Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ (Srimandir Parikrama Project) ଶେଷ କରିବା ପାଇଁ ଜାରି ହେଲା ଡେଡଲାଇନ୍ (Deadline)। ଜାନୁଆରୀ ୧୧ ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ଆଉ ୧୨ତାରିଖରୁ ଆରମ୍ଭ ହେବ ପ୍ରତିଷ୍ଠା ଉତ୍ସବର ପୂଜାବିଧି। ଶ୍ରୀମନ୍ଦିର(Srimandir)ପୁରୋହିତଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିରର ଐଶାନ୍ଯ କୋଣରେ ନିର୍ମାଣ ହେଉଛି ଯଜ୍ଞ ମଣ୍ଡପ। ବାସ୍ତୁଶାସ୍ତ୍ର ଅନୁସାରେ ଯଜ୍ଞ ମଣ୍ଡପର ଦୈର୍ଘ୍ୟ ଓ ପ୍ରସ୍ଥ ୨୪ଫୁଟ ୩ଇଞ୍ଚ ଥିବା ବେଳେ ଉଚ୍ଚତା ଅଢେଇ ଫୁଟ ରହିଛି। 


COMMERCIAL BREAK
SCROLL TO CONTINUE READING

ସେହିଭଳି ଯଜ୍ଞକୂଣ୍ଡର ଦୈର୍ଘ୍ୟ ଓ ପ୍ରସ୍ଥ ୮ଫୁଟ୍ ୧ଇଞ୍ଚ ଲେଖାଏଁ ରଖାଯାଇଛି। ଆଉ ସମ୍ପୂର୍ଣ୍ଣ ଶାସ୍ତ୍ରବିଧି ଅନୁସାରେ ଯଜ୍ଞ ମଣ୍ଡପ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଓବିସିସି ଅଧିକ୍ଷଣ ଯନ୍ତ୍ରୀ। ସେପଟେ ପ୍ରଶାସନ ପକ୍ଷରୁ ନିମନ୍ତ୍ରିତ ହୋଇଥିବା ଅତିଥି ମାନଙ୍କ ପାଇଁ ପ୍ରତିଷ୍ଠା ଉତ୍ସବରେ କରାଯାଇଛି ସ୍ୱତନ୍ତ୍ର ବୈଠକ ଗୃହ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଛଅଶହରୁ ଉର୍ଦ୍ଧ୍ବ ଅତିଥିଙ୍କ ବସିବା ପାଇଁ ବ୍ଯବସ୍ଥା କରାଯାଉଛି। ୧୭ତାରିଖ ଦିନ ଗଜପତି ଯଜ୍ଞର ପୂର୍ଣ୍ଣାହୁତି ଦେବାକୁ ଥୁବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍ପାଞ୍ଜଳି ଦେବେ। ସେପଟେ ଜାନୁଆରୀ ୧୧ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସକଙ୍କୁ ପ୍ରକଳ୍ପ ହସ୍ତାନ୍ତର କରାଯିବାକୁ ନେଇ ଏବେ ସରିଥିବା କାର୍ଯ୍ୟର ଅଞ୍ଚଳକୁ ପରିଷ୍କାର କରାଯାଉଛି । 


ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରଚାର ପ୍ରସାର ପାଇଁ ରାଜ୍ୟ ବ୍ଯାପି ବୁଲିବ ଶ୍ରୀଜଗନ୍ନାଥ ରଥ। ପଞ୍ଚାୟତରାଜ ବିଭାଗ ପକ୍ଷରୁ ଆଜିଠାରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି। ରାଜ୍ୟର ସମସ୍ତ ପଞ୍ଚାୟତ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ ,ଗୁଆ ଓ ନଡ଼ିଆ ସଂଗ୍ରହ କରିବ ଏହି ରଥ। ଅନୁରୂପ ଭାବରେ ପୁରୀରେ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ରଥ ବୁଲିବ। 


ପୁରୀରେ ୩ ଟି କ୍ଲଷ୍ଟରରେ ୧୧ ପଞ୍ଚାୟତର ୩୦ ଟି ବ୍ଲକ ପରିକ୍ରମା କରିବ ରଥ। ଆଜି ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନର ତଲଜଂଘ ଓ ମାଳତୀ-ପାଟପୁର, ୨୬ ନମ୍ବର ଜୋନର ଗୋପୀନାଥପୁର ଓ କାଶୀ ହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଞ୍ଚାୟତରେ ଏହି ରଥ ପରିକ୍ରମା କରିବ । ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟକ ପଞ୍ଚାୟତରେ ଏହି ରଥ ପରିକ୍ରମା କରୁଛି । ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପରେ ଜିଲ୍ଲାୱରୀ ଭକ୍ତଙ୍କୁ ଅଣାଯାଇ ମହାପ୍ରଭୁଙ୍କୁ ଦର୍ଶନ କରାଯିବ ବୋଲି ନିଷ୍ପତି ହୋଇଛି ।