କୋରାପୁଟ: କୌଣସି ନା କୌଣସି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି କୋଟିଆ । ଏଥରର ଚର୍ଚ୍ଚା ଆନ୍ଧ୍ରର ଅନୁପ୍ରବେଶକୁ ନେଇ ନୁହେଁ ବରଂ କୋଟିଆ ଏଥର ଚର୍ଚ୍ଚାକୁ ଆସିଛି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ । କୋଟିଆର ଅନେକ ଗ୍ରାମରେ ଲୋକେ ଜ୍ବରରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି । ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ କରାଯାଇଛି । ଦମନ କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆର ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମ୍ପ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି।


COMMERCIAL BREAK
SCROLL TO CONTINUE READING

୩ ଦିନ ଧରି ଆନ୍ଧ୍ର ସୀମାବର୍ତି ଦୁଇ ଗ୍ରାମ ଫାଟୁ ସିନେରି ଓ ଫଗୁଣ ସିନେରିରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇଥିଲା । ସେଥିରେ ସ୍ଥାନୀୟ ଲୋକଙ୍କ ରକ୍ତ ପରୀକ୍ଷା କରା ଯାଇଥିଲା। ଫାଟୁ ସିନେରି ଗ୍ରାମରେ ମୋଟ ଜନସଂଖ୍ୟା ୨୨୦ ରହିଥିବାବେଳେ ସେମଧ୍ୟରୁ ୨୧୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରା ଯାଇଥିଲା। ସେଥି ମଧ୍ୟରୁ ୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣା ପଡିଥିଲା। ଆକ୍ରାନ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ ଲକ୍ଷଣ ବିହୀନ ଏବଂ ଜଣେ ଲକ୍ଷଣ ଯୁକ୍ତ ଭାବେ ଚିହ୍ନଟ ହୋଇଥିଲେ। ସେହିପରି ଫଗୁଣ ସିନେରି ଗ୍ରାମରେ ମୋଟ ଜନସଂଖ୍ୟା ୩୪୧ ରହିଥିବାବେଳେ ୩୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୫ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣା ପଡିଥିଲା। ତେବେ ଚିହ୍ନଟ ସମସ୍ତ ୫ ଜଣ ଲକ୍ଷଣ ବିହୀନ ରହିଥିବା ଜିଲ୍ଲା ମ୍ୟାଲେରିଆ ଅଧିକାରୀ କହିଛନ୍ତି।


ଏହି ଦୁଇ ଗ୍ରାମ ବ୍ୟତୀତ କୋଟିଆ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଆସନ୍ତା କାଲି ଠାରୁ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯିବ। ଦୁଇଟି ଗାଆଁରୁ ଚିହ୍ନଟ ୯ ଜଣଙ୍କ ମଧ୍ୟରୁ ୮ ଜଣ ଲକ୍ଷଣ ବିହୀନ ରୋଗୀ ଥିବାରୁ ଅନ୍ୟାନ୍ୟ ଗ୍ରାମରେ ରକ୍ତ ପରୀକ୍ଷା କରାଗଲେ ଅନେକ ଲକ୍ଷଣ ବିହୀନ ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇ ପାରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କିଛି ଦିନ ଧରି କୋରାପୁଟ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ କୋଟିଆ ସମେତ ଆଖ ପାଖ ଗ୍ରାମରେ ଅନେକ ଲୋକ ଥଣ୍ଡା ଜନିତ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ମ୍ୟାଲେରିଆରେ ମୋଟ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ସ୍ପଷ୍ଟ ହେବ।


ରିପୋର୍ଟ- କୋରାପୁଟରୁ ନିରୋଜ ଶତପଥୀ


Also Read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର


Also Read- Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ