Odisha News: ରାଜ୍ୟର ସମସ୍ତ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯାଇଛି ବୋଲି ବାରମ୍ବାର ଦାବି କରୁଥିବା ଶକ୍ତି ମନ୍ତ୍ରୀ ଶେଷରେ ଯେଉଁ ଗାଁକୁ ବିଜୁଳି ସଂଯୋଗ ହୋଇନାହିଁ ତାହାକୁ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ପ୍ରତିଶୃତି ଦେଇଛନ୍ତି। 

 

ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ମନ୍ତ୍ରୀଙ୍କୁ ସେମାନଙ୍କ ଅଞ୍ଚଳରେ ଯେଉଁ ଗାଁ ଗୁଡ଼ିକ ବିଜୁଳି ସଂଯୋଗ ହୋଇ ନାହିଁ ତାହାକୁ ନେଇ ଆପତ୍ତି ଉଠାଇଥିଲେ। ଏପରିକି ସେଗୁଡ଼ିକ ବାବଦରେ କି ପଦକ୍ଷେପ ନିଆଯାଉଛି ବୋଲି ପଚାରିଥିଲେ। ପ୍ରଥମେ ମନ୍ତ୍ରୀ କନଗ ବର୍ଦ୍ଧନ ସିଂହ ଦେଓ ସରକାରୀ ତଥ୍ୟ୍ରକୁ ଉଲ୍ଲେଖ କରି କହିଥିଲେ ଯ, ସମସ୍ତ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ ଶେଷ ହୋଇଛି। କିନ୍ତୁ କିଛି ଘରକୁ ସଂଯୋଗ ନହେବାର ଅନେକ କାରଣ ରହିଛି।  ଏହାକୁ ଦୂର କରିବା ଲାଗି ସରକାର ସଚେତନ ରହିଛନ୍ତି। ମନ୍ତ୍ରୀଙ୍କର ଏହି ଜବାବରେ କିନ୍ତୁ ସନ୍ତୁଷ୍ଟ ହୋଇ ନଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି,  ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ସେମାନେ ବିଭିନ୍ନ ଗାଁକୁ ବିଜୁଳି ସଂଯୋଗ ହୋଇ ନଥିବା  ଉଲ୍ଲେଖ କରିଥିଲେ। 

 

ଏହାର ଉତ୍ତର ଦେବାକୁ ଯାଇ ଶଅୀ ସିଂହଦେଓ କହିଛନ୍ତି ଜିଲ୍ଲାପାଳଙ୍କଠାରୁ ମନ୍ତବ୍ୟ ମଗାଯିବ। ବିଧାୟକମାନେ ସେଥିରେ ସହଯୋଗ କଲେ ବିଜୁଳି ସଂଯୋଗ ହୋଇ ନଥିବା ଗାଁ ବାବଦରେ ତଥ୍ୟ ସଂଯୋଗ ହୋଇପାରିବ। ଏହି ରିପୋର୍ଟ ଆସିବା ପରେ ଯଦି କେଉଁଠି ବିଜୁଳି ସଂଯୋଗ ପହଞ୍ଚି ନାହିଁ ତେବେ ସେହି ରାଜସ୍ୱ ଗାଁରେ ବିଜୁଳି ପହଞ୍ଚାଇବା ଲାଗି ତୁରନ୍ତ ପଦକ୍ଷେପ ନିଆଯିବ। ଏପରିକି ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଏ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଗୃହରେ ମନ୍ତବ୍ୟ ରଖିଛନ୍ତି ଶ୍ରୀ ସିଂହ ଦେଓ।