ବାରବାଟୀ ଷ୍ଟାଡିୟମ ଭଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍
ଗତ ୨୪ ବର୍ଷରେ କ୍ରିକେଟ, ଫୁଟବଲ, ହକି ସମେତ ଅନ୍ୟାନ୍ୟ ଖେଳକୁଦରେ ‘ଫରଫର୍ମିଙ୍ଗ ରାଜ୍ୟରୁ ପାର୍ଟିସିପେଟିଙ୍ଗ ରାଜ୍ୟ’କୁ ପରିଣତ ହେବା ନବୀନ ସରକାରର ବଡ ବିଫଳତା । ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପାଇଁ ଆଜି ଓଡିଶାରେ କ୍ରିକେଟ ସମେତ ଫୁଟବଲ ଏବଂ ଅନ୍ୟ ଖେଳାଳୀଙ୍କ ମରୁଡି ସୃଷ୍ଟି ହୋଇଛି । ବିଜେଡି ସରକାର ଇଭେଣ୍ଟ୍ ମ୍ୟାନେଜମେଣ୍ଟ କମ୍ପାନୀ ଏବଂ ନବୀନ ପଟ୍ଟନାୟକ ଜଣେ ଠିକାଦାରମାନଙ୍କ ଶୁଭଚିନ୍ତକ । ନିର୍ବାଚନ, ଭୋଟ୍, ପ୍ରଚାର ଏବଂ ଘୋଷଣା ସର୍ବସ୍ୱ ବିଜେଡି ସରକାର ଠିକାଦାରମାନଙ୍କ ଜରିଆରେ ମୋଟା ପିସି ଆଦାୟ କରୁଛି । ବଡ ବଡ ପ୍ରକଳ୍ପ କରି ଅର୍ଥ ହରିଲୁଟ୍ ଯୋଜନା କରୁଛନ୍ତି ରାଜ୍ୟ ସରକାର ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।
ଭୁବନେଶ୍ୱର: କଟକ ବାରବାଟି ଷ୍ଟା଼ଡିୟମ ଭାଙ୍ଗିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ୍ କରିଛି ବିଜେପି । ପ୍ରେସମିଟ୍ କରି ବିଜେପି ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ବର୍ଷରେ କ୍ରିକେଟ, ଫୁଟବଲ, ହକି ସମେତ ଅନ୍ୟାନ୍ୟ ଖେଳକୁଦରେ ‘ଫରଫର୍ମିଙ୍ଗ ରାଜ୍ୟରୁ ପାର୍ଟିସିପେଟିଙ୍ଗ ରାଜ୍ୟ’କୁ ପରିଣତ ହୋଇଛି ଓଡ଼ିଶା ରାଜ୍ୟ । ଏହା ହେଉଛି ନବୀନ ସରକାରର ବଡ ବିଫଳତା । ଜାତୀୟ କ୍ରିକେଟ ଟିମରେ ଓଡିଶାର ଜଣେ ହେଲେ ଖେଳାଳୀ ସ୍ଥାନ ପାଇନାହାନ୍ତି । ଏପରିକି ଆଇପିଏଲରେ ମଧ୍ୟ ସ୍ଥାନିତ ହୋଇନାହାନ୍ତି । ରଣଜୀ ପ୍ରତିଯୋଗିତାରେ ଓଡିଶା ତଳଆଡୁ ସ୍ଥାନିତ ହେଉଛି । ଫୁଟବଲ, ଭଲିଭଲ, କବାଡି ଆଦି ଖେଳରେ ଓଡିଶା ବହୁ ପଛରେ । ଓଡିଶାରେ ଥିବା ସମସ୍ତ ଫୁଟବଲ ଆକାଡେମୀ ଆଜି ଅଚଳ । ଏପରିକି ଓସିଏ ଦ୍ୱାରା ପରିଚାଳିତ କ୍ରିକେଟ ଆକାଡେମୀ ଗତ ୩ ବର୍ଷ ଧରି ବନ୍ଦ ପଡିଛି । ତୃଣମୁଳ ସ୍ତରରେ ଖେଳାଳୀ ସୃଷ୍ଟି କରୁଥିବା କ୍ଲବଗୁଡିକୁ ରାଜ୍ୟ ସରକାର କୌଣସି ଅନୁଦାନ ବା ସହାୟତା ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ଚକ୍ରାନ୍ତ ପାଇଁ ଆଜି ଓଡିଶାରେ କ୍ରିକେଟ ସମେତ ଫୁଟବଲ ଏବଂ ଅନ୍ୟ ଖେଳାଳୀଙ୍କ ମରୁଡି ସୃଷ୍ଟି ହୋଇଛି । ଜାତୀୟ ଆଥଲେଟିକ ମିଟରେ ଓଡିଶାର ସ୍ଥାନ ସର୍ବଭାରତୀୟ ସ୍ତରରେ ୧୭ ରୁ ୨୦ ଭିତରେ । ଆଜି ପର୍ଯ୍ୟନ୍ତ ଜଣେ ହେଲେ ବି ବ୍ୟକ୍ତିଗତ ଅଲଂପିକ ପଦକ ଓଡିଶାକୁ ମିଳିନାହିଁ । କ୍ରୀଡା ଛାତ୍ରାବାସରେ ଥିବା ଖେଳାଳିଙ୍କୁ ମିଳୁଥିବା ଷ୍ଟାଇପେଂଡ ପରିମାଣ ସବୁଠୁ କମ୍ । ଭିତିଭୁମିର ଅଭାବ କାରଣରୁ ଖେଳାଳିଙ୍କ ପ୍ରତିଭା ବିକଶିତ ହୋଇପାରୁନାହିଁ । ସ୍କୁଲ ଓ କଲେଜରେ ଖେଳ ଶିକ୍ଷକ ପଦବୀ ଖାଲି ପଡିଛି । କ୍ରୀଡାବିତଙ୍କ ପାଇଁ ଥିବା ସରକାରୀ ଚାକିରୀ କୋଟାକୁ ପୂରଣ କରାଯାଉନାହିଁ । କିନ୍ତୁ ରାଜ୍ୟ ସରକାର ଭଲ ଖେଳାଳି ସୃଷ୍ଟି କରିବା ପାଇଁ ଆନ୍ତରିକତା ନରଖି କେବଳ ଭିତିଭୁମି, କୋଠାବାଡି, ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏହାର ମୁଳ କାରଣ ହେଉଛି ଠିକାଦାରଙ୍କୁ ପୋଷି ବିପୁଳ ମାତ୍ରାରେ ଶହ ଶହ କୋଟି ଟଙ୍କା ଲୁଟ୍ କରିବା । ବର୍ତମାନ ବାରିବାଟୀ ନବୀକରଣ ନାଁରେ ଐତିହ୍ୟ, ସ୍ମୃତିଗୁଡିକୁ ଭାଙ୍ଗିବାକୁ ମସୁଧା କରୁଛନ୍ତି ରାଜ୍ୟ ସରକାର । ଠିକାଦାରଙ୍କୁ ପୋଷିବା ପାଇଁ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଐତିହ୍ୟ ସଂପନ୍ନ ବାରବାଟୀକୁ ନିଶ୍ଚିହ୍ନ ନକରାଯାଉ ବୋଲି ବିଧାୟକ ତଥା ରାଜ୍ୟ ଉପସଭାପତି ତଥା ପୂର୍ବତନ ରଣଜୀ ଖେଳାଳି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଷ୍ପତି କ୍ରୀଡାବିତଙ୍କ ମନକୁ ଆନ୍ଦୋଳିତ କରୁଛି । ବିଜେଡି ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏବଂ ନବୀନ ପଟ୍ଟନାୟକ ଜଣେ ଠିକାଦାରମାନଙ୍କ ଶୁଭଚିନ୍ତକ । ଖେଳ ଓ କ୍ରୀଡାର ପ୍ରସାର ଆଳରେ ବ୍ୟାପକ ମାତ୍ରାରେ ଶହ ଶହ କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରି ଠିକାଦାରମାନଙ୍କୁ ପୋଷାଯାଉଛି । ରାଜ୍ୟ ସରକାର ଠିକାଦାରମାନଙ୍କ ପାଇଁ କ୍ରୀଡା ଓ କ୍ରୀଡାବୀତଙ୍କୁ ଅବହେଳା ନକରନ୍ତୁ । ଭଲ ଖେଳାଳି ସୃଷ୍ଟି ହେଲେ ଓଡିଶାର ସୁନାମ ଆସିବ । ନିର୍ବାଚନ, ଭୋଟ, ପ୍ରଚାର ଏବଂ ଘୋଷଣା ସର୍ବସ୍ୱ ବିଜେଡି ସରକାର କାଦାରମାନଙ୍କ ଜରିଆରେ ମୋଟା ପିସି ଆଦାୟ କରୁଛି । ନିର୍ମିତ ଓ ନିର୍ମାଣାଧିନ ଅନେକ ଷ୍ଟାଡିୟମ ଭାଙ୍ଗିଯିବାର ଦୃଶ୍ୟମାନ ହେଉଛି । ଡିଏମଏଫ ଫଣ୍ଡର ମଧ୍ୟ ଅପବ୍ୟବହାର କରାଯାଇ ଠିକାଦାରମାନଙ୍କୁ ପୋଷାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ପୂର୍ବରୁ ବାରବାଟୀରେ ଭିତିଭୂମି, ଆନୁସଙ୍ଗିକ ନଥାଇ ମଧ୍ୟ ଓଡିଶା କ୍ରିକେଟ ଦଳରୁ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳଙ୍କ ଭଳି ଖେଳାଳି ଭାରତବର୍ଷକୁ ପ୍ରତିନିଧିତ୍ୱ କରିଛନ୍ତି । ଏହାଛଡା ପ୍ରଭଞ୍ଜନ ମଲ୍ଲିକ ଓ ସଞ୍ଜୟ ଶତପଥୀ ‘ଭାରତୀୟ ଏ’ ଟିମ୍ରେ ଖେଳୁଥିଲେ । ୧୯୯୪ ରୁ ୯୯ଭିତରେ ଓଡ଼ିଶାର ୩ଜଣ ଖେଳାଳି ଆନ୍ତର୍ଜାତୀୟ ସ୍ତରରେ ଖେଳୁଥିଲେ । ଦୀର୍ଘ ୨୪ବର୍ଷ ପରେ କୌଣସି ଜଣେ ଖେଳାଳୀ ଭାରତ ଟିମ୍ ଖେଳିବାର ଦୂରର କଥା ଖେଳ ଚର୍ଚ୍ଚାକୁ ଆସୁନାହାନ୍ତି । ୨୦୦୦ ମସିହାରେ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ରଣଜି ଟ୍ରଫି ଟିମ୍ରେ ଓଡ଼ିଶା ସେମିଫାଇନାଲ ଯାଇଥିଲା, କିନ୍ତୁ ଏବେ ତାହାର ଅସ୍ତିତ୍ୱ ନାହିଁ । ଦୀର୍ଘ ୧୦ବର୍ଷ ହେଲା ବିସିସିଆଇ ଦ୍ୱାରା ଆଇପିଏଲ ଖେଳ ହେଉଥିଲେ ମଧ୍ୟ ଓଡ଼ିଶାରୁ ଖେଳାଳି ଖେଳିବାର ସୁଯୋଗ ପାଉନାହାନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ସରକାର ଜାଣିବା ଉଚିତ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଭିତିଭୂମି ନିର୍ମାଣ କରିଦେଲେ ଖେଳାଳୀ ସୃଷ୍ଟି ହୁଅନ୍ତି ନାହିଁ । ରାଜ୍ୟ ସରକାର ଭିତିଭୂମିରେ ଟଙ୍କା ନଲୁଟି ବରଂ ଖେଳାଳୀ ସୃଷ୍ଟି କରନ୍ତୁ । ରାଜ୍ୟ ସରକାର କ୍ରୀଡାର ବିକାଶ ଚାହୁଁଥିଲେ ପ୍ରଥମେ ଖେଳ କ୍ଲବଗୁଡିକର ବିକାଶ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବାରବାଟୀ ଷ୍ଟାଡିୟମ ଭବ୍ୟ ଓ ନବୀକରଣ କରନ୍ତୁ ମୁଖ୍ୟମନ୍ତ୍ରୀ ଆମର କୌଣସି ଅସୁବିଧା ନାହିଁ, କିନ୍ତୁ ଐତିହ୍ୟକୁ ଭାଙ୍ଗି ଦେଇ ନଷ୍ଟ ନକରନ୍ତୁ ରାଜ୍ୟ ସରକାର । କଟକ ଇଣ୍ଡୋର ଷ୍ଟାଡିୟମ ଛାତ ଉପରେ ଜରିପାଲ ପକାଯାଉଛି, ତାହା ବଡ ଦୁଃଖର ବିଷୟ । ବାରବାଟୀ ହେଉଛି କଟକର ପରିଚୟ, ଏହି ଷ୍ଟାଡିୟମ ନାଁରେ କୌଣସି ଠିକାଦାରକୁ ଲାଭାନ୍ୱିତ କରିବାକୁ ଷଡଯନ୍ତ୍ର ନକରାଯାଉ । ସୁବ୍ୟବସ୍ଥିତ ଗମନାଗମନ ପାଇଁ ବାରବାଟି ଷ୍ଟାଡିୟମକୁ ମେଟ୍ରୋ ରେଳ ସହ ସଂଯୋଗ କରାଯାଉ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ଉପସ୍ଥିତ ଥିଲେ ।