Brown Sugar Smuggling Rise in Puri: ବ୍ରାଉନ୍‌ ସୁଗାର ବଳୟରେ ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ର। ସହରରେ ଏବେ ମାଳ ମାଳ ବ୍ରାଉନ୍‌ ସୁଗାର ବେପାରୀ। ଶ୍ରୀମନ୍ଦିର ଆଖପାଖ ସହିତ ବଡ଼ଦାଣ୍ଡ, ବେଳାଭୂମି, ସିଟି ରୋଡ୍ ଅଞ୍ଚଳରେ ମାରାତ୍ମକ ନିଶା କାରବାର କାୟା ବିସ୍ତାର କରିବାରେ ଲାଗିଛି। ଏପରିକି ସହରର ଗଳିକନ୍ଦିରେ ମିଳୁଛି ବ୍ରାଉନ୍‌ ସୁଗାର୍। ସହରରୁ ଗାଁ ଗଣ୍ଡାକୁ ବ୍ୟାପି ଗଲାଣି ଏଭଳି ମାରାତ୍ମକ ନିଶା କାରବାର। କୋର୍ଡ ୱାର୍ଡ ‘ଗୋଡ଼ି’ ଆଉ ‘ଥୋପ’ ନାମରେ ଚାଲିଛି ବ୍ରାଉନ୍‌ ସୁଗାର କାରବାର। ବିପଦ ରହିଥିଲେ ମଧ୍ୟ ଅଧିକ ଲାଭ ମିଳୁଥିବାରୁ ଯୁବପିଢ଼ି ରୋଜଗାରର ବାଟ ଭାବେ ବାଛି ନେଇଛନ୍ତି। ସେପଟେ ଆଗକୁ ନିର୍ବାଚନ ଏବଂ ରଥଯାତ୍ରା ରହିଥିବା ବେଳେ ଏହାକୁ ପୋଲିସ ପ୍ରଶାସନ ଗୁରୁତ୍ବର ସହ ନେଇ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।


COMMERCIAL BREAK
SCROLL TO CONTINUE READING

ଆଗକୁ ଆସୁଛି ନିର୍ବାଚନ। ଆଉ ପୁରୀ ସହରରେ ବଢି ଚାଲିଛି ନିଶା କାରବାର ସହ ବଡବଡ ଅପରାଧ। ଧଳାଜହର ବ୍ଯବସାୟର ହବ ପାଲଟିଛି ପୁରୀ ସହର। ଜିଲ୍ଲାରେ ଗତ ୨୦୨୨ ଏବଂ ୨୦୨୩ ବର୍ଷରେ ପୁଲିସ ଏବଂ ଅବକାରୀ ବିଭାଗର ସରକାରୀ ହିସାବ ଅନୁସାରେ ମୋଟ ୧୯ କେଜି ୪୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇସାରିଛି। ଯାହାର ଆନୁମାନିକ ମୁଲ୍ଯ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ନିଶା କାରବାରରେ ସମ୍ପୃକ୍ତ ୩୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ। ପୁଲିସ ୧୬୮ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୯ କେଜି ୬୪ ଗ୍ରାମ୍ ବ୍ରାଉନସୁଗର୍ ଜବତ କରିଥିବା ବେଳେ ଅବକାରୀ ବିଭାଗ ୧୩୬ ଜଣଙ୍କ ଠାରୁ ୧୦ କେଜି ୩୮୧ ଗ୍ରାମ ବ୍ରାଉନ୍‌ ସୁଗର୍ ଜବତ କରିଛି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଜବତ ବ୍ରାଉନ୍ ସୁଗର ନମୁନା ପରୀକ୍ଷାଗାରକୁ ପଠାଯାଇଥାଏ। ପୁରୀ ସହରକୁ ବ୍ରାଉନ୍‌ସୁଗର ଖୋର୍ଦ୍ଧାରୁ ଆସୁଥିବା ଜଣାପଡ଼ିଛି। ଖୋର୍ଦ୍ଧାର ଡିଲର ପୁରୀ ସହରରେ ବ୍ରାଉନ୍ସୁଗର ପହଞ୍ଚାଇବା ପରେ ସାରା ଜିଲ୍ଲାକୁ ଖୁଚୁର ବ୍ୟବସାୟୀ ନେଇ କାରବାର କରିଥାନ୍ତି। 


ପୁଲିସ-ଅବକାରୀ ବିଭାଗ କେବଳ ଖୁଚୁରା ବେପାରୀଙ୍କୁ ଧରୁଥିବା ବେଳେ ବଡ଼ ବେପାରୀଙ୍କ ଧରିବାରେ ସକ୍ଷମ ହୋଇପାରୁନାହିଁ। ତଥାପି କାରବାର ଚାଲୁଛି। ଖୁଚୁରା ବେପାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନେ କେଉଁଠୁ ବ୍ରାଉନ୍ସୁଗର ପାଉଛନ୍ତି ଏବଂ କାହାକୁ ବିକ୍ରି କରୁଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ସେମାନଙ୍କ ଠାରୁ କୌଣସି ତଥ୍ୟ ସଂଗ୍ରହ କରିପାରୁନାହିଁ। ଗତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ସଦର ଥାନା ପୁଲିସ ନୀଳଚକ୍ର ନଗରରୁ ଜଣେ ବ୍ଯକ୍ତିଙ୍କ ଠାରୁ ୨୭୦ ଗ୍ରାମ ବ୍ରାଉନ ସୁଗର ସହ ୫୨,୬୦୦ ଟଙ୍କା ଜବତ କରିଥିଲା। ହେଲେ ଏହା କେଉଁଠୁ ଆସିଲା ତାହାର ଚେର ବର୍ତ୍ତମାନ ପର୍ଯ୍ୟନ୍ତ ପାଇପାରି ନାହିଁ ପୋଲିସ। ଆଗକୁ ନିର୍ବାଚନ ଏବଂ ରଥଯାତ୍ରା ଆସୁଥିବା ବେଳେ ଏହାକୁ ପୋଲିସ ପ୍ରଶାସନ ଗୁରୁତର ସହ ନେଇ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ତଥା ସ୍ଥାନୀୟ ବାସିନ୍ଦା।


ସେପଟେ ପୁରୀ ସହରକୁ ଧଳା ଜହର ମୁକ୍ତ କରିବା ପାଇଁ ଏହି କାରବାରରେ ସମ୍ପୃକ୍ତ ରହିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଧଳାଜହର ବ୍ଯବସାୟର ମୂଳ ପର୍ଯ୍ୟନ୍ତ ଯିବ ପୋଲିସ। ଗତ ୨  ଦିନ ତଳେ ତାଳବଣିଆ ଅଞ୍ଚଳରୁ ୫୦୦ ଗ୍ରାମରୁ ଉର୍ଦ୍ଧ୍ବ ଅର୍ଥାତ ପ୍ରାୟ ୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଖୋର୍ଦ୍ଧା ଅଞ୍ଚଳର ୨ ଜଣ ବ୍ଯବସାୟୀଙ୍କୁ ଗିରଫ କରାଯାଇଛି। ଆଗକୁ ନିଶା ଚୋରା କାରବାର ସହ ସମ୍ପୃକ୍ତ ଅପରାଧିଙ୍କୁ କ୍ଷମା ଦିଆଯିବ ନାହିଁ। କେଉଁଠୁ ବ୍ରାଉନ ସୁଗାର ଆସୁଛି, କେଉଁ ଅଞ୍ଚଳରେ ବିକ୍ରି କରାଯାଉଛି, କେଉଁମାନେ ଏହି ବ୍ଯବସାୟ ସହ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ। ନିଶା କାରବାରର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବ। ଆଗକୁ ନିର୍ବାଚନ ରହିଥିବାରୁ ଧଳାଜହର ବ୍ଯବସାୟ ଉପରେ ସତର୍କ ନଜର ରହିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର। ସମସ୍ତ ପୋଲିସ ଅଧିକାରୀଙ୍କ ସହ ମିଶି ସହରରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛନ୍ତି ଏସପି। ପୁରୀ ସହର ସମେତ ସଦର ତଥା ଜିଲ୍ଲାରେ ଅପରାଧ ଏବଂ ଅପରାଧିଙ୍କୁ ଦମନ ସହ ନିଶା କାରବାର ରୋକିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସପି।


ପୁରୀ ସହରର ବାସେଳିସାହି ଥାନା ଅଞ୍ଚଳରେ ଜଗନ୍ନାଥ ବସ୍ତି, ତାଳବଣିଆ ଥାନା ଅଞ୍ଚଳରେ ହୁଳୁହୁଳିଆ ପୋଲ ଏବଂ ଭୂଦାନ ସହ ତାଳବଣିଆ ଜଙ୍ଗଲ, ସମୁଦ୍ର କୂଳ ଥାନା ଅଧିନସ୍ଥ ହେଲିପ୍ୟାଡ୍, ବାଲିନୋଳିଆ ସାହି, ବଳିଆପଣ୍ଡା ବସ୍ତି ଅଞ୍ଚଳ, ସଦର ଥାନା ଅଧିନସ୍ଥ ଅଠରନଳା ଅଞ୍ଚଳ ସହ ଛଇତନା, ଗୋପ ଥାନା ଅଧିନସ୍ଥ ଏରବଙ୍ଗ ପଞ୍ଚାୟତ ତାରିଣୀ ମନ୍ଦିର, ଦେବୀ ବଜାର, ଯୋଶ୍ଵରପୁର ଫିଲ୍ମ ହଲ୍, କଣାସ ଏବଂ ଗଡ଼ିଶାଗୋଦା ଥାନା ଅଧିନସ୍ଥ ଜଙ୍କିଆଗଡ଼, କେଶରପୁର ଛକ, କାଦୁଆ, ବିଜିପୁର, ଦୋକନ୍ଦା, ମନ୍ଦାରବସ୍ତ ଅଞ୍ଚଳ, ବଳଙ୍ଗା ଥାନା ଅଧିନସ୍ଥ ରେଞ୍ଚ ଛକ, ଭାଣପୁର, ପଦନପୁର ଅଞ୍ଚଳ, ନିମାପଡ଼ା ଥାନା ଅଧିନସ୍ଥ ନୁହାରକିରି, ଗୁହାଳପଡ଼ା, ଭୋବନିପୁର ଅଞ୍ଚଳ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, କାକଟପୁର,ଅସ୍ତରଙ୍ଗ, କୃଷ୍ଣପ୍ରସାଦ, ଚାରିଛକ, କୋଣାର୍କ, ରାମଚଣ୍ଡୀ, ଚନ୍ଦନପୁର, ବ୍ରହ୍ମଗିରି ଏବଂ ୪ ସାମୁଦ୍ରିକ ଥାନା ଅଞ୍ଚଳରେ କେବେ ରୋକାଯିବ ନିଶା କାରବାର ତାହା ଉପରେ ରହିଛି ନଜର।