତୁରନ୍ତ ଭତ୍ତା ଯୋଗାଇଦିଆଯିବ ବୋଲି କହିଛନ୍ତି। ସରକାର ବୃଦ୍ଧା, ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ ମାନଙ୍କୁ ମାସିକ ଭତ୍ତା ଯୋଗାଇବା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ ସମୟରେ ପ୍ରାଥମିକ ସ୍ତରରେ ଥିବା କିଛି ଜନନେତା ହୁଅନ୍ତୁ ବା ସରକାରୀ ବାବୁଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁଁ ଏହି ଯୋଜନା ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନଥିବା ବେଳେ ଜୀବିତ ଥିବା ବୃଦ୍ଧିଙ୍କୁ ମୃତ ଦର୍ଶାଇ ଭତ୍ତା ଟଙ୍କା କାଟିଦିଆଯାଇଥିବା ଘଟଣା ଏବେ ଅଞ୍ଚଳରେ ଖୁବ ଆଲୋଡନ ସୃଷ୍ଟି କରିଛି ।