Panchuka: ସରି ଆସୁଛି ମହାକାର୍ତ୍ତିକ ବ୍ରତ।ଆସନ୍ତା କାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ। ପଞ୍ଚୁକ ପାଞ୍ଚଦିନ ଧରି ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବା ସହ ପଞ୍ଚତୀର୍ଥ ଓ ମହଦଧୀରେ ହବିଷ୍ୟାଳୀଙ୍କ ବୁଡ଼ ପକାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଆରଂଭ ହେବ ପବିତ୍ର ପଞ୍ଚୁକ ବ୍ରତ। ପଞ୍ଚକର ପ୍ରଥମ ଦିବସ ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ତେବେ ଆଜି ଠାରୁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥିବା ବେଳେ ସମଗ୍ର ଶ୍ରୀକ୍ଷେତ୍ର ସମ୍ପୂର୍ଣ ଚଳଚଂଚଳ। କାର୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଯେଉଁ ମାନେ ମାସକ ଯାକ କାର୍ତିକ ବ୍ରତ କରି ନ ଥାନ୍ତି ସେହିମାନେ ଏହି ପଂଚୁକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।


ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ପାଞ୍ଚଦିନ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ମୂଲ୍ୟବାନ ସ୍ଵର୍ଣ ଅଳଙ୍କାର , ପାଟ ବସ୍ତ୍ର ଏବଂ ପୁଷ୍ପ ମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ। ପଞ୍ଚକର ପ୍ରଥମ ଦିନ ଏକାଦଶୀ ତିଥି ରେ ଲକ୍ଷ୍ମୀ ନାରାୟଣ ବେଶ , ଦ୍ଵାଦଶୀରେ ବାଙ୍କଚୁଡ ବେଶ , ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ , ଚତୁର୍ଦ୍ଦଶୀ ରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ଵା ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟକରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ସମସ୍ଥ ପଞ୍ଚ ପୁଷ୍କରିଣୀ ଓ ମହଦଧୀରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ କରାଯାଇଛି। ମେଡିକାଲ ଟିମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସମସ୍ଥ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।


ସେପଟେ ଗହଳିକୁ ଦେଖି ବରିଷ୍ଠ ନାଗରିକ, ହବିଷ୍ଯାଳି, ଦିବ୍ଯାଙ୍ଗ ଭକ୍ତ ମାନଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ବେରିକେଡରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି। ସହାୟତା ପାଇଁ ସେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଭକ୍ତଙ୍କ ମୌଳିକ ଆବଶ୍ୟକତାକୁ ନଜରରେ ରଖି ଟଏଲେଟ ବ୍ଯବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ଯାୟରେ ଚାରୋଟି ଟଏଲେଟ କରାଯାଇଥିବା ବେଳେ ଏଥିରୁ ଦୁଇଟି ମହିଳା ମାନଙ୍କ ପାଇଁ ରହିଛି। ଶ୍ରୀମନ୍ଦିର କାର୍ଯ୍ଯାଳୟ ନିକଟରେ ଟଏଲେଟ ବସା ଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ସୂଚନା ଅଡିଓ ସିସ୍ଟମ୍ ମାଧ୍ୟମରେ ଭକ୍ତ ଦର୍ଶନାର୍ଥିଙ୍କ ନିକଟରେ ପହଞ୍ଚା ଯାଉଛି। ସୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାର ବେରିକେଡରେ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି। ଅତିରିକ୍ତ ଏସପି, ଡିଏସପି, ଡିସି, ଏଡିସି, ଇନିସପେକ୍ଟର ଆଦି ବରିଷ୍ଠ ଅଧିକାରୀ ମାନେ ନିଜେ ଗହଳି ସମୟରେ ଉପସ୍ଥିତ ରହି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Also read: kartika Panchuka 2023: ଗୁରୁବାରଠାରୁ ଆରମ୍ଭ ହେବ ପଞ୍ଚୁକ ବତ୍ର, ଜାଣନ୍ତୁ କାହିଁକି କରାଯାଏ ପାଳନ?