Odisha News(ଭୁବନେଶ୍ଵର) :ରାଜଭବନ ନୂଆ ଅଭିଷେକ ହଲ୍ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଛି। ନଷ୍ଟ ହେଲାଣି କାଠ, ଫ୍ଲୋର୍ ଟାଇଲ୍, ଏସି, ଲାଇଟ୍, ସାନିଟାରୀ କାର୍ଯ୍ୟ ଠିକ୍ ଭାବେ ହୋଇନି, ଯାହା ନିମ୍ନମାନର ନିର୍ମାଣ କରାଯାଇଥିଲା କୁହାଯାଇଛି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ତ୍ତ ବିଭାଗ (କୋଠାବାଡ଼ି)କୁ ଚିଠି ଲେଖାଯାଇ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହାର ତଦନ୍ତ କରି ଆବଶ୍ୟକ ମରାମତି କରିବାକୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଗତ ମାର୍ଚ୍ଚ ମାସରେ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ।


COMMERCIAL BREAK
SCROLL TO CONTINUE READING

ଖୋଦ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏମିତି ଅଭିଯୋଗ କରି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।  ଚିଠିରେ ଉଲ୍ଲେଖ ରହିଛି ଯେ, ରାଜଭବନ ର ଏହି ଅଭିଷେକ ହଲରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଥାଏ। ଶପଥ ଗ୍ରହଣ ହୁଏ। ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥାଏ। ଆଟ୍ ହୋମ୍ କାର୍ଯ୍ୟକ୍ରମ ହୁଏ। ଅର୍ଥାତ୍ ଜାନୁଆରୀ ୨୬ ଏବଂ ଅଗଷ୍ଟ ୧୫ ପୂର୍ବରୁ ନୈଶ୍ୟଭୋଜନ ସହ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ପରିବାର ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥାଏ। ରାଜ୍ୟପାଳଙ୍କ  ହଲ୍ର ସିଲିଂ କାମ ଏବଂ ଲାଗିଥିବା ସମସ୍ତ କାଠ ବର୍ଷେ ନହେଉଣୁ ଖରାପ ହୋଇଗଲାଣି। କେବଳ ଏତିକି ନୁହେଁ ଏହି ହଲରେ ଲାଗିଥିବା ଲାଇଟ୍, ସାଉଣ୍ଡ ସିଷ୍ଟମ କାମ ଠିକ୍ ଭାବେ ହୋଇ ନାହିଁ। ପାନୀୟ ଜଳ ଏବଂ ସାନିଟାରୀ ସିଷ୍ଟମକୁ ଠିକ୍ ଭାବେ କରାଯାଇନାହିଁ। 


ଗତବର୍ଷ ଫେବ୍ରୁଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଭବନର ଏହି ଅଭିଷେକ ହଲକୁ ଲୋକାର୍ପିତ କରିଥିଲେ। ୪୭ହଜାର ୩୯୦ ବର୍ଗଫୁଟରେ ନିର୍ମିତ ଏହି ଅତ୍ୟାଧୁନିକ ହଲ୍ ନିର୍ମାଣ ପାଇଁ ୨୫.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି କକ୍ଷରେ ୧୦୦୦ ଅତିଥି ବସିବା ଭଳି କ୍ଷମତା ରହିଥିବା ବେଳେ ୧୨୦୦ ଲୋକ ଛିଡ଼ା ହେବାର କ୍ଷମତା ରହିଛି। କେନ୍ଦ୍ର ଓ ରାଜ୍ୟର ବହୁ ବଡ଼ ବଡ଼ କାର୍ଯ୍ୟକ୍ରମ କରାଯାଏ ଯେଉଁଥିରେ ଭିଭିଆଇପି ମାନେ ଯୋଗ ଦେଇଥାନ୍ତି। ମାତ୍ର ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ଆଗାମୀ ଦିନରେ ଯେ କୌଣସି କ୍ଷତି ହେବାର ଆଶଙ୍କା ରହିଛି। ସେ ଏହି ସବୁ କାର୍ଯ୍ୟର ତଦନ୍ତ କରିବାକୁ କହିଛନ୍ତି। ଏଥିସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 


ସୋମବାର ନୂଆ ମନ୍ତ୍ରୀମଣ୍ଡଳ ସପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ ଅଧିକ ଜନସମାବେଶ କୁ ନଜରରେ ରଖି ଏହାକୁ ଜନତା ମଇଦାନରେ କରାଯାଉଛି। ହେଲେ ଏହି ଚିଠି ରାଜଭବନ ପକ୍ଷରୁ ଯେଉଁ ସବୁ ପ୍ରସଙ୍ଗ ଉଠାଯାଇଛି ତାହା ଉଦବେଗର ବିଷୟ।



Written by Debabrata