ଭୁବନେଶ୍ୱର: ସାରା ଦେଶ ଯେତେବଳେ ମହିଳାଙ୍କ ନେତୃତ୍ୱ, ସେମାନଙ୍କୁ କ୍ଷମତା ହସ୍ତାନ୍ତରଣ କଥା ଚର୍ଚ୍ଚା କରୁଛି ସେତେବଳେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ‘ସମ୍ବାଦ’ତାହାର ନେତୃତ୍ୱ ବଦଳାଇଛି। ଜଣେ ମହିଳାଙ୍କ ହାତରେ ଦେଇଛି ସମ୍ବାଦର ସମ୍ପାଦକ ଦାୟିତ୍ୱ। ଏହି ଖବରକାଗଜର ମୁଖ୍ୟପୃଷ୍ଠାରେ ପ୍ରକାଶିତ ଘୋଷଣା ଅନୁସାରେ ସମ୍ବାଦର ପ୍ରତିଷ୍ଠାତା ତଥା ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ(Soumya Ranjan Patnaik) ଆଜି ନିଜ ପଦବୀରୁ ଅବ୍ୟାହତି ନେଇଛନ୍ତି। ତାଙ୍କ ସ୍ଥାନରେ ତାଙ୍କ ଝିଅ ତଥା ସମ୍ବାଦ ଗ୍ରୁପ୍‍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିବା ତନୟା ପଟ୍ଟନାୟକ (Tanaya Patnaik) ଆଜିଠାରୁ ସମ୍ବାଦର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଛନ୍ତି।  ତନୟା ପଟ୍ଟନାୟକଙ୍କ ସ୍କୁଲ୍‍ ଶିକ୍ଷା ଭୁବନେଶ୍ୱରରେ ହୋଇଥିବାବେଳେ, ଲଣ୍ଡନ୍‍ର ଓ୍ୱାର୍‍ଓ୍ୱିକ୍‍ ବିଜ୍‍ନେସ୍‍ ସ୍କୁଲ୍‍ରୁ ସେ ପରିଚାଳନାରେ ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ (Sambad Group)ସମ୍ବାଦ ଗ୍ରୁପ୍‍ର ଇଲେକ୍ଟ୍ରନିକ ମିଡିଆ ଡିଭିଜନ୍‍ ସହ ଡିଜିଟାଲ୍‍, ସମ୍ବାଦ ସ୍କୁଲ୍‍ର ପରିଚାଳନା କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରକାଶିତ ଖବରକାଗଜର ପ୍ରିଣ୍ଟର ଲାଇନ୍‍ ରେ ମଧ୍ୟ ସମ୍ପାଦକଙ୍କ ନାଁ ବଦଳିଛି। ଅର୍ଥାତ୍‍ ଆଜିଠାରୁ ସେ ଆଇନ ଅନୁସାରେ ସମ୍ବାଦରେ ପ୍ରକାଶିତ ସମସ୍ତ ଖବର ପାଇଁ ଉତ୍ତରଦାୟୀ ହୋଇଛନ୍ତି।  ୧୯୮୪ ମସିହା ଅକ୍ଟୋବର ୪ ତାରିଖ ଦଶହରା ଦିନ ବନାରସ୍‍ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’କୁ ପ୍ରକାଶ କରିଥିଲେ। ନିଜକୁ ସେତେବେଳେ ସେ ସମ୍ପାଦନା ଦାୟିତ୍ୱରୁ ଦୂରେଇ ରଖିଥିଲେ। ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ସେତେବେଳେ ସମ୍ବାଦର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ଏହାପରେ କିଛିବର୍ଷ ପାଇଁ ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ବିଜ୍ଞାନରେ ଅଧ୍ୟାପନା ଚାକରି ଛାଡ଼ି ସାମ୍ବାଦିକତାକୁ ଆସିଥିବା ସମ୍ପଦ ମହାପାତ୍ର ମଧ୍ୟ ଏହି ଖବରକାଗଜର ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। 


ପ୍ରାଥମିକ ପର୍ଯ୍ୟାୟରେ ସମ୍ପାଦନା ଓ ପ୍ରକାଶନ ତଥା ପରିଚାଳନାକୁ ଅଲଗା ଅଲଗା ଭାବେ ଦଖୁଥିବା ସୌମ୍ୟରଞ୍ଜନ କିଛିଦିନ ପରେ ଓଡ଼ିଶାର ଚିରାଚରିତ ପ୍ରଥାକୁ ଆପଣାଇ ନିଜେ ସମ୍ପାଦକ, ପ୍ରକାଶକ ଓ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ଅନେକ ଦିନ ଏହାର ସୁଫଳ ସମ୍ପୃକ୍ତ ସଂସ୍ଥା ଓ ଓଡ଼ିଶାବାସୀ ଦେଖିଛନ୍ତି। ଆଜି ହଠାତ୍‍ ତାଙ୍କର ସମ୍ବାଦ ଗ୍ରୁପ୍‍ ଅଧ୍ୟକ୍ଷ ପଦରୁ ଅବ୍ୟାହତି ଏବଂ କିଛିଦିନ ତଳେ ତାଙ୍କର ରାଜନୀତିକ ଜୀବନରେ ଆସିଥିବା ଝଡ଼ ଆହୁରି ମଧ୍ୟ ସଂସ୍ଥାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ‘ସମ୍ବାଦ’ର ପରିଚାଳନାରେ ନୂଆ ଗଣିତକୁ ସମ୍ଭାବନା ଦେଉଛି। 


‘ବାସି ଖବରରର ଯୁଗ ଶେଷ’ କହି ଶ୍ରୀ ପଟ୍ଟନାୟକ ଏହି ଖବରକାଗଜକୁ ସ୍ଥାପନା କରିଥିଲେ। ଆସନ୍ତା ୪ ତାରିଖରେ ଏହା ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି।  ଆଜି ଏହି ଖବରକାଗଜ ଏକ ପ୍ରଭାବଶାଳୀ ଗଣମାଧ୍ୟମ ଭାବେ ରାଜ୍ୟରେ ମୁଣ୍ଡ ଟେକିଛି।  ଜଣଙ୍କ ନେତୃତ୍ୱରେ ଏକ ଅନୁଷ୍ଠାନ ଏତେ ବାଟ ଆସିବା ନିହାତି ଭାବେ ଏକ ଗୌରବ  ଓ ସଫଳ ନେତୃତ୍ୱର କାହାଣୀ ବୟାନ କରେ। ତଥାପି ନିକଟ ଅତୀତର ରାଜନୀତିକ ଘଟଣା  ଏବଂ ହଠାତ ଅବ୍ୟାହତି,  ତାଙ୍କର ଅଭିଜ୍ଞତା, ନେତୃତ୍ୱ ଓ ବ୍ୟବସାୟ ଭିତରେ କିଛି ନୂଆ ସମୀକରଣକୁ ଇଙ୍ଗିତ କରୁଛି।