ପୁରୀ: ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ନେଇ ବିଭିନ୍ନ ନିଯୋଗର ଅସନ୍ତୋଷ ପରେ ଆକ୍ସନ ମୁଡ୍ ରେ ପ୍ରଶାସନ। ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଲୁହା କଡ଼େଇ ଜବତ କରିବା ସହ ଆସନ୍ତା ୭ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। 


COMMERCIAL BREAK
SCROLL TO CONTINUE READING

ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା ହେଉଛି ସ୍ୱତନ୍ତ୍ର। ହେଲେ ମହାମାରୀ କରୋନା ପରେ କୁଡୁଆର ଅଭାବ ଦେଖାଦେବାରୁ କିଛି ସୁଆର ଓ ମହାସୁଆର ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକୁ ବିରୋଧ କରିଛି ସୁଆର ଓ ମହାସୁଆର ନିଯୋଗ। ଏହା ପରମ୍ପରା ବିରୋଧୀ ବୋଲି ନିଯୋଗ କହିଛି। ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ। ଯାହାକୁ ନେଇ ସୁଆର ଓ ମହାସୁଆର ନିଯୋଗ ତରଫରୁ ନୋଟିସ୍‌ ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। 


ଅନ୍ୟପଟେ କୋଭିଡ ମହାମାରୀ ସମୟରୁ ଲୁହା କଡେଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ଉଠିଛି। ଯାହା ଶ୍ରୀମନ୍ଦିର ପରମ୍ପରାରେ ଅନ୍ତରାୟ ସୃଷ୍ଟି କରିଛି। ଲୁହା କଡେଇ କେବଳ ପିଠପଣା ଆଦି ପ୍ରସ୍ତୁତି ତଥା ଛାଣିବା ପାଇଁ ବ୍ୟବହାର ହୋଇଥାଏ। କିନ୍ତୁ ପରମ୍ପରା ବିରୋଧରେ ଯାଇ ଏଭଳି ଅନ୍ନ ମହାପ୍ରସାଦ ପ୍ରସ୍ତୁତି ହେବା ଜାଣିବା ପରେ ଲଡୁ ଓ ସେବାୟତ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ସୁଆର ମହାସୁଆର ନିଯୋଗଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସେପଟେ ଆବଶ୍ୟକ ହାଣ୍ଡି କୁଡୁଆ ମିଳୁନଥିବାରୁ କଡେଇ ବ୍ୟବହାର କରାଯାଉଛି ବୋଲି ସଫେଇ ଦେଇଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। 


ମାଟି କୁଡୁଆ ପରିବର୍ତ୍ତେ ଲୁହା କଡେଇ ଅବା ଅନ୍ୟ କୌଣସି ପାତ୍ରରେ ମହାପ୍ରସାଦ ପ୍ରସ୍ତୁତି ହେବା ଶାସ୍ତ୍ର ବିରୋଧୀ। ହେଲେ ସୁପକାରମାନେ ରୋଷଶାଳାରେ ବିଧି ପରମ୍ପରା ସମ୍ପର୍କରେ ଅଜ୍ଞ ହୋଇ ବି ଏଭଳି ମହାବିଭ୍ରାଟ କାହିଁକି କରୁଛନ୍ତି ବୋଲି ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ସୁଆର ମହାସୁଆର ନିଯୋଗର ପୂର୍ବତନ ସହସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି ମାଟି କୁଡୁଆ ବଦଳରେ ଲୁହା କଡେଇରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତି ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଏଭଳି କରି ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବକ୍ଷୟମୁଖୀ ଆଡକୁ ଠେଲି ଦିଆଯାଉଛି। ଯେଉଁମାନେ ଏଭଳି ମହାବିଭ୍ରାଟ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ହୋଇଛି।