ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ର ସରସଂଘ ଚାଳକ ମୋହନ ଭାଗବତ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ୫ ଦିନିଆ ଓଡ଼ିଶା ଗସ୍ତରେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗୁରୁବାର ଭୁବନେଶ୍ୱରରେ ରହି ଶୁକ୍ରବାର ସକାଳୁ ରାଜ୍ୟର ସଙ୍ଗଠନ ପ୍ରଭାରୀ ଓ ସ୍ୱୟଂସେବକମାନଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ସୌଜନ୍ୟମୂଳକ ସାକ୍ଷାତ୍‍ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆରଏସ୍‌ଏସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଶୁକ୍ରବାର ସକାଳୁ ରାଜ୍ୟର ସଂଗଠନ ନେଇ ପ୍ରଭାରୀ ଓ ପଦାଧିକାରୀମାନଙ୍କ ସହିତ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରାଜ୍ୟରେ ଆରଏସ୍‌ଏସ୍‌ର ସଂଗଠନ କିପରି ବୃଦ୍ଧି ପାଇବ ସେ ଦିଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବାଂଲାଦେଶରେ  ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଯୋଗୁଁ ବାଂଲାଦେଶୀ ଅନୁପ୍ରବେଶ ନେଇ ଆଲୋଚନା ହୋଇପାରେ । କାରଣ ଓଡ଼ିଶା ବାଂଲାଦେଶୀମାନଙ୍କ ଅନୁପ୍ରବେଶ ପାଇଁ ଭୂସ୍ୱର୍ଗରେ ପରିଣତ ହୋଇଛି । 


ରାଜ୍ୟର ସଙ୍ଗଠନ ପ୍ରଭାରୀମାନଙ୍କ ସହିତ ବୈଠକ ସାରି ଶ୍ରୀ ଭାଗବତ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ୍ କରିବେ । ଏହାପରେ ପୁରୀରେ ୧୦ ଓ ୧୧ରେ ଦେଶର ୪୬ଟି ପ୍ରାନ୍ତର ସେବାପ୍ରମୁଖମାନଙ୍କ ବୈଠକରେ ସାମିଲ ରହିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ଓଡ଼ିଶା ପ୍ରବାସ ସାରି ଅଗଷ୍ଟ ୧୨ ତାରିଖ ମଧ୍ୟାହ୍ନ ସମୟରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ।


ଓଡ଼ିଶାରେ ପ୍ରଥମ କରି ଭାଜପା ସରକାର ଗଠନ ହେବାପରେ ରାଜ୍ୟକୁ ଶ୍ରୀ ଭାଗବତଙ୍କର ଏହା ହେଉଛି ପ୍ରଥମ ଗସ୍ତ । ଏହି ଗସ୍ତ କାଳରେ ରାଜ୍ୟର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ଭାଜପାର ପଦାଧିକାରୀମାନେ ଶ୍ରୀ ଭାଗବତଙ୍କୁ ଭେଟି ପାରନ୍ତି । କିନ୍ତୁ କେବେ ସେମାନେ ଭେଟିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।