Odisha News: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ୍ ଟାଇଫସ ଆତଙ୍କ । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ (Scrub Typhus) ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ ପୁଣିଥରେ ୧୧ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଏବେ ୧୦୮ରେ ପହଁଞ୍ଚିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ (Sundargarh) ଜିଲ୍ଲାରେ ୫୪ଟି ନମୂନା ମଧ୍ୟରୁ ୧୧ରେ ସ୍କ୍ରବ୍ ଟାଇଫସ (Scrub Typhus) ଚିହ୍ନଟ ହେବା ପରେ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ (Health Department) । ଗତ ୧୪ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୩୦ ଜଣ ଓ ୧୫ ତାରିଖରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଗତ ମାସ ୨୩ ତାରିଖରେ ବଡ଼ଗାଁ ତୁଡ଼ାଲଗାର ଜଣେ ବ୍ୟକ୍ତିଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ପରେ ତାଙ୍କ ଶରୀରରେ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିଲା । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ଯରେ ସ୍କ୍ରବ୍ ଟାଇଫସ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ । ଏହି ଟିଙ୍କ ଜାତୀୟ କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ବଂଶ ବିସ୍ତାର କରିଥାଆନ୍ତି । ପୋଖରୀ, ବିଲ ବା ଜଙ୍ଗଲକୁ ଯାଉଥିବା ଲୋକେ କୀଟ କାମୁଡ଼ାର ଶିକାର ହୋଇଥାଆନ୍ତି । ଫଳରେ ଶରୀରରେ ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହେବା ଭଳି ଲକ୍ଷଣ (scrub typhus symptoms) ଦେଖାଯାଇଥାଏ । କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପ‌ରେ ତାହା କଳା ପଡ଼ିଯାଏ। ପରେ ରୋଗୀ ଜ୍ବରରେ ପଡ଼େ। ଏହି ଲକ୍ଷଣ ଦେଖା ଦେବା କ୍ଷଣି ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇପାରିବ ବୋଲି ଡ଼ାକ୍ତର ପରାମର୍ଶ ଦେଇଛନ୍ତି ।


ପ୍ରକାଶ ଥାଉ କି, ସ୍କ୍ରବ୍ ଟାଇଫସ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ଅନ୍ୟପଟେ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା ସହ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଲାଗି କୁହାଯାଉଛି ।


Also Read-Weather Update: ୧୮ରୁ ପୁଣି ବଢିବ ବର୍ଷା! ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା