Ratna Bhandar: ଆଜି ଖୋଲିବ ରତ୍ନ ଭଣ୍ଡାର, ମୁଖ୍ୟ ପ୍ରଶାସକଙ୍କ ହାତରେ ସବୁ ଦାୟିତ୍ୱ ନ୍ୟସ୍ତ କଲେ ସରକାର
Ratna Bhandar: ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାର ଆଜି ଖୋଲାଯିବ। କିନ୍ତୁ କେତେବଳେ ସମୟ ନିର୍ଘଣ୍ଟ ହେବ ତାହା ମୁଖ୍ୟ ପ୍ରଶାସକ ସ୍ଥିର କରିବେ। ସେବାୟତ ଓ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଶୁଭ ସମୟ ସ୍ଥିର କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ କହିଛନ୍ତି।
Ratna Bhandar: ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାର ଆଜି ଖୋଲାଯିବ। କିନ୍ତୁ କେତେବଳେ ସମୟ ନିର୍ଘଣ୍ଟ ହେବ ତାହା ମୁଖ୍ୟ ପ୍ରଶାସକ ସ୍ଥିର କରିବେ। ସେବାୟତ ଓ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଶୁଭ ସମୟ ସ୍ଥିର କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ କହିଛନ୍ତି। ଶନିବାର ରାତିରେ ଏଥିନେଇ ଉଚ୍ଚ କ୍ଷତା ସମ୍ପନ୍ନ କମିଟି ଦେଇଥିବା ସାଧାରଣ କାର୍ଯ୍ୟ ନିର୍ବାହ ନୀତିକୁ ସରକାର ଅନୁମୋଦନ ଦେଇଛନ୍ତି। ଶ୍ରୀମନ୍ଦିରର ପରମ୍ପରା, ନୀତି ଏହାଦ୍ୱାରା ଯେମିତି କ୍ଷୁର୍ଣ୍ଣ ହେବ ନାହିଁ ସେ ନେଇ ବିଶେଷ ଧ୍ୟାନ ଦିଆଯାଇଥିବା ସେ କହିଛନ୍ତି। ସରକାରଙ୍କ ଅନୁମୋଦନ ପରେ ବିଳମ୍ବିତ ରାତିରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସଦସ୍ୟ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରି ଯେଉଁଠି ଅସ୍ଥାୟୀ ଭାବେ ରତ୍ନ ଓ ଅଳଙ୍କାରକୁ ରଖାଯିବ ତାହା ଅନୁଧ୍ୟାନ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମରେ ମା’ ବିମଳାଙ୍କ ଆଶୀର୍ବାଦ ନିଆଯିବ। ଏହାପରେ ଶ୍ରୀ ଲୋକନାଥଙ୍କ ଆଜ୍ଞାମାଳ ଅଣାଯାଇ ଭିତର ଭଣ୍ଡାର ଖୋଲିବାକୁ ନିର୍ଦ୍ଧାରଣ କରାଯିବ। ଏହି କାର୍ଯ୍ୟ ପ୍ରାୟ ଅପରାହ୍ଣରେ ଆାମ୍ଭ ହେବ ବୋଲି ସୂଚନା ମିଳିଛି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସୂଚନା ଅନୁସାରେ, ଯେଉଁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟରେ ବିଭିନ୍ନ ପର୍ଯ୍ୟାୟ ରହିଛି। ଯେଉଁ ପର୍ଯ୍ୟାୟ ପାଇଁ ଯେଉଁ ବିଶେଷଜ୍ଞଙ୍କ ଆବଶ୍ୟକ ତାହାଙ୍କୁ ଚିହ୍ନଟ କରାଯାଇଛି। କେବଳ ସେହି ଚିହ୍ନିତ ବ୍ୟକ୍ତି, ପ୍ରାଧିକୃତ ସେବାୟତ, ପରିଚାଳନା କମିଟି ଓ ଉଚ୍ଚ କ୍ଷମତାପନ୍ନ କମିଟିର ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟ ସମାପନ କରାଯିବ। ଏହି ସମୟରେ ଗହଳିକୁ ଏଡ଼ାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏପରିକି ରିଜର୍ଭ ବ୍ୟାଙ୍କର ଅଧିକାରୀଙ୍କୁ ମଧ୍ୟ ସବ୍ କମିଟିରେ ସାମିଲ୍ କରାଯାଇଥିବା ଶ୍ରୀ ହରିଚନ୍ଦନ କହିଛନ୍ତି।
ରତ୍ନଭଣ୍ଡାର ଖୋଲାଯିବା ପରେ ପ୍ରଥମେ ବନ୍ଦ ଥିବା ସିନ୍ଧୁକ ଏବଂ ଅନ୍ୟ ବାକ୍ସ ଗୁଡ଼ିକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ନୂଆ ବାକ୍ସ ବ୍ୟବହାର କରାଯାଇ ତାକୁ ତାଲା ପକାଯିବ। ଦ୍ୱିତୀୟ କାର୍ଯ୍ୟ ସ୍ୱରୂପ ଭିତର ଗଣତିର ଘରର ସ୍ଥିତି ଯାଞ୍ଚ ହେବ। ମରାମତି ପାଇଁ ଏଏସ୍ଆଇ ଅନୁଧ୍ୟାନ କରିବା ପରେ କେତେଦିନ ମରାମତି ପାଇଁ ଆବଶ୍ୟକ ଏବଂ କି ପ୍ରକାର ପଦକ୍ଷେପ ନିଆଯିବ ସେ ବାବଦରେ ତର୍ଜମା କରାଯିବ। ତୃତୀୟ ପଦକ୍ଷେପ ସ୍ୱରୂପ ଗଣତି ମଣତି କରାଯିବ ଏବଂ ଏହାକୁ ପୂର୍ବ ରେକର୍ଡ ଅନୁସାରେ ମେଳକ କରାଯିବ। ଏହାପରେ ମରାମତି ଓ ସ୍ଥାନାନ୍ତର କରାଯିବ।
ଏଠାରେ ସୂଚନା ଦିଆଯାଇପାରେ ଯେ, ଶ୍ରୀ ଜଗନ୍ନାଥଙ୍କ ତିନୋଟି ରତ୍ନ ଭଣ୍ଡାର ରହିଛି। ଗୋଟିଏ ହେଉଛି ଚଳନ୍ତି ରତ୍ନ ଭଣ୍ଡାର ଯେଉଁଥିରେ ଦୈନନ୍ଦିନ ନୀତି କାନ୍ତି ପାଇଁ ଆବଶ୍ୟକ ଅଳଙ୍କାର ରଖାଯାଇଛି। ଦ୍ୱିତୀୟରେ ସ୍ବତନ୍ତ୍ର ବେଶ ପାଇଁ ଆବଶ୍ୟକ ପଡ଼ୁଥିବା ଅଳଙ୍କାର, ଯାହା ବାହାର ରତ୍ନ ଭଣ୍ଡାରରେ ରଖାଯାଇଛି। କିନ୍ତୁ ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାର ପ୍ରଭୁଙ୍କ ବ୍ୟବହାରରେ ଏଯାଏ ଆସିନାହିଁ। ଏହାକୁ ଶେଷ ଥର ପାଇଁ ୧୯୭୮ ମସିହାରେ ଗଣତି କରାଯାଇଥିଲା। ସେତେବେଳେର ହିସାବ ଅନୁସାରେ ତିନୋଟିଯାକ ଭଣ୍ଡାରରେ ସମୁଦାୟ ୪୫୪ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର, ୨୨ହଜାର ୧୫୩ ଭରିର ରୂପା ଅଳଙ୍କାର ରହିଛି। ଏହାବାଦ ହୀରା, ମୋତି, ମାଣିକ ସଜ୍ଜିତ ଅଳଙ୍କାର ମଧ୍ୟ ରହିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି।
ପୂର୍ବ ନିର୍ଦ୍ଧାରଣ ଅନୁସାରେ ୧୯ ତାରିଖରେ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଅର୍ଥାତ୍ ୫ ଦିନ ଭିତରେ ଯଦି କାର୍ଯ୍ୟ ନସରେ ତେବେ ମରାମତି ପାଇଁ ଅଧିକ ସମୟ ନିଆଯିବ। ଠାକୁର ଶ୍ରୀମନ୍ଦିର ଭିତରେ ଥିବା ବେଳେ ନୀତି କାନ୍ତିକୁ ସଅଳ କରି ମରାମତି କାର୍ଯ୍ୟ ଅପରାହ୍ଣରେ କରିବା ଲାଗି ଯୋଜନା କରାଯାଇଛି। ଅର୍ଥାତ୍ ରାତି ୪ଟାରୁ ପ୍ରଭୁଙ୍କ କବାଟ ଖୋଲି ନୀତି କାନ୍ତି ଆରମ୍ଭ ହେବ। ଅପରାହ୍ଣ ୧ଟା ସୁଦ୍ଧ ସମସ୍ତ ନୀତି କାନ୍ତି ଶେଷ ହେବ। ୧ଟାରୁ ୫ଟା ଯାଏ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ମରାମତି ଲାଗି ଶ୍ରମିକ ଓ ବିଶେଷଜ୍ଞ ପ୍ରବେଶ କରିବେ। ଏହି ସମୟରେ କାର୍ଯ୍ୟ ଶେଷ କଲାପରେ ଅପରାହ୍ଣ ୫ଟାରୁ ପୁଣିଥରେ ସାନ୍ଧ୍ୟକାଳୀନ ନୀତି ଆରମ୍ଭ ହେବା ସମ୍ଭାବନା ରହିଛି।
୧୯୭୮ ମସିହାରେ ରତ୍ନ ଭଣ୍ଡାରରର ଗଣତି ଭଣତି ହୋଇଥିଲା। ଏହାପରେ ଏବେଯାଏ ତାହା ବନ୍ଦ ଅବସ୍ଥାରେ ରହିଛି। ଏହାର ଚାବି ତିନିଜଣଙ୍କ ପାଖରେ ରହିଛି। ଗୋଟିଏ ଚାବି ଗଜପତି ମହାରାଜାଙ୍କ ପାଖରେ ଥିବାବେଳେ ଅନ୍ୟ ଗୋଟିଏ ଭଣ୍ଡାର ମେକାବ ଏବଂ ଗୋଟିଏ ପ୍ରଶାସନିକ ଅଧିକାରୀଙ୍କ ପାଖରେ ରହିଛି। ଏହି ଚାବି ନମିଳିବାରୁ ୨୦୧୮ ମସିହାରେ ରତ୍ନ ଭଣ୍ଡାରର ଭିତର ଗୃହ ଖୋଲିବା ନେଇ ଯାଇଥିବା କମିଟି ଫେରି ଆସିଥିଲେ। ଏହାପରେ ଚାବି ଖୋଜିବା ଲାଗି ଏକ କମିଶନ ଗଢ଼ାଯାଇଥିଲା। କମିଶନ ଏ ଚାବି ପ୍ରଶାସନ ପାଖରେ ଥିବା ଦର୍ଶାଇଥିଲେ। ଏବେ ନବ ଗଠିତ କମିଟି ଆଗରେ ଏହି ଚାବି ପ୍ରଶାସନ ପକ୍ଷରୁ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇ ନାହିଁ। ଅପରପକ୍ଷେ ଯଦି ଚାବି ନମିଳିବ ତେବେ ମଧ୍ୟ ତାଲା ଭାଙ୍ଗି ରତ୍ନ ଭଣ୍ତଡାର ଖୋଲିବା ଲାଗି ସରକାରଙ୍କ ଅନୁମତି ମଗାଯାଇଛି।
ପୂର୍ବରୁ ୧୮୦୫ ମସିହାରେ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିଲା। ଇଂରେଜ ସରକାର ୧୮୦୩ରେ ଓଡ଼ିଶା ବିଜୟ କରିବା ପରେ ଏହି ରତ୍ନ ଭଣ୍ଡାର ଗଣତି କରି ତତ୍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ ଗ୍ରୋମ ରିପୋର୍ଟ ରଖିଥିଲେ। ସେତେବଳେ ଉଲ୍ଲେଖ ଥିବା ରତ୍ନ ୧୯୭୮ ମସିହାର ରିପୋର୍ଟ ଠାରୁ ଯଥେଷ୍ଟ ଅଧିକ ଥିଲା।