CMO Odisha: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୩ ସ୍ୱତନ୍ତ୍ର ଅଧିକାରୀଙ୍କ ଇସ୍ତଫା
Chief Minister`s Office, Odisha: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁଠାରୁ କ୍ଷମତାପନ୍ନ ଥିଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍। ତାଙ୍କ ସହ ଶ୍ରୀ ବାଲାକ୍ରିଷ୍ଣନ୍, ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସାମ୍ବାଜି କୁଟ୍ଟେ ଏବଂ ଆଇଏଏସ୍ ଅଧିକାରୀ ଭିନୀଲ କ୍ରିଷ୍ଣାଙ୍କୁ ନେଇ ଗଠିତ ପାରିଷଦ ସବୁଠାରୁ କ୍ଷମତାଶାଳୀ ଗୋଷ୍ଠୀ ଭାବେ ଗ୍ରହଣ କରାଯାଉଥିଲା।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୩ ପୂର୍ବତନ ଆଇଏଏସ୍ ଅଧିକାରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର ବାଲାକ୍ରିଷ୍ଣନ୍, ସୁରେଶ ମହାପାତ୍ର ଏବଂ ଉପେନ୍ଦ୍ର ତ୍ରିପାଠୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ଇସ୍ତଫାପତ୍ର ମଧ୍ୟ ଗ୍ରହଣ କରାଯାଇଥିବା ସାଧାରଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଅଧିକାରୀମାନେ ତାଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଥିବାବେଳେ ବାଲାକ୍ରିଷ୍ଣନ୍ ସ୍ୱତନ୍ତ୍ର ପଦକ୍ଷେପର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଉପେନ୍ଦ୍ର ତ୍ରିପାଠୀଙ୍କୁ ଶିକ୍ଷା ବିଭାଗର ପରାମର୍ଶଦାତା ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ କରାଯାଇଥିଲା। ଏ ସମସ୍ତେ ନିୟମିତ କାର୍ଯ୍ୟରୁ ଅବସର ନେଇ ସାରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁଠାରୁ କ୍ଷମତାପନ୍ନ ଥିଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍। ତାଙ୍କ ସହ ଶ୍ରୀ ବାଲାକ୍ରିଷ୍ଣନ୍, ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସାମ୍ବାଜି କୁଟ୍ଟେ ଏବଂ ଆଇଏଏସ୍ ଅଧିକାରୀ ଭିନୀଲ କ୍ରିଷ୍ଣାଙ୍କୁ ନେଇ ଗଠିତ ପାରିଷଦ ସବୁଠାରୁ କ୍ଷମତାଶାଳୀ ଗୋଷ୍ଠୀ ଭାବେ ଗ୍ରହଣ କରାଯାଉଥିଲା। ଏହି ୪ ଜଣଙ୍କ ସହ ନଗର ଉନ୍ନୟନ ସଚିବ ତଥା କମିଶନର ଜି ମାଥିଭାଥନନ୍ଙ୍କୁ ମିଶାଇ ଲୋକେ ପଞ୍ଚୁ ପାଣ୍ଡବ ବୋଲି କହୁଥିଲେ। ଯାହାଙ୍କ ଭିତରୁ କେହି ବି ସଦୟ ହେଲେ ଯେ କୌଣସି ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଆପେ ଚାଲୁଥିବା ଅଭିଯୋଗ ହେଉଥିଲା।
ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଅଧ୍ୟକ୍ଷ ଭାବେ ପରିଚିତ ଥିଲେ। ନିର୍ବାଚନ ପୂର୍ବରୁ ସେ ଆଇଏସ୍ରୁ ଇସ୍ତଫା ଦେଇ ରାଜନୀତିରେ ଯୋଗ ଦେଇଥିଲେ। କିନ୍ତୁ ବିଜେପିର ଅଭିଯୋଗ ପରେ ତଥା ନିର୍ବାଚନ ଘୋଷଣା ପରେ ତାଙ୍କ ନାଁ ଅଫିସର ତାଲିକାରୁ ହଟାଯାଇଥିଲା।
ଶ୍ରୀ ବାଲାକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶାର ସଂସ୍କୃତି ବିଷୟରେ ଗବେଷଣା କରୁଥିବା ପ୍ରଚାର କରାଯାଇଥିଲା। ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସାମ୍ବାଜି କୁଟ୍ଟେଙ୍କୁ ନିକଟରେ ନିର୍ବାଚନ କମିଶନର ନିର୍ବାଚନ ପ୍ରକ୍ରିୟାରେ ବାଧା ଆଣୁଥିବା ହୃଦବୋଧ କରି ନିଲମ୍ବନ କରିଛନ୍ତି। ସେ ଏବେ ଦିଲ୍ଲୀର ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ। ସୁରେଶଚନ୍ଦ୍ର ମହାପାତ୍ର ରାଜ୍ୟର ମୁଖ୍ୟ ସଚିବ ଥିଲେ। ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା।