Boudh News: ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଁଞ୍ଚି ପାରିନି ମୋବାଇଲ କି ଇଣ୍ଟରନେଟ୍ ସୁବିଧା (Mobile Network Problem) । ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗ ପହଞ୍ଚିବାରେ ବାଧକ ସାଜିଛି ମୋବାଇଲ ଫୋନ ସେବା । ଏପଟେ ବାରମ୍ବାର ଗୁହାରୀ ପରେ ବି କୌଣସି ସୁଫଳ ମିଳୁପାରିନାହିଁ । ତେବେ ଟାୱାର ନାହିଁ ତ ଭୋଟ ନାହିଁ ବୋଲି ନିଷ୍ପତି ନେଇଛନ୍ତି ବୌଦ୍ଧ (Boudh) ଜିଲ୍ଲାର ମହାଲିକପଡା ଗ୍ରାମ ପଂଚାୟତବାସୀ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଦୁର୍ଗମ ଉପାନ୍ତ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ମହାଲିକପଡା (Mahalikpada) ପଞ୍ଚାୟତ। ପଞ୍ଚାୟତରେ ୨୫ରୁ ଉର୍ଦ୍ଧ୍ବ ଗ୍ରାମ ରହିଥିବାବେଳେ ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠାରେ ପହଁଞ୍ଚିପାରିନି ମୋବାଇଲ ସେବା । ଇଣ୍ଟରନେଟ୍ ( Internet) ସେବା କଥା ନ କହିବା ଭଲ । ତେବେ ଏନେଇ ବେଶୀ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । କୋରୋନା ମହାମାରୀ (Pandemic covid 19) ସମୟରେ ସ୍କୁଲ ବନ୍ଦ ଯୋଗୁଁ ପାଠରୁ ଦୂରେଇ ଯାଇଛନ୍ତି ଅନେକ ଛାତ୍ରଛାତ୍ରୀ । ମୋବାଇଲ କି ଇଣ୍ଟରନେଟ୍ ସୁବିଧା ନଥିବାରୁ କିଏ ଗଛ ଉପରେ ଜୀବନକୁ ବାଜି ଲଗାଇ ମୋବାଇଲ ଧରି ପାଠ ପଢୁଛି ତ ଆଉ କିଏ ଘରେ ରହି ଅଫଲାଇନ ପାଠପଢାକୁ ଅପେକ୍ଷା କରିଛି । ମୋବାଇଲ ଓ ଇଣ୍ଟରନେଟ୍ ସୁବିଧା ନଥିବାରୁ କେବଳ ଯେ ପିଲାଙ୍କ ପାଠପଢାରେ ଡୋରି ଲାଗିଛି ତାହା ନୁହେଁ । ଏଥିଲାଗି ବର୍ଷ ବର୍ଷ ଧରି ଜରୁରୀକାଳୀନ ସେବା ପାଇବାରୁ ମଧ୍ଯ ବଚିଂତ ହୋଇଛନ୍ତି ପଞ୍ଚାୟତବାସୀ । ମୋବାଇଲ ସେବା ମିଳୁନଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ, କି ଦମକଳକୁ ଯୋଗାଯୋଗ କରିବାକୁ ହେଲେ ୧୦ କିମି ବାଟ ଯିବାକୁ ପଡୁଛି। ଫଳରେ ଜରୁରୀ ସେବା ପାଇବା ପୁର୍ବରୁ ଲୋକଙ୍କ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି । ସେପଟେ ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଇଣ୍ଟରନେଟ୍ ନଥିବାରୁ କାର୍ଯ୍ୟାଳୟକୁ ସରକାରୀ ବାବୁ ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ବର୍ଷ ବର୍ଷ ଧରି କାମ ଅଟକି ରହିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ଟେଲିକମ୍ କମ୍ପାନୀକୁ (Telecom Company) ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଥିବା ବେଳେ ଖୁବଶୀଘ୍ର ମୋବାଇଲ ଟାୱାର ନିର୍ମାଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ (Boudh Collector) ।


Also Read- ଆଜି CRUT ପକ୍ଷରୁ ମାଗଣା ଇ-ବସ ଯାତ୍ରା, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା


ତେବେ ଆଗାମୀ ଦିନରେ ପଂଚାୟତରେ ମୋବାଇଲ ସେବା ଉପଲବ୍ଧ ନ ହେଲେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ପଂଚାୟତବାସୀ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି । ତେବେ ମହାଲିକପଡା ପଂଚାୟତବାସୀଙ୍କ ଏହି ଦାବି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।