ଭୁବନେଶ୍ୱର: ଆଜି ଅପରାହ୍ଣରେ ଏଏସ୍‍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡିବି ଗଡ଼ ନାୟକ ରଥଯାତ୍ରା ପରଦିନ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ମିଡିଆ ଆଗରେ ପ୍ରକାଶ କରିଥିଲେ। ପୂର୍ବ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଏଏସ୍‍ଆଇ ପ୍ରସ୍ତୁତ ହୋଇଛି ବୋଲି କହିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିଲା। ମିଡିଆରେ ଏହି ରିପୋର୍ଟ ବିଜୁଳି ବେଗରେ ବ୍ୟାପିଥିବା ବେଳେ ସରକାରଙ୍କ ଆଇନ ମନ୍ତ୍ରୀଙ୍କ ପାଖରେ ଏ ବାବଦରେ  କୌଣସି ତଥ୍ୟ ନଥିଲା। ସନ୍ଧ୍ୟାରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଡିବି ଗଡ଼ନାୟକଙ୍କୁ ଇଙ୍ଗିତ କରି କହିଥିଲେ,  ଜଣେ ସରକାରୀ ଅଧିକାରୀ ନିଜର ଦୋଷ ତ୍ରୁଟି ଯୋଗୁଁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। 


COMMERCIAL BREAK
SCROLL TO CONTINUE READING

ଏଥିରୁ ସ୍ପଷ୍ଟ ଯେ, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ଯେଉଁ ଖବର ପ୍ରସାରଣ ହୋଇଛି ତାହା କେବଳ ବିଭ୍ରାନ୍ତ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ରାଜ୍ୟ ସରକାର ଏବଂ ପରିଚାଳନା କମିଟି ଏ ବାବଦରେ ଅବଗତ ନାହାନ୍ତି। ଏଣୁ କେବେ ରତ୍ନ ଭଣ୍ଡାର ଖୋଲିବ ସେ ନେଇ ସରକାର ନିଷ୍ପତ୍ତି ନେବେ। ଏ ବାବଦରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି  ଶ୍ରୀ ହରିଚନ୍ଦନ କରିଛନ୍ତି।  ଶ୍ରୀ ହରିଚନ୍ଦନଙ୍କ ଏହି ବୟାନ ପରେ ପୁଣିଥରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀ ଗଡ଼ ନାୟକ। ଏଏସ୍‍ଆଇ ପ୍ରସ୍ତୁତ ରହିଛି ଏବଂ ସରକାରଙ୍କ ଆଦେଶ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। 


ଶେଷଥର ପାଇଁ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ୧୯୭୮ ମସିହାରେ ଖୋଲାଯାଇ ଗଣତି କରାଯାଇଥିଲା। ଭିତର ରତ୍ନ ଭଣ୍ଡାରର ସୁରକ୍ଷାକୁ ଆଖି ଆଗରେ ରଖି ସର୍ବେକ୍ଷଣ କରିବାକୁ ଅନେକ ଦିନ ହେଲା ଦାବି ହେବା ପରେ ୨୦୧୮ ମସିହାରେ ସରକାର ଏକ କମିଟି କରି ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚାବି ନମିଳିବାରୁ ପ୍ରତିନିଧି ଦଳ ଫେରି ଆସିଥିଲେ। ଏହାପରେ ଏକ ବିଚାରବିଭାଗୀୟ କମିଟି ଗଠନ କରାଯାଇ ଚାବି ଖୋଜା ଯାଇଥିଲା। ଏ ରିପୋର୍ଟ ଏଯାଏ ସାର୍ବଜନୀନ ହୋଇ ନାହିଁ। ପରିସ୍ଥିତି ବିବାଦୀୟ ଥିବାବେଳେ ଏଏସ୍‍ଆଇ ଅଧିକାରୀଙ୍କ ଏପରି ବୟାନ ଏବେ ସରକାରଙ୍କୁ ହରଡ଼ଘଣାରେ ପକାଇଛି।