Odisha News: ବଙ୍ଗୋପସାଗରରେ ଲଘୁଚାପ କାରଣରୁ  ସାରା ରାଜ୍ୟ୍ୟରେ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ବିଶେଷକରି ମାଲକାନଗିରି ଜିଲ୍ଲା ଏବଂ କୋରାପୁଟର ୬ ବ୍ଲକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଏହିସବୁ ଜିଲ୍ଲାରେ ସ୍ୱତନ୍ତ୍ର ରିଲିଫ୍‍ କ୍ୟାମ୍ପ କରାଯାଇ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମାଲକାନଗିରି ଜିଲ୍ଲାରେ ୪ ଏବଂ କୋରାପୁଟ ଜିଲ୍ଲାରେ ୨ଟି ରିଲିଫ୍‍ କ୍ୟାମ୍ପ କରାଯାଇ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ବରିଷ୍ଠ ଆଇଏଏସ୍‍ ଅଧିକାରୀ ବିଷ୍ଣୁପଦ ସେଠି ଓ  ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମାଲକାନଗିରି ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୋଲିସ ଡିଆଇଜି ଚରଣ ସିଂ ମୀନାଙ୍କୁ କୋରାପୁଟଠାରେ ନିୟୋଜିତ କରାଯାଇଛି। 

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂହ କହିଛନ୍ତି, ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିଛି। ଆସନ୍ତା କାଲିଠାରୁ ପରିସ୍ଥିତିରେ ଆହୁରି ସୁଧାର ଆସିବ।  ଏବେ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ସାମୟିକ ବନ୍ୟା ବା ଫ୍ଲାଶ୍‍ ଫ୍ଲଡ୍‍ ହୋଇପାରେ। ହେଲେ ନଦୀରେ ପାଣି ଧାରଣ କରିବାର କ୍ଷମତା ଯଥେଷ୍ଟ ଥିବାରୁ ବଡ଼ଧରଣର ବନ୍ୟା ହେବାର ଆଶଙ୍କା ଏବେ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। 

ଅପରପକ୍ଷେ ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ରାଜୀବ ଭବନରେ ଏସଆରସି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। 

ସମୀକ୍ଷାକରୁ ଜଣାପଡ଼ିଛି ଯେ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡରେ ପରିସ୍ଥିତିର ମୁକାବିଲା ପାଇଁ ଏବେ ୬ ଏନଡିଆରଏଫ ଟିମ ମୁତ୍ତୟନ କରାଯାଇଛି। ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳକୁ ୧୮ଟି ଓଡ୍ରାଫ ଟିମ୍ ପଠାଯିବା ବ୍ୟବସ୍ଥା ହୋଇଛି। ଏଥିରେ ମାଲକାନଗିରିକୁ ୬, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରକୁ ୨ଟି ଲେଖାଏଁ ଟିମ ପଠାଯିବ। 

କୋରାପୁଟର ୬ ବ୍ଲକ ପ୍ରଭାବିତ ହୋଇଥିବାବେଳେ ୩୬ଟି ଗାଁ ପ୍ରଭାବିତ ହୋଇଛି। ୧୫୦ ଘର ଆଂଶିକ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି। ସମସ୍ତ ଫିଲ୍ଡ଼ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  

ଆଜି ରାତିରେ ଭୁବନେଶ୍ୱର, ପୁରୀ, ଖେର୍ଦ୍‍ଧ, କଟକ ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଆଖିରେ ରଖି ପାଣି ନିଷ୍କାସନକୁ ବ୍ୟାପକ କରିବା ଲାଗି  ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।