Odisha Govt officers: ଅବସର ପରେ ଥଇଥାନ ଲାଗି ଲବି ଆରମ୍ଭ
Advertisement
Article Detail0/zeeodisha/odisha2316896

Odisha Govt officers: ଅବସର ପରେ ଥଇଥାନ ଲାଗି ଲବି ଆରମ୍ଭ

Odisha News: ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ ଭାଜପା ଯେଉଁ ୫-ତାମିଲ୍ ଅଫିସରମାନଙ୍କ ଉପରେ ଆକ୍ରମଣ କରିଥିଲା ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥିଭାଥନନ । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଯାବତୀୟ ଦୁର୍ନୀତିର ପ୍ରାଣକେନ୍ଦ୍ର ବୋଲି କୁହାଯାଉଛି । ବିଗତ ୧୧ ବର୍ଷ ହେଲା ସଚିବ ଜି. ମାଥିଭାଥନନ ଏହି ବିଭାଗରେ ଗାଦିମାଡ଼ି ରହିଛନ୍ତି । 

Odisha Govt officers

ଭୁବନେଶ୍ୱର: ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ ଭାଜପା ଯେଉଁ ୫-ତାମିଲ୍ ଅଫିସରମାନଙ୍କ ଉପରେ ଆକ୍ରମଣ କରିଥିଲା ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥିଭାଥନନ । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଯାବତୀୟ ଦୁର୍ନୀତିର ପ୍ରାଣକେନ୍ଦ୍ର ବୋଲି କୁହାଯାଉଛି । ବିଗତ ୧୧ ବର୍ଷ ହେଲା ସଚିବ ଜି. ମାଥିଭାଥନନ ଏହି ବିଭାଗରେ ଗାଦିମାଡ଼ି ରହିଛନ୍ତି । ରାଜ୍ୟର ସହରାଞ୍ଚଳରେ ଯେତେସବୁ ଦୁର୍ନୀତି ହୋଇଛି ତାଙ୍କ ସମୟରେ ହୋଇଛି । ତାଙ୍କୁ ଏଥିରେ ବିଭାଗରୁ ବଦଳି ନ ହୋଇ ଦୀର୍ଘ ୧୦ ବର୍ଷ ହେଲା ରହିଥିବା ଓଏଏସ୍ ଅଧିକାରୀ ସଂଗ୍ରାମଜିତ୍ ନାୟକ ଓ ସାରଦା ପ୍ରସାଦ ପଣ୍ଡା ସାହାଯ୍ୟ କରିଥିବା ଆଲୋଚନା ହେଉଛି । ଅତ୍ୟନ୍ତ ବିବାଦୀୟ ହୋଇପଡ଼ିଥିବା ଏହି ଦୁଇ ଅଧିକାରୀଙ୍କର ଅବସର ପରେ ବିଭାଗରେ ପୁଣି ନିଯୁକ୍ତ ଦେବା ପାଇଁ ସଚିବ ଫାଇଲ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇଥିବା ନିର୍ଭଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

କେବଳ ଏହି ଦୁଇଜଣ ଓଏଏସ୍ ଅଫିସର ନୁହଁନ୍ତି ଅନେକ ଅବସରପ୍ରାପ୍ତ ଓଏଏସ୍ ଅଫିସର ନବୀନ ସରକାରକୁ ସେବା ଯୋଗାଇବା ପରେ ଏବେ ମୋହନ ସରକାରକୁ ସେବା ଯୋଗାଇବା ଲକ୍ଷ୍ୟରେ ଅଛନ୍ତି । ଅଫିସରମାନଙ୍କର ଅବସର ପରେ ନିଯୁକ୍ତି ଦେବା ଧାରାକୁ ଜାରୀ ରଖିବେ କି ବନ୍ଦ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାଜପାର ଗୋଟିଏ ଗୋଷ୍ଠୀ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥିଭାଥନନଙ୍କୁ ଭଲ ଆୟକାରୀ ବିଭାଗରେ ନିଯୁକ୍ତି ଦେବାପାଇଁ ଲାଗିପଡ଼ିଥିବା ଆଲୋଚନା ହେଉଛି । ତାଙ୍କୁ ଭଲ ବିଭାଗ ମିଳିବ କି ନାହିଁ ତାହା ଖୁବ୍ଶୀଘ୍ର ଜଣାପଡ଼ିବ ।

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଗାଦି ମାଡ଼ି ବସିଥିବା ଉପରୋକ୍ତ ଦୁଇ ଓଏଏସ୍‌ ବାବୁ ଏବେ ଅବସର ପରେ ବି ବିଭାଗ ଛାଡ଼ିବାକୁ ନାରାଜ । ଦଶବର୍ଷରୁ ଅଧିକ ସମୟ ହେଲା ବିଭାଗରେ ଥିବା ଶ୍ରୀ ପଣ୍ଡାଙ୍କ ହାତରେ ଆହାର, ମୁକ୍ତା ଭଳି ଯୋଜନା ଥିବାବେଳେ ସୁଡାର ପରିଚାଳନା ମଧ୍ୟ ତାଙ୍କ ହାତରେ ରହିଥିଲା । ଶ୍ରୀ ପଣ୍ଡା ହେଉଛନ୍ତି ବିଭାଗରେ ଠିକା ନିଯୁକ୍ତିର ମାଷ୍ଟରମାଇଣ୍ଡ । କେଉଁ ମାନବସମ୍ବଳ ଯୋଗାଣକାରୀ ସଂସ୍ଥା ବିଭାଗକୁ ଠିକା କର୍ମଚାରୀ ଯୋଗାଇବେ ଓ କେଉଁମାନେ ନିଯୁକ୍ତି ପାଇବେ ଶ୍ରୀ ପଣ୍ଡାଙ୍କ ବିନାନୁମତିରେ ତାହା ହୁଏ ନାହିଁ । ନିଜ ଅଞ୍ଚଳର ଏକାଧିକ ଲୋକଙ୍କୁ ବିଭାଗର ବିଭିନ୍ନ ଦପ୍ତରରେ ଠିକା ନିଯୁକ୍ତି ଦେବା ସହିତ ନିଜର ଚିହ୍ନାପରିଚୟ ଲୋକଙ୍କୁ ଏଠାରେ ଥଇଥାନ କରି ଶ୍ରୀ ପଣ୍ଡା ବିପୁଳ ଅର୍ଥ ରୋଜଗାର କରିଥିବା ଆଲୋଚନା ହେଉଛି । ରାଜ୍ୟ ଭିତର ଓ ବାହାରର ଏକାଧିକ କର୍ମଚାରୀ ଯୋଗାଣ ସଂସ୍ଥାଙ୍କୁ ଆଣି ଗୃହ ଓ ନଗର ଉନ୍ନୟନ ବିଭାଗରେ ଭର୍ତ୍ତି କରି ଶ୍ରୀ ପଣ୍ଡା ଭଲ ଦୁଇ ପଇସା ଆଦାୟ କରିଥିବା ଅଫିସର ମହଲରେ ଚର୍ଚ୍ଚା ହେଉଛି । 

ସହିଭଳି ସଂଗ୍ରାମଜିତ୍ ନାୟକ ଏଠାରେ ଦୀର୍ଘଦିନ କାର୍ଯ୍ୟ କରିବାପରେ ସଚିବଙ୍କ ଦୟାରୁ ଅବସର ପରେ ଏଠାରେ ଠିକା ନିଯୁକ୍ତି ପାଇଥିଲେ । ବିଭାଗରେ ହେଉଥିବା ଯାବତୀୟ ଅନିମୟିତତାର ମାଷ୍ଟରମାଇଣ୍ଡ ଶ୍ରୀ ନାୟକ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ନାୟକ ଏବେ ନିଜର ଠିକା ନିଯୁକ୍ତିକୁ ପୁଣିଥରେ ବଢ଼ାଇବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ସଚିବ ବି ଏଠାରୁ ବିଦା ହେବା ପୂର୍ବରୁ ନିଜର ଦୁଇ ନନ୍ଦି ଭୃଙ୍ଗୀଙ୍କୁ ଥଇଥାନ କିଭଳି କରିବେ ସେଥିପାଇଁ ଉଦ୍ୟମ କରୁଛନ୍ତି । କାରଣ ସିଏ ଭଲଭାବେ ଜାଣିଛନ୍ତି ଯଦି ଏହି ଦୁଇଜଣ ଏଠାରୁ ବିଦା ହେବେ ତେବେ ବିଭାଗର ଅନେକ ଗୁମର ଫିଟିବ ଓ ତିନିଜଣ ଯାକ ଖାଲରେ ପଡ଼ିବେ । ଗୃହ ଓ ନଗର ଉନ୍ନୟନ ବିଭାଗର କଳାକାରନାମା ଉପରୁ ପରଦା ଉଠାଇ ବିଜଦ ନେତାଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ଭାଜପା ସରକାର ଯୋଜନା କରିଛି ।