Odisha News ବରଗଡ଼: ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି। ବରଗଡ଼ ପାଲଟିବ ମଥୁରା ନଗରୀ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ୭୬ତମ ଧନୁଯାତ୍ରା ପାଇଁ ଅମ୍ବପାଲି ପଲଟିବାକୁ ଯାଉଛି ଗୋପପୂର। ବିଶ୍ୱର ଏହି ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ହେବାକୁ ଥିବା ଏହି ଯାତ୍ରାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିବେ। ମଥୁରା ଓ ଗୋପପୁର ମଝିରେ ପ୍ରବାହିତ ଜୀରାନଦୀ ଯମୂନା ନଦୀରେ ରୂପାନ୍ତର ହେବାକୁ ଯାଉଛି। ସେପଟେ ଉଭୟ ଜନପଦବାସୀ ମଥୁରା ଓ ଗୋପପୂରବାସୀରେ ରୂପାନ୍ତର ହୋଇଯିବେ। ଆଉ ଉଭୟ ଅଞ୍ଚଳର ବାସିନ୍ଦା ଦ୍ୱାପର ଯୁଗର ନାଗରିକ ପାଲଟିଯିବେ। ସେହିପରି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ମଥୁରା ନରେଶଙ୍କ ଜଣେ ଜଣେ ରାଜ କର୍ମଚାରୀ ଭୂମିକା ତୁଲାଇବେ। ପୋଲିସ ବାହିନୀ ମହାରାଜଙ୍କର ଅଙ୍ଗରକ୍ଷୀ ପାଲଟିବେ। 


COMMERCIAL BREAK
SCROLL TO CONTINUE READING

ଜିଲ୍ଲାପାଳ ମନ୍ତ୍ରୀ ଓ ଏସପି ସେନାପତି ପାଲଟିବେ। ପୋଷ୍ଟାଲ ବିଭାଗର ଚିଠି ଠିକଣା ଏବଂ ନାମୀଦାମୀ ଖବରକାଗଜଗୁଡ଼ିକରେ ବରଗଡଡ ଓ ଅମ୍ବାପାଲି ବଦଳରେ ମଥୁରା, ଗୋପପୁର ନାମରେ ଲେଖାଯିବ। ସେପଟେ ବରଗଡ଼ ଓ ଅମ୍ବାପାଲିର ନାଗରିକ ଦ୍ୱାପର ଯୁଗର ନାଗରିକ ହେବାକୁ ଥିବା ବେଳେ ଏହି ଅଞ୍ଚଳରେ ବର୍ତ୍ତମାନ ୧୧ ଦିନ ଧରି ଏକ ପୌରାଣିକ ଚିନ୍ତାଧାର ଓ ଜନଜୀବନରେ ପ୍ରତିଫଳିତ ହେବ। 


ସେପଟେ ଏହି ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ବର୍ତ୍ତମାନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ତୋରଣ କାମ ସରିଥିବା ସମୟରେ ତୋରଣକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି। କଂସ ମହାରାଜଙ୍କ ରାଜ ଦରବାର ରଙ୍ଗମହଲ ତଥା ସିଂହାସନ ମଧ୍ୟ ସୁନ୍ଦର ଭାବରେ ନିର୍ମିତ ହୋଇଛି। ଚଳିତ ବର୍ଷକୁ ମିଶାଇ ପ୍ରସିଦ୍ଧ ଧନୁଯାତ୍ରାକୁ ୭୬ ବର୍ଷରେ ପଦାର୍ପଣ କରୁଥିବାରୁ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି। ଏହି ଧନୁଯାତ୍ରା ୧୫ ଜାନୁଆରୀରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ବରଗଡ ହାଟପଦାରେ କଂସ ମହାରାଜଙ୍କ ପାଇଁ ଏକ ବିଶାଳ ରାଜଦରବାର ତିଆରି କରାଯାଇଛି। ଯାହାର ଉଚ୍ଚତା ୯୫ ଫୁଟ ଏବଂ ପ୍ରସ୍ଥ ପ୍ରାୟ ୪୫ ଫୁଟ ରହିଛି।


ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସୂଚାରୂ ରୁପେ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଞ୍ଚ କାରିଗରମାନେ ଅନ୍ତିମ ସ୍ପର୍ଷରେ ବ୍ୟସ୍ତ ଥିବା ବେଳେ କଳାକାରମାନେ ଆଜି ଠାରୁ ପିନ୍ଧିବାକୁ ଥିବା ରାଜକୀୟ ଉପାଧିର ମାନ ରକ୍ଷା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବରଗ଼ଡ଼ ସହରରେ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ରାସ୍ତାଘାଟ, ଦୋକାନବଜାର, ବିଜୁଳି ଖୁଣ୍ଟ ସବୁଠି ଲାଗିଥିବା ରନିଂ ଏଲଇଡ଼ି ବଲବ ଓ ଲିଚୁମାଳ ଅଭୂତପୂର୍ବ ଶୋଭାରାଜି ସୃଷ୍ଟି କରୁଛି। ବିଭିନ୍ନ ପ୍ରବେଶ ଦ୍ୱାରରେ ଲାଗିଥିବା ବିଜୁଳି ଲାଇଟର ତୋରଣ ଦର୍ଶକଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।