Arindam Roy: ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓଡ଼ିଶା ଗସ୍ତରେ ରହିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବଙ୍କୁ ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ତଥା ବିଜେଡ଼ି ନେତା ଅରିନ୍ଦମ ରୟ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଗତକାଲି ଅର୍ଥାତ ଜାନୁଆରୀ ୭, ୨୦୨୪ ତାରିଖରେ ଶ୍ରୀ ବୈଷ୍ଣବଙ୍କ ସହିତ ଏକ ରୁଦ୍ଧ ଦ୍ୱାର ବୈଠକ କରିଥିଲେ ଅରିନ୍ଦମ। ଯାହା ପରେ କଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏପରିକି ଅରିନ୍ଦମ ଖୁବ ଶୀଘ୍ର ବିଜେପିରେ ଯୋଗଦେବା ନେଇ ମଧ୍ୟ ରାଜନୈତିଜ୍ଞ ବିଶେଷଜ୍ଞମାନେ ଅନୁମାନ କରିବା ଆରମ୍ଭ କରିଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ୨୦୦୯ ମସିହାରୁ ବିଜେଡ଼ିରେ ଯୋଗ ଦେଇଥିଲେ ମଧ୍ୟ ଦଳରେ ସେଭଳି ଦବଦବା ଜାହିର କରିପାରିନାହାନ୍ତି ଅରିନ୍ଦମ। ମାତ୍ର ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭଉଣୀ ଅନୁପା ଦାସଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ। ଫଳରେ ୨୦୧୬ ପରେ ସେ ସଂଗଠନରେ କିଛି ମାତ୍ରାରେ ସକ୍ରିୟ ହୋଇଉଠିଥିଲେ। ତାଙ୍କର ଉପସ୍ଥିତିକୁ ଜାହିର କରିବାକୁ ପ୍ରୟାସ କରିଥିଲେ ଅରିନ୍ଦମ। ଦଳ ପାଇଁ ବେଶ ଝାଳବୁହା ପରିଶ୍ରମ କରିଥିଲେ ସେ। କଟକରେ ସାଂଗଠନିକ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିବା ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଟକ ଲୋକସଭା ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ସହିତ ମିଶିଥିଲେ। ଅରିନ୍ଦମଙ୍କ ସକ୍ରିୟତା ଦେଖି ସେହି ସମୟରେ ତାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ହୋଇଥିଲା। କିନ୍ତୁ ଟିକେଟ ନ ପାଇ ସେ ନିରାଶ ହୋଇଥିଲେ। 


୨୦୧୯ ସାଧାରଣ ନିର୍ବାଚନ ପରେ ମଧ୍ୟ ରାଜ୍ୟରେ ଉପନିର୍ବାଚନ ଓ ମେୟର ଏବଂ କର୍ପୋରେଟର ନିର୍ବାଚନ ହୋଇଛି। ମାତ୍ର ଏ ସବୁ ନିର୍ବାଚନରେ ତାଙ୍କୁ କୌଣସି ଟିକେଟ ଦେଇନଥିଲା ଦଳ। ମାତ୍ର ମେୟର ନିର୍ବାଚନ ପୂର୍ବରୁ ୨୦୨୨ ମସିହାରେ ଅରିନ୍ଦମଙ୍କୁ ଦଳ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା। ମେୟର ପଦବୀ ପାଇଁ ଅରିନ୍ଦମଙ୍କୁ ନେଇ ଉଭୟ ରାଜନୈତିକ ବିଶେଷଜ୍ଞ ଓ ରାଜନେତାମାନେ ଅଙ୍କକଷା ଆରମ୍ଭ କରିଦେଇଥିଲେ। ଅରିନ୍ଦମ ମଧ୍ୟ ମେୟର ପଦ ପାଇଁ ଆଶାୟୀ ଥିବା ନେଇ ତାଙ୍କର ନିକଟତମ ସୂତ୍ରରୁ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେହି ସମୟରେ ମଧ୍ୟ ସେ ନିରାଶ ହୋଇଥିଲା। 


ଫଳରେ ଦୀର୍ଘ ଦିନରୁ ଅରିନ୍ଦମ ଏକ ପ୍ରକାର ଅଲୋଡା ହୋଇ ପଡ଼ିଛନ୍ତି। କିଛି ଦିନ ପୂର୍ବରୁ ସେ କଥା ଛଳରେ ମଧ୍ୟ ନିଜ ଅସନ୍ତୋଷ ବଖାଣିଥିଲେ। ସେ କଥା ଛଳରେ କହିଥିଲେ କି ଯଦି ଆମେ ଦଳୀୟ କାମରେ ନ ଆସିବୁ ତେବେ ଦଳରେ କାହିଁକି ରହିବୁ। ତାଙ୍କର ଏହି ପଦକ କଥା ସେହି ସମୟରେ ରାଜନୀତି ନିଆଁରେ ଘିଅ ଢାଳିଥିଲା। ପରେ କାଁ ଭାଁ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢିଛି।