Odisha News: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନକୁ ଓଡ଼ିଶାରେ ଲାଗୁ କରିବା ପାଇଁ ଆବଶ୍ୟକ ବୁଝାମଣାପତ୍ରକୁ ସ୍ୱାକ୍ଷର କରିଛନ୍ତି ରାଜ୍ୟସରକାର। ଏହାଦ୍ବାରା ଜାତୀୟସ୍ତରର ଶିକ୍ଷା ବ୍ୟବସ୍ଥା ସହ ଓଡ଼ିଶାର ଛାତ୍ରଛାତ୍ରୀମାନେ ତାଳ ଦେଇ ଚାଲିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ସରକାରଙ୍କ ୮୧ତମ ଦିନରେ ଏହି ସଫଳତା ହାସଲ କରିବା ସରକାରଙ୍କ ନିରନ୍ତର ପ୍ରଚେଷ୍ଟାର ପ୍ରମାଣ ବୋଲି ସେ କହିଛନ୍ତି। 

 

ବିଗତ ଦିନରେ ଶିକ୍ଷାକୁ ରାଜନୀତି ପରିଧିରେ ରଖାଯାଇଥିଲା। ସେହି ସଙ୍କୀର୍ଣ୍ଣ ମନୋଭାବ ହେତୁ ପିଏମ୍‍ ଉଷା କାର୍ଯ୍ୟକ୍ରମକୁ ଲାଗୁ କରାଯାଇପାରୁ ନଥିଲା। 

ଆଜି କିନ୍ତୁ ଏହି ରାଜନୀତିକରଣ ମନୋଭାବକୁ ସରକାର ଶିକ୍ଷା କ୍ଷାତ୍ରରୁ ବାହାର କରିଛନ୍ତି। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ରକ୍ଷା କରିବା ଲାଗି ସରକାର ଏହି କାର୍ଯ୍ୟକ୍ରମ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମାଝି କହିଛନ୍ତି, ଏଣିକ ୟୁଜିସି ଢାଞ୍ଚାରେ ରାଜ୍ୟରେ ଉଚ୍ଚଶିକ୍ଷା ନିୟନ୍ତ୍ରଣ କରାଯିବ। ୨୦୨୩୬ ବେଳକୁ ଓଡ଼ିଶା ଯେତେବେଳେ ରାଜ୍ୟ ଗଠନର ୧୦୦ତମ ବର୍ଷକୁ ପାଳନ କରିବ ସେତେବେଳକୁ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଉତ୍କର୍ଷ ଲାଭ କରିଥିବ ବୋଲି ଆଶା ପ୍ରକାଶ କରିଛନ୍ତି। 

 

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନେକ ସମୟରେ ଏଠାରେ ଉଚ୍ଚଶିକ୍ଷା ଲାଭ କରିଥିବା ଆମର ଟେକ୍ନୋଲୋଜି ଗ୍ରାଜୁଏଟମାନେ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିପାରୁ ନାହାନ୍ତି। ଏଣୁ ବିଭିନ୍ନ ସମୟରେ ନିଯୁକ୍ତି ପାଇପାରୁ ନାହାନ୍ତି। ପିଏମ୍‍ ଉଷା ତାହାକୁ ଦୂର କରିବ ବୋଲି ସେ କହିଛନ୍ତି। ଏହାକୁ ଡବଲ ଇଞ୍ଜିନ୍‍ ସରକାରର ଫାଇଦା ବୋଲି କହିଛନ୍ତି ଶ୍ରୀ ମାଝି। ଶାସନର ୮୧ତମ ଦିନରେ ଆଜି ସମସ୍ତ ବାଧା ବାଘ୍ନକୁ ବାଦ ଦେଇ ସରକାର ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିଛନ୍ତି। ଏଣୁ ଆଗକୁ ରାଜନୀତିକରଣରୁ ମୁକ୍ତ ହୋଇ ରାଜ୍ୟ ସରକାର କେନ୍ଦ୍ରର ପ୍ରତିଟି ଯୋଜନାକୁ ରାଜ୍ୟରେ ଲାଗୁ କରିବେ ବୋଲି କହିଛନ୍ତି ଶ୍ରୀ ମାଝି।