ଭୁବନେଶ୍ଵର, ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଣ ବିସ୍ଫୋରଣ ଘଟି ୪୦ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏଥିରୁ ଆଜି ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଜୀବନ ସହ ସଂଘର୍ଷ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ସେହିପରି ଘଟଣାଅନୁସାରେ, ୨୯ ତାରିଖରେ ସନ୍ଧ୍ୟାରେ ମହାପ୍ରଭୁଙ୍କ ଚାପ ଖେଳ ସମୟରେ ଏହି ବାଣ ବିସ୍ଫୋରଣ ହୋଇଥିଲା। ଘଟଣାରେ ୪୦ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ  ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା। ଗୁରୁବାର ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଅନ୍ୟ ୩ଜଣ ଓ ଶନିବାର ଆଉ ୪ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି। ସେହିପରି ଆଜି ଆଉ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


ପୁରୀ ତଳନୂଆସାହିର ଟୁକୁନା ବେହେରା(୧୫) ଙ୍କର ୨୫ ପ୍ରତିଶତ, ରାହୁଲ ବେହେରା(୧୪)ଙ୍କର ୬୫ ପ୍ରତିଶତ, ମନମୋହନ ବେହେରା(୨୪)ଙ୍କର ୫ ପ୍ରତିଶତ, ମାର୍କେଣ୍ଡେଶ୍ବର ସାହିର ବଳରାମ ଦାସ(୧୫)ଙ୍କର ୧୫ ପ୍ରତିଶତ, ନୀଳଚକ୍ର ନଗରର ସିପୁ ପଣ୍ଡା(୧୮) ଙ୍କର ୧୭ ପ୍ରତିଶତ ଶରୀର ପୋଡ଼ିଯାଇଛି। ଏମାନେ ସମସ୍ତେ ଏବେ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଆଇସିୟୁରେ ଦୁଇ ଜଣ ଓ ସର୍ଜରି ବିଭାଗରେ ୩ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାଏକ ସୂଚନା ଦେଇଛନ୍ତି। 


ଅନ୍ୟପଟେ, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଏ ନେଇ ଆସନ୍ତା ୬ ତାରିଖରେ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଆଜି ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଚିଠି କରି ଅବଗତ କରାଇଛନ୍ତି ଅତିରିକ୍ତ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପଦ୍ମନାଭ ବେହେରା। ଶ୍ରୀ ବେହେରା କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ହେବ। ଅତିରିକ୍ତ ରିଲିଫ୍‌ କମିସନର୍‌ ଏହାର ତଦନ୍ତ କରିବେ। ଏଣୁ ଆସନ୍ତା ୬ ତାରିଖରେ ଚନ୍ଦନଯାତ୍ରା ନୀତିରେ ସଂପୃକ୍ତ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ବ୍ୟକ୍ତିବିଶେଷ, ପୁରୀ ଆରକ୍ଷୀ ଅଧୀକ୍ଷକ, ସହକାରୀ ଅଗ୍ନିଶମ ଅଧିକାରୀ, ପ୍ରତ୍ୟକ୍ଷଦର୍ଶୀ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ହେବା ସହ ଘଟଣାର ତଦନ୍ତ ହେବ। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୫ ତାରିଖ ଦିନ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ଏହାର ତଦନ୍ତ କରାଯିବ। ଏହି ସମୟରେ ଗଠିତ ତଦନ୍ତକାରୀ ଟିମର ସଦସ୍ୟମାନେ ଉପସ୍ଥିତ ରହିବା ସହିତ ଘଟଣାସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Writing By- Debabratta


Also Read- ହାଇ ହିଲ୍ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା