Jagannath Temple Dress Code: ପୁରୀ ଶ୍ରୀମନ୍ଦିର (Jagannath Temple)ରେ ଲାଗୁ ହେବାକୁ ଥିବା ଡ୍ରେସ କୋଡ଼ (Jagannath Temple Dress Code) କଟକଣାକୁ ନେଇ ଆରମ୍ଭରୁ ଦେଖା ଦେଇଛି ବିବାଦ । କିଛି ଦିନ ତଳେ ଶାଳୀନତା ପୂର୍ଣ୍ଣ ପରିଧାନ ନ ପିନ୍ଧିଲେ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁ ଭକ୍ତମାନେ ଆଶାଳୀନ ବା ଛୋଟ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଆସିଥିବେ ଦ୍ୱାରରେ ମୁତୟନ ପୋଲିସ ଓ ସେବାୟତ ସୋମାନଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ (Ranjan Kumar Das) ଅଧ୍ୟକ୍ଷତାରେ ସବ୍‌ କମିଟି ବୈଠକ (Sub-Committee Meeting) ବସିଥିଲା । ଏହି ବୈଠକରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଶାଳୀନତା ଅଣାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଭକ୍ତମାନେ ଯେପରି ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ନ କରନ୍ତି, ତା’ ଉପରେ କଡ଼ା ନଜର ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଥିବା ବେଳେ ସୂଚନା କେନ୍ଦ୍ର ପକ୍ଷରୁ ଡାକବାଜି ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ଆପତ୍ତିଜନକ ବା ଆଶାଳୀନ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ଭିତରକୁ ନ ଛାଡ଼ିବା ଲାଗି କିଭଳି ପଦକ୍ଷେପ ନେବେ, ସେ ନେଇ ଜେଟିପି, ଚର୍ଚ୍ଚା, ପ୍ରତିହାରୀମାନଙ୍କୁ ଅବଗତ କରାଯାଇଛି। ସେପେଟେ ଏନେଇ ଛତିଶା ନିଯୋଗ ଓ ହୋଟେଲ ସଂଘକୁ ଚିଠି କରି ସହଯୋଗ ମାଗିଛି ପ୍ରଶାସନ। ହେଲେ ମହିଳା ଭକ୍ତମାନଙ୍କୁ ଜେଟିପି ଅବା ପ୍ରତିହାରୀମାନେ କିଭଳି ପୋଷାକ ପରିଧାନ ଉପରେ ମନ୍ତବ୍ୟ ଦେବେ, ତାକୁ ନେଇ କିଛି ପରିଚାଳନା କମିଟିର ସଦସ୍ୟ ଓ ଭକ୍ତ ପ୍ରଶ୍ନ ଉଠାଇଛନ୍ତି । ଯଦି ମହିଳା ପୋଲିସ ବା ଯାଞ୍ଚ ପାଇଁ କୌଣସି ମହିଳାଙ୍କୁ ନିୟୋଜିତ ନ କରାଯାଏ, ତାହାଲେ ଅପ୍ରୀତିକର ପରିସ୍ଥିତି ଉପୁଜିବ ବୋଲି ମତ ପ୍ରକାଶ ପାଉଛି ।


ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଉପସ୍ଥିତ ନ ଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ‘ରାଜ୍ୟରେ ଆଜି ପର୍ଯ୍ୟନ୍ତ କୌଣସି ମନ୍ଦିରରେ ପୋଷାକ ଉପରେ କଟକଣା ଲାଗୁ କରାଯାଇନାହିଁ । ପ୍ରଥମ ଥର ଶ୍ରୀମନ୍ଦିରରେ ଏପରି ହେବାକୁ ଯାଉଛି। ରାଜ୍ୟ ବାହାରେ ଯେଉଁ ମନ୍ଦିରରେ ପୋଷାକ କଟକଣା ରହିଛି, ସେଠାରେ ମହିଳା ଭକ୍ତଙ୍କୁ ଯାଞ୍ଚ ବା ପରାମର୍ଶ ଦେବା ନେଇ ମହିଳା କର୍ମଚାରୀ ନିଯୁକ୍ତ ଅଛନ୍ତି। ଶ୍ରୀମନ୍ଦିରକୁ କେବଳ ପୁରୁଷ ଭକ୍ତ ଆସୁନାହାନ୍ତି, ମହିଳା ଭକ୍ତ ବି ଆସୁଛନ୍ତି। ଏଣୁ ମହିଳା କର୍ମଚାରୀ ନିଯୁକ୍ତ ହେବା ଦରକାର। ଜେଟିପି, ଚର୍ଚ୍ଚା, ପ୍ରତିହାରୀଙ୍କ ହାତରେ ପୋଷାକ ପରିଧାନ ଯାଞ୍ଚ ବ୍ୟବସ୍ଥାକୁ ଛାଡ଼ିଦେବା ଗ୍ରହଣୀୟ ନୁହେଁ’। ତେବେ ଆସନ୍ତାକାଲି ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ପ୍ରକାଶ ଥାଉ କି, ୨୦୨୧ ମସିହାରେ ଶ୍ରୀନ୍ଦିରରେ ସେବାୟତମାନଙ୍କ ଲାଗି ଡ୍ରେସ୍ କୋଡ଼ ନିୟମ ଲାଗୁ ହୋଇସାରିଛି । ଯଦି କୌଣସି ସେବାୟତ ଧୋତି,ପାଟ ବା ଗାମୁଛା ପିନ୍ଧିନଥିବେ ତାହାଲେ ତାଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବ ନାହିଁ ବୋଲି ନାହିଁ ବୋଲି ନିୟମ କରାଯାଇଛି ।


Also Read-Navaratri 2023: ଆରମ୍ଭ ହେଲା ନବରାତ୍ରୀ, ଆଜି ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମାଆ ଦୁର୍ଗା