ଭୁବନେଶ୍ୱର (ସୁଶାନ୍ତ କୁମାର ଦାଶ): ଦୀର୍ଘ ବର୍ଷ ଧରି ରାଜ୍ୟ ଶାସନରେ ରହିଥିବା ବିଜେଡି ଶେଷରେ କେନ୍ଦ୍ର ପ୍ରତି ବଦଳେଇଛି ତାର ଆଭିମୁଖ୍ୟ। ବିଧାନସଭାରେ ନିଜର ସ୍ୱର ବଦଳେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ବର୍ଷର କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଛାଡି ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୁରୁତ୍ଵ ଦେଉଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୧୦ ରୁ ୮ ନମ୍ବର ଦେଇ ପ୍ରଶଂସା କରିଛନ୍ତି ନବୀନ। ଗୋଟେ ପଟେ ବିଜେଡି ସାଂସଦ, ବିଧାୟକମାନେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ବେଶ୍ ପ୍ରାଥମିକତା ଦେଉଥିବା ବେଳେ,ବିଜେଡି ସରକାରଙ୍କ ପାଇଁ ଓଡ଼ିଶାବାସୀ, କେନ୍ଦ୍ରୀୟ ଯୋଜନାରୁ ବଂଚିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଓଡ଼ିଶାକୁ ଆର୍ଥିକ ରୂପେ ସଶକ୍ତ ଓ ଓଡ଼ିଶାରେ ଭିତ୍ତିଭୂମି ବିକାଶ ପାଇଁ ଗତ ୯ ବର୍ଷରେ ୧୦ ଲକ୍ଷ ୬୯ ହଜାର କୋଟି ଅନୁଦାନ/ଟିକସ ଭାଗ ରାଜ୍ୟକୁ ମିଳିଛି ଯାହା କଂଗ୍ରେସ ସମୟରେ ମାତ୍ର ୨ ଲକ୍ଷ ୪୩ ହଜାର କୋଟି ଥିଲା । ଓଡ଼ିଶାକୁ ରେକର୍ଡ ୪ ଗୁଣା ଅଧିକ ଅର୍ଥ କେବଳ ନରେନ୍ଦ୍ର ମୋଦିଙ୍କ ନୀତି ସୁଧାର ଓ ଦୃଢ ନେତୃତ୍ୱ ଦ୍ୱାରା ହିଁ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରାୟ ୨୭.୫୦ ଲକ୍ଷ ପକ୍କା ଘର ମଂଜୁର ହୋଇଛି । ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ପ୍ରାୟ ୩୩, ୦୦୦ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାର ୩.୨୫ କୋଟି ଲୋକ ଏହି ଯୋଜନାରେ ଲାଭ ପାଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି ୩,୨୫୦ କୋଟି ଟଙ୍କା ବୋଲି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି।


ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାରେ ଅନେକ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା, ପିଏମ ଶ୍ରୀ ଯୋଜନା, ପୋଷଣ ଯୋଜନା, ମେରିତ୍ରୀ ଭଳି ଯୋଜନାକୁ ଓଡିଶାରେ ମୁଖ୍ୟମନ୍ତ୍ରୀ କରାଇ ଦେଉନାହାନ୍ତି। ଗତ ୯ ବର୍ଷରେ ମୋଦି ସରକାରରେ ଓଡ଼ିଶାରେ ୨୮,୨୫୧ କୋଟି ଟଙ୍କା ବ୍ୟୟରେ ୪,୧୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ କଂଗ୍ରେସ ସରକାରର ୯ ବର୍ଷରେ ୪,୧୬୦ କୋଟି ଟଙ୍କା ବ୍ୟୟରେ ମାତ୍ର ୧,୪୯୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି। ପୂର୍ବ ସରକାର ତୁଳନାରେ ୭ ଗୁଣ ଅଧିକ ଅର୍ଥ ଓଡ଼ିଶାରେ ଜାତୀୟ ରାଜପଥ ପାଇଁ ଦିଆଯାଇଛି ଏବଂ ୪ ଗୁଣ ଅଧିକ ରାସ୍ତା ତିଆରି ହୋଇଛି । ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ବିଳମ୍ବର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ ଜଙ୍ଗଲ କ୍ଲିୟରେନ୍ସ, ଯାହା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରତ୍ୟକ୍ଷ ରୂପେ ଦାୟୀ।


ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବହୁ ଜାଗାରେ ପ୍ରକଳ୍ପକୁ ବିଳମ୍ବିତ କରାଉଛନ୍ତି, ଆନ୍ଦୋଳନ ଠୁ ଆରମ୍ଭ କରି ଠିକାଦାରଙ୍କୁ ହଇରାଣ ହରକତ କରିବାର ନଜିର ଅଛି। ଗୋଟିଏ ଗୋଟିଏ ପ୍ରକଳ୍ପରେ ୩-୪ ଥର ଡିପିଆର ବଦଳିଯାଉଛି, କାହା ସ୍ୱାର୍ଥରେ ଶ୍ରେଣୀବଦ୍ଧତା ବଦଳୁଛି, ବିଜୁ ଜନତା ଦଳ ନିଜକୁ ନିଜେ ପଚାରିବା ଆବଶ୍ୟକ। ଓଡ଼ିଶା ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରସ୍ତାବିତ ଆଲାଇନମେଂଟ ପରିବର୍ତନ ଯୋଗୁଁ ଜାତୀୟ ରାଜପଥ ପ୍ରକଳ୍ପ ବିଳମ୍ବିତ ହୋଇଛି । ରାଜପଥ (କାକଟପୁର-ଏରସମା)ର ପ୍ୟାକେଜ୍‌-୩ର ସଂଶୋଧିତ ଆଲାଇନମେଂଟକୁ ତୀବ୍ର ବିରୋଧ କରାଯାଉଥିବାରୁ କାମ ବନ୍ଦ ରହିଛି । ଏଥିରେ ମଧ୍ୟ ସଂଶୋଧନ ହେବାର ସମ୍ଭାବନା ରହିଛି । ଓଡ଼ିଶା ସରକାର ଏହି ସବୁ କଲ୍ୟାଣକାରୀ କାମରେ କାହିଁକି ବାଧକ ସାଜିଛନ୍ତି । ଏହି ସବୁ ବିଷୟ ବିଜେଡି ସରକାରର କାରଣରୁ ଅଛି । ଯଦି ଅବହେଳା କରୁଛ କହୁଛ, ତେବେ ଗତକାଲି ମୁଖ୍ୟମନ୍ତ୍ରୀ କହିଲେ ମୋଦି ସରକାରଙ୍କ କାମକୁ ମୁଁ ୧୦ରୁ ୮ ଦେବି । ତେବେ ସତ କଥା କ’ଣ ? ବିଧାନସଭାର ବିଧାୟକଙ୍କ କଥା ସତ ନା ମୁଖ୍ୟମନ୍ତ୍ରୀଙ୍କ କଥା ସତ ବୋଲି ଶ୍ରୀ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି।


Also Read: ବିଷ ଓଗାଳିଲେ ଅନୁଭବ, ସୋସିଆଲ ମିଡ଼ିଆରେ ସେୟାର କଲେ ପୁରୁଣା ଚିଠି


Also Read: Puri: ଆଜି ସୁନିଆ ଉତ୍ସବ, ଗଜପତି ମହାରାଜଙ୍କ ଆରମ୍ଭ ହେବ ୧୪୩୧ ସାଲ


Also Read: ଆସୁଛି କୋଭିଡ଼ଠାରୁ ୭ ଗୁଣା ଅଧିକ ମାରାତ୍ମକ ମହାମାରୀ, ପ୍ରାଣ ହରାଇପାରନ୍ତି ୫ କୋଟି ଲୋକ!