ଭୁବନେଶ୍ୱର: ନିର୍ବାଚନ ମୁହାଁ ଓଡ଼ିଶାରେ ସରକାରୀ ଅଧିକାରୀଙ୍କ ସ୍ତରରେ ବଦଳି ଜାରି ରହିଛ। ଆଇଏଏସ୍‍, ଓଏଏସ୍‍ ପରେ ଏବେ ଓପିଏସ୍‍ ସ୍ତରରେ ଏକ ବ୍ୟାପକ ଅଦଳ ବଦଳକୁ ଆଜି ଗୃହ ବିଭାଗ ମଞ୍ଜୁରୀ ଦେଇଛି। ଏହି ଅନୁସାରେ ୧୮ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ପଦବୀ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।


COMMERCIAL BREAK
SCROLL TO CONTINUE READING

ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା କଟକ-ଭୁବନେଶ୍ୱର ପୁଲିସ କମିଶନର ସୌଯମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂଆ ପୁଲିସ କମିଶନର ଭାବେ ୧୯୯୪ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପୁଲିସ କମିଶନର ଭାବେ ଦାୟିତ୍ୱ ମିଳିଛି। ସଞ୍ଜୀବ ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ ସୌମେନ୍ଦ୍ର ତାଙ୍କ ପଦବୀ ସମ୍ଭାଳିବେ। 


ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସନ୍ତୋଷ ବାଲାଙ୍କୁ ଓଡ଼ିଶା ପୁଲିସ ହାଉସିଂ ନିଗମର ସିଏମ୍‍ଡି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍‍ଙ୍କୁ ଉତ୍ତରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଥିବା ବେଳେ, ସେଠାରେ ପୂର୍ବରୁ ଅବସ୍ଥାପିତ ୨୦୦୪ ବ୍ୟାଚ୍‍ ଆଇପିଏସ୍‍ ଦୀପକ କୁମାରଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଭାବେ ତାଳଚେରରେ ଅବସ୍ଥାପିତ କରାଯାଇଛି। ସେ ପୁଲିସ ତାଲିମ କେନ୍ଦ୍ରର ପ୍ରିନ୍ସିପାଲ୍‍ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।


ଦକ୍ଷିଣାଞ୍ଚଳ ଆଇଜି ପୁଲିସ ସତ୍ୟବ୍ରତ ଭୋଇଙ୍କୁ ପୂର୍ବ ଆଇଜି ଭାବେ ବାଲେଶ୍ୱରରେ ଅବସ୍ଥାପିତ କରାଯାଇଛି। ଏଣିକି ୨୦୦୫ ବ୍ୟାଚ୍‍ ଆଇପିଲସ୍‍ ଜେଏନ୍‍ ପଙ୍କଜ ଆଇଜି ବ୍ରହ୍ମପୁର ହେବେ। ଏହାସହ ସେ ଅତିରିକ୍ତ ଦାୟିତ୍ୱ ଭାବେ ତାଙ୍କର ଏବେକାର ପଦବୀ ଇଓଡବ୍ଲୁ ଏସ୍‍ଟିଏଫ୍‍ ଦାୟିତ୍ୱ ତୁଲାଇବେ। 


ପୁରୀ ପୁଲିସ ଅଧୀକ୍ଷକ ( ଏସ୍‍ପି) ଭାବେ ଅବସ୍ଥାପିତ କୁଅଁର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କଟକ ଡିସିପି ପିନାକ ସିଂହ ପୁରୀ ଏସ୍‍ପି ଦାୟିତ୍ୱ ସମ୍ଭାଳିବେ। 


ମୁଖ୍ୟାଳୟ ଅତିରିକ୍ତ ଆଇଜି ଭାବେ  କାର୍ଯ୍ୟ କରୁଥିବା  ୨୦୧୧ ବ୍ୟାଚ୍‍ ଅଧିକାରୀ ବନୋଥ ଯୁଗଳ କିଶୋର କୁମାରଙ୍କୁ କେନ୍ଦ୍ରାପଡ଼ା ଏସ୍‍ପି ଭାବେ ବଦଳି କରାଯାଇଛି। ସେଥିରେ ଅବସ୍ଥାପିତ ଏସ୍‍ପି ସନ୍ଦୀପ ସମ୍ପଥଙ୍କୁ ଢେଙ୍କାନାଳ ଏସ୍‍ପି ଭାବେ ବଦଳି କରାଯାଇଛି। ଏବେ ଢେଙ୍କାନାଳ ଏସ୍‍ପି ଭାବେ କାର୍ଯ୍ୟରତ ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ୍‍ ବ୍ରାଞ୍ଚ ଏସ୍‍ପି ଭାବେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। 


ରାୟଗଡ଼ା ଏସ୍‍ପି ଭାବେ କାର୍ଯ୍ୟରତ ବିବେକାନନ୍ଦ ଶର୍ମାଙ୍କୁ ମୁଖ୍ୟାଳୟ ଅତିରିକ୍ତ ଡିଜିପି ଭାବେ ବଦଳି କରାଯାଇଛି। ଏବେ ଜୟପୁରର ଏସ୍‍ଡିପିଓ ଭାବେ କାର୍ଯ୍ୟ କରୁଥିବା ୨୦୨୦ ଆଇପିଏସ୍‍ ହରିଶ ବିସିଙ୍କୁ ରାୟଗଡ଼ା ଏସ୍‍ପି ଦାୟିତ୍ୱ ଦିଆଯାଇଛି। 


ସୋନପୁର ଏସ୍‍ପି ଭାବେ କାର୍ଯ୍ୟରତ ଅମରେଶକୁମାର ପଣ୍ଡାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ବାଲିଗୁଡ଼ା ଏସ୍‍ଡିପିଓ ୨୦୨୦ ଆଇପିଏସ୍‍ ୟଶ ପ୍ରତାପ ଶ୍ରୀମଲଙ୍କୁ ସୋନପୁର ଏସ୍‍ପି ଦାୟିତ୍ୱ ପ୍ରଦାନ କରାଯାଇଛି। 


ସ୍ପେଶାଲ ବ୍ରାଞ୍ଚ ଏସ୍‍ପି ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସ୍‍ପି ଦାୟିତ୍ୱ ମିଳିଥିବା ବେଳେ ଏବେ ଦେବଗଡ଼ର ଏସ୍‍ପି ଥିବା ପିକେ ମିଶ୍ରଙ୍କୁ ରାଉରକେଲା ଏସ୍‍ଆର୍‍ପି ଭାବେ ବଦଳି କରାଯାଇଛି। 


ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଯାଇଛି।