Odisha News: ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡ଼ିଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ ଆଜି ଅପରାହ୍ଣରେ ଝୁଲନ୍ତା ଅବସ୍ଥାରେ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ପ୍ରାଥମିକ ତଦନ୍ତ ଅନୁଯାୟୀ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ବେକରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ ବିଡ଼ିଓ ବିଶ୍ୱରଞ୍ଜନ ଆଜି ସକାଳୁ କାର୍ଯ୍ୟାଳୟ ଯାଇଥିଲେ। ମାତ୍ର ଅଫିସରୁ ଶୀଘ୍ର ଫେରି ଆସିଥିଲେ। ତେବେ ଆଜି ଭିସି ବୈଠକରେ ଉପସ୍ଥିତ ନ ହେବାରୁ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ଖୋଜାଖୋଜି କରିବା ତାଙ୍କୁ ପାଇନଥିଲେ। ଫୋନ କରିବା ସତ୍ତ୍ୱେ ସେ ଫୋନ ଉଠାଇନଥିଲେ। ପରେ ତାଙ୍କ ସରକାରୀ ବାସଭବନରେ ଆସି ଖୋଜୋଖୋଜି କରିଥିଲେ। ମାତ୍ର କବାଟ ଭିତରୁ ବନ୍ଦ ରହିଥିବା କାରଣରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଆଜି କବାଟ ଭାଙ୍ଗିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରେ ତାଙ୍କ ମୃତ୍ୟୁ ପଛରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଯଦି ବିଶ୍ୱରଞ୍ଜନ ଆତ୍ମହତ୍ୟା କରିଛନ୍ତି ତେବେ ମୃତ୍ୟୁ ପଛରେ କୌଣସି ଚାପ ରହିଥିଲା ନା ଅନ୍ୟ କିଛି କାରଣ ରହିଥିଲା ସେ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରାଯାଇଛି। 


ସେପଟେ ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ଜିଲ୍ଲା ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଶ୍ୱରଂଜନ ମହାନ୍ତିଙ୍କ ପୈତୃକ ଘର ବାରିପଦାରେ। ବିଶ୍ୱରଂଜନଙ୍କ ବାପା କହିଛନ୍ତି, ତାଙ୍କ ପୁଅ ମାନସିକ ଚାପରେ ରହିଥିଲେ। ଜିଲ୍ଲାପାଳ ଘରକୁ ଆସିବାକୁ ତାଙ୍କୁ ଛୁଟି ଦେଉନଥିଲେ। ଅକ୍ଟୋବର ୨୨ରେ ସେ କାମରେ ଯୋଗ ଦେଇଥିଲେ। ଅତ୍ୟାଧିକ କାମ ସହ ଛୁଟି ମିଳୁନଥିବାରୁ ବିଶ୍ୱରଂଜନ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ତାଙ୍କ ବାପା କହିଛନ୍ତି।