Odisha News: ସ୍କୁଲକୁ ଯାଇଥିଲେ ପାଠ ପଢ଼ିବାକୁ, ହେଲେ ଘରକୁ ଫେରିଲା ଝିଅର ମର ଶରୀର। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ । ସୂଚନା ଅନୁସାରେ, ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ କୁଟିକିଆ ଗ୍ରାମ ପଞ୍ଚାୟତର ସରୁକୁଇ ଗ୍ରାମର ଆଦିବାସୀ ଛାତ୍ରୀ ମିତା ମଲ୍ଲିକ । ଗତ ଦୁଇଦିନ ହେବ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ଆଜି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ମିତା ମଲ୍ଲିକଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଚିକତ୍ସିତ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଝିଅର ଶବକୁ ନେଇ ସରୁକୁଇ ଗ୍ରାମକୁ ଫେରିଛନ୍ତି ପରିବାର । ଘଟଣାକୁ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


COMMERCIAL BREAK
SCROLL TO CONTINUE READING

ସେପଟେ, କନ୍ଧମାଳରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ମୋଟର ସାଇକେଲରେ ଷ୍ଟଣ୍ଟ ଦେଖାଇବା ହେଲା କାଳ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ଘଟିଲା ସିରିଜ୍ ଦୁର୍ଘଟଣା । ଭବାନୀପାଟଣାରୁ ଭଞ୍ଜନଗର ମୃତ ଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ସହ କେଟିଏମ୍ ମୋଟରସାଇକେଲ ଧକ୍କା। ଭାରସାମ୍ୟ ହରାଇ ପଛରୁ ଆସୁଥିବା ଆଉ ଏକ ମୋଟରସାଇକେଲ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ ହୋଇଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ହୋଇଥିବା ଜଣାପଡ଼ିଛି।


ଘଟଣା ପ୍ରକାରେ ଗତକାଲି ଅପରାହ୍ନରେ ଏକ ଆମ୍ବୁଲାନ୍ସ ଭବାନୀପାଟଣାରୁ ଏକ ଶବ ନେଇ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଏକ କେଟିଏମ୍ ମୋଟରସାଇକେଲରେ ଷ୍ଟଣ୍ଟ ଦେଖାଉ ଦେଖାଉ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ସାମ୍ନା ପଟରୁ ଧକ୍କା ଦେଇଥିଲେ,ସେହି ସମୟରେ ପଛପଟୁ ଆସୁଥିବା ଆଉ ଏକ ମୋଟରସାଇକେଲ ମଧ୍ୟ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ସହ ଧକ୍କା ସୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ମୋଟରସାଇକେଲ ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ କେଟିଏମ୍ ମୋଟରସାଇକେଲ ଚାଳକ ଜନ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଗଜପତି ସାହୁଙ୍କୁ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ତୁମୁଡ଼ିବନ୍ଧ ପୋଲିସ୍ ।