ଭୁବନେଶ୍ୱର: ଗଲା ଜୁଲାଇ ମାସରେ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ ହୋଇଥିବା ସାଂସଦ ସୁଲତା ଦେଓ (Sulata deo)ଙ୍କୁ ପଦବୀରୁ ବାହାର କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ଆଜି ଅଧିବେଶନର ପ୍ରଥମ ଦିନରେ ଘୋଷଣା କରିଥିବା ନୂତନ ୮ ଜଣିଆ ଉପାଧ୍ୟକ୍ଷ ତାଲିକାରେ ତାଙ୍କ ନାଁ ସାମିଲ୍‍ କରି ନାହାନ୍ତି। ଯଦିଓ ମହିଳା ସଦସ୍ୟଙ୍କୁ ପ୍ୟାନେଲରେ ସମାନ ସୁଯୋଗ ଦେବା ପାଇଁ  ୪ ଜଣ ମହିଳାଙ୍କୁ ମନୋନୀତ କରାଯାଇଛି, କିନ୍ତୁ ସେଥିରୁ ବାଦ ପଡ଼ିଛନ୍ତି ଶ୍ରୀମତୀ ଦେଓ। ଅପରପକ୍ଷେ ଓଡ଼ିଆ ବୋହୂ ଭାବେ ପରିଚିତ ବିଜେପି ସାଂସଦ ସୋନାଲ୍‍ ମାନସିଂହ ଏହି ଉପାଧ୍ୟକ୍ଷ ପଦବୀ ପାଇଛନ୍ତି।  


COMMERCIAL BREAK
SCROLL TO CONTINUE READING

ଏହି ୮ ଜଣିଆ ତାଲିକାରେ କିନ୍ତୁ ଲଗାତାର ଭାବେ ବିଜେଡି ସଦସ୍ୟ ସସ୍ମିତ ପାତ୍ର (Dr. sasmit patra)ଙ୍କୁ ପୁଣିଥରେ ମନୋନୀତ କରାଯାଇଛି। ୨୦୧୯ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଶ୍ରୀ ପାତ୍ର ୨୪ ଜୁଲାଇ ୨୦୨୦ରେ ପ୍ରଥମଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ୍‍କୁ ମନୋନୀତ ହୋଇଥିଲେ। ୨୦ ବର୍ଷ ପରେ ଓଡ଼ିଶାରୁ କୌଣସି ସାଂସଦ ଏହି ସମ୍ମାନଜନକ ପ୍ୟାନେଲ୍‍କୁ ମୋନାନୀତ ହୋଇ ସେ ଏକ ରେକର୍ଡ ସୃଷ୍ଟି କରିଥିଲେ। ଏହାପରେ ଲଗାତାର ତାଙ୍କୁ ଏହି ପ୍ୟାନେଲ୍‍କୁ ମନୋନୀତ କରାଯାଇ ଆସୁଛି। ୨୦୨୨ ମସିହାରେ ମଧ୍ୟ ତାଙ୍କୁ ପୁନଃ ମେନାନୀତ କରାଯାଇଥିଲା।  


ରାଜ୍ୟସଭାର ଅଧିବେଶନ ଚାଲିଥିବା ବେଳେ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଏହି ଉପାଧ୍ୟକ୍ଷ ପ୍ୟାନେଲ୍‍ର ସଦସ୍ୟମାନେ ଗୃହ ପରିଚାଳନା କରିଥାଆନ୍ତି। ପୁନର୍ଗଠିତ ତାଲିକାରେ ଯେଉଁ ଚାରିଜଣ ମହିଳା ସଦସ୍ୟ ସାମିଲ୍‍ ହୋଇଛନ୍ତି ସେଥିରେ ରହିଛନ୍ତି ଜଣେ କଂଗ୍ରେସ ସଦସ୍ୟ। ସେ ହେଉଛନ୍ତି ଫୁଲୋଦେବୀ ନେତମ। ଅନ୍ୟ ୩ ବିଜେପି ସଦସ୍ୟ ହେଉଛନ୍ତି ଦର୍ଶନା ସିଂହ, ସୋନାଲ୍‍ ମାନସିଂହ ଏବଂ ଫାଙ୍ଗନନ କୋନୟାକ୍‍।  


ଯେଉଁ ୪ ପୁରୁଷ ସଦସ୍ୟ ଏହି ଉପାଧ୍ୟକ୍ଷ ପ୍ୟାନେଲରେ ରହିଛନ୍ତି ସେମାନଙ୍କ ଭିତରେ ଶ୍ରୀ ପାତ୍ରଙ୍କ ସମେତ ଓ୍ୱାଇଏସ୍‍ଆର କଂଗ୍ରେସ ସଦସ୍ୟ ଭି ବିଜୟସାାଇ ରେଡ୍ଡି, ଟିଏମ୍‍ସିର ସୁଧାଂଶୁ ଶେଖର ରାୟ ଏବଂ ସ୍ୱାଧୀନ ସଦସ୍ୟ କାର୍ତ୍ତିକେୟ ଶର୍ମାଙ୍କ ନାଁ ସାମିଲ୍‍ ରହିଛି।  


Also Read- ଜିତିବା ପରେ ପାୱାର ଦେଖାଇଲେ ବିଜେପି ବିଧାୟକ, କହିଲେ 'ଆମିଷ ଦୋକାନ ବନ୍ଦ କର'


Also Read- ଚିକେନ୍ ଲେଗପିସ୍ ସହ କନ୍ୟାକୁ ପୁଷ୍ପଗୁଚ୍ଛ ଦେଲେ ବର, ଆଶ୍ଚର୍ଯ୍ୟ ହେଲେ ଅତିଥି