Odisha News: ରାଜ୍ୟରେ ଜାରି ରହିଛି ବର୍ଷା।  ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଛି। ଏନେଇ ମାଲକାନଗିରି ଓ ଗଂଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଆଜି ଛୁଟି ଘୋଷଣା କରାଯାଇଛି। ଲଘୁଚାପ ଜନିତ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଏବଂ ଗଂଜାମ ଜିଲ୍ଲା। ମାଲକାନଗିରିରୁ କୋରାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହାସହ ଅନେକ ଗାଁ ବନ୍ଯା ପାଣିରେ ବୁଡ଼ି ରହିଥିବାବେଳେ ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଜୀବନ ବିତାଉଛନ୍ତି। 

 



 

ବିଶେଷକରି, ମାଲକାନଗିରିର ପୋଟେରୁ ଅଞ୍ଚଳର ସ୍ଥିତି ବେହାଲ୍ ରହିଛି ।  ମୋଟୁରେ ୧୮୦ ଲୋକ ଓ ପୋଟେରୁରେ ୮୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଛି ।  ବିଭିନ୍ନ ପୋଲ ଓ ରାସ୍ତା ଉପରୁ ଧୀରେ ଧୀରେ ପାଣି ଖସିବାରେ ଲାଗିଛି ।  ପାଙ୍ଗମ ଓ ଏମଭି-୭ ପୋଲରୁ ପାଣି ଖସିଛି । ପୋଟେରୁ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲିଛି ।  ମାଲକାନଗିରିରୁ ଆନ୍ଧ୍ର ଓତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେପଟେ, ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 

 

ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଓ ସାମାଜିକ ସୁରକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନାଗିରି ଜିଲ୍ଲାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ନଦୀ ବନ୍ଧ ଓ କେନାଲ ବନ୍ଧ ଉପରେ ନଜର ରଖିବାକୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯିବା ସହ ବନ୍ୟା ମୁକାବିଲା ପାଇଁ ଆବଶ୍ୟକୀୟ ସରଞ୍ଜାମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷାରେ କୋରାପୁଟ ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ, ୩୬ଟି ଗାଁ ପ୍ରଭାବିତ ହୋଇଛି ।