Puri News: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
Puri news: ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ପ୍ରାୟ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Puri news: ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ପ୍ରାୟ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ପଞ୍ଚୁକର ପ୍ରଥମ ଦିନରେ ରତ୍ନସିଂହାସନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହୋଇଥିବା ବେଳେ ଆଜି ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥିଲେ । ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏହି ବେଶ ଦର୍ଶନ ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଚର୍ମଚକ୍ଷୁରେ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଥିଲେ।
ସବୁଠାରୁ ପବିତ୍ର ମନେକରାଯାଉଥିବା ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ମରଚିକୋଟ ଛକଠାରୁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ପୂର୍ବପରି ସିଂହଦ୍ଵାର ଦେଇ ଭକ୍ତ ମାନଙ୍କୁ ପ୍ରବେଶର ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ମନ୍ଦିର ଭିତରକୁ ଛଡାଯାଉଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି। ଆସନ୍ତାକାଲି ଡାଳିକିଆ ବେଶ ବା ତ୍ରୀବିକ୍ରମ ବେଶ ଅନୁଷ୍ଠିତ ହେବାକୁ ଥିଵାବେଳେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବେ।