President madam droupadi murmu ଭୁବନେଶ୍ୱର: ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଆରମ୍ଭ ହେବ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ତେବେ ରାଷ୍ଟ୍ରପତିଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମୀକ୍ଷା ବୈଠକ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ୨ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଭୁବନେଶ୍ୱରରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। 


COMMERCIAL BREAK
SCROLL TO CONTINUE READING

ସେଠାରୁ ପ୍ରୋଟକୋଲ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ, ମେୟର, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ସ୍ୱାଗତ କରିବେ। ତେବେ ବିମାନବନ୍ଦରରୁ ସିଧାସଳଖ ନିଳାଦ୍ରୀବିହାରସ୍ଥିତ ଏକ ବସ୍ତିକୁ ଯିବେ। ସେଠାରେ ପଣ୍ଡତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ପରେ ସନ୍ଧ୍ୟା ୬ଟା ୨୫ରେ ରାଜଭବନରେ ପହଞ୍ଚି ବିଶ୍ରାମ କରିବେ। ରାଜଭବନରେ ରାତ୍ରଭୋଜନ ଓ ରହଣୀ କରିବେ। 


ପରେ ୪ ତାରିଖ ଦିନ ସକାଳ ୯ଟାରୁ ପୁରୀ ଅଭିମୁଖେ ଗସ୍ତ କରିବେ ରାଷ୍ଟ୍ରପତି । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରି ଦିନ ୧୦ଟାରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହା ପରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ୧୨ଟା ୧୦ରେ ପୁରୀ ରାଜଭବନରେ ପହଞ୍ଚିବେ।  ଅପରାହ୍ଣ ୩ଟା ୪୦ରେ ପୁରୀ ରାଜଭବନରେ ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ପରେ ଦିନ ୩ଟା ୪୫ ମିନିଟରେ ସେ ବ୍ଲ୍ୟୁ ଫ୍ଲାଗ ବିଚରେ ଭାରତୀୟ ନୌସେନା ଦିବସରେ ଯୋଗଦେବେ। ପୁରୀ ରାଜଭବନରେ ରାତ୍ରୀଯାପନ କରିବେ। 


ପରଦିନ ଅର୍ଥାତ ୫ ତାରିଖ ଦିନ ୧୦ଟା ୫ମିନିଟରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଭୁବନେଶ୍ୱରରେ ଓୟୁଏଟିରେ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟ ପରିସରରେ ଜୁଡିସିଆଲ କମ୍ପ୍ଲେକ୍ସ ଉଦଘାଟନ କରିବେ। ସନ୍ଧ୍ୟା ୭ଟାରୁ ୭ଟା ୩୦ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୬ ତାରିଖରେ ମୟୂରଭଞ୍ଜ ଅଭିମୁଖେ ଗସ୍ତ କରିବେ। ବିମାନବନ୍ଦରରୁ ପଞ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦରରେ ଅବତରଣ କରି ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଅଭିମୁଖେ ଗସ୍ତ କରିବେ। ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଇରଙ୍ଗପୁର ଗେଷ୍ଟ ହାଉସରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ। ପରଦିନ ଅର୍ଥାତ ୭ ତାରିଖରେ ବାଙ୍ଗିରିପୋଷି, ବୁଢାମରା-ଚକୁଳିଆ-ବାଦାମପାହାଡ଼ ରେଳ ଲାଇନର ଶିଳାନ୍ୟାସ କରିବେ। ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଦିନ ୧ଟା ୧୫ ମିନିଟରେ ସେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବେ।