1. LGBTଙ୍କୁ ଝଟକା, ମିଳିଲାନି ଅନୁମତି: ସମଲିଙ୍ଗି ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଅନୁମତି ଦେଇ ନାହାନ୍ତି ସୁପ୍ରିମକୋର୍ଟ। ଏହା ସହିତ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କହିଲେ କୋର୍ଟ । ସଂସଦ ଆଇନ ନଆଣିବା ଯାଏ ଏହାକୁ ସ୍ୱୀକୃତି ଦେଇ ହେବନି। ଏନେଇ ସଂସଦ ନିଷ୍ପତ୍ତି ନେଉ ବୋଲି କହିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସମଲିଙ୍ଗୀ ଯୋଡ଼ିଙ୍କୁ ପାତରଅନ୍ତର କରାଯାଇପାରିବନି। ପୋଲିସ୍ ସେମାନଙ୍କୁ ହଇରାଣ କରିପାରିବେନି, ମଣିଷ ସ୍ୱାଭାବିକ ଭାବେ ସାଥୀ ଖୋଜିଥାଏ। ପ୍ରେମ ମଣିଷର ସ୍ୱାଭାବିକ ପ୍ରକୃତି। ତେଣୁ ବିବାହ ଅଧିକାର ଉପରେ ସରକାର କମିଟି ଗଠନ କରନ୍ତୁ। ପାର୍ଲାମେଣ୍ଟର ଅଧିକାରରେ କୋର୍ଟ ପ୍ରବେଶ କରିପାରିବନି। ସମଲିଙ୍ଗୀଙ୍କୁ ଅଧିକାର ଦିଅନ୍ତୁ ସରକାର। ନିଜ ସାଥୀ ବାଛିବାର ଅଧିକାର ସମସ୍ତଙ୍କୁ ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ। 


COMMERCIAL BREAK
SCROLL TO CONTINUE READING

2. ପାରାଅଲମ୍ପିକ ପାଇଁ ଓଡ଼ିଶାରୁ ୭: ଚୀନର ହାଙ୍ଗଝୌରେ ହେବାକୁ ଥିବା ପାରା ଅଲମ୍ପିକ ପାଇଁ ଓଡ଼ିଶାରୁ ୭ ଜଣ ମନୋନୀତ ହୋଇଛନ୍ତି। ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମନୋନୀତ ହୋଇଥିବା ୭ ଖେଳାଳିଙ୍କ ମଧ୍ୟରେ ପ୍ରମୋଦ ଭଗତ (ପାରା ବ୍ୟାଡ଼ମିଣ୍ଟନ), ଜୟନ୍ତୀ ବେହେରା (ପାରା ଆଥଲେଟ), ଭି. ରମେଶ ରାଓ (ହ୍ୱିଲ ଚେୟାର ଫେନସିଂ), ରାଖାଲ ସେଟ୍ଟି (ହ୍ୱିଲ ଚେୟାର ଫେନସିଂ), ପ୍ରଫୁଲ୍ଲ କୁମାର ଖଣ୍ଡାୟାତ୍ରେ (ହ୍ୱିଲ ଚେୟାର ଫେନସିଂ), ସୌନ୍ଦର୍ଯ୍ୟ ପ୍ରଧାନ (ଦୃଷ୍ଟିହୀନ ଚେସ) ଓ ପୂଜାଶ୍ୱିନୀ ନାୟକ (ହ୍ୱିଲ ଚେୟାର ଫେନସିଂ) ଚୀନ ଗସ୍ତ କରିବେ। 


3. ପ୍ରତିକ୍ଷାକୁ ଜାତୀୟ ପୁରସ୍କାର: ୬୯ତମ ଜାତୀୟ ପୁରସ୍କାର ଲାଭ କରିଛି ଓଡିଆ ସିନେମା ପ୍ରତିକ୍ଷା। ଓଡ଼ିଆ ଚଳଚ୍ଚିତ୍ରକୁ ନୂଆ ଦିସା ଦେଇଥିବା ଦମନ ପରେ ପ୍ରତୀକ୍ଷା ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଥିଲା। ପ୍ରକୃତ ନିଚ୍ଛକ ଓଡ଼ିଆ ମଧ୍ୟମିତ ପରିବାରର ନିତିଦିନର ଘଟଣା ବଳିକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଏଥିରେ ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ ସଂଘର୍ଷ ସହିତ ଜୀବନରେ ବାପାଙ୍କର ଭୂମିକାକୁ ନେଇ ବେସ୍‌ ଭଲଭାବରେ ଚିତ୍ରଣ କରାଯାଇଛି। ଚଳଚ୍ଚିତ୍ରର ନିର୍ଭେଜାଲ କାହାଣୀ ଦର୍ଶକଙ୍କ ମନକୁ ଛୁଇଁପାରିଛି। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ । କାର୍ଯ୍ୟନିର୍ବାହୀ ପ୍ରଯୋଜିକା ବର୍ଷା ପଟ୍ଟନାୟକ । ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର।


4. ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ୬୯ତମ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। 'ଗଙ୍ଗୁବାଇ କାଠିଆୱାଡି'ରେ ତାଙ୍କର ଦମଦାର ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ଫିଲ୍ମ 'ମିମି'ରେ ତାଙ୍କ ଭୂମିକା ପାଇଁ କ୍ରିତି ସାନନ୍ ମଧ୍ୟ ଏକ ପୁରସ୍କାର ପାଇବେ। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ଭାବରେ ସମ୍ମାନିତ ହେବେ। ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା'ରେ ପୁଷ୍ପା ରାଜଙ୍କ ଭୂମିକା ପାଇଁ ଏହି ଅଭିନେତାଙ୍କୁ ସମ୍ମାନିତ କରାଯିବ। ଅନ୍ୟପକ୍ଷରେ, ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ଆର ମାଧବନ୍ ତାଙ୍କର ନିର୍ଦ୍ଦେଶକ ଡେବ୍ୟୁ 'ରକେଟ୍ରି: ଦି ନାମ୍ବି ଇଫେକ୍ଟ' ପାଇଁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇବେ।


5.ଭୂଷଣରେ ଇଡି ଚଢ଼ାଉ: ଅର୍ଥନୀତିକ ହେରଫେର ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଭୂଷଣ ଷ୍ଟିଲ୍‍ ଲିମିଟେଡ୍‍ରର ମାଲିକଙ୍କ ବିରୁଦ୍ଧରେ ଚଢ଼ଉ କରାଯାଇଛି। ଭୁବନେଶ୍ୱର ସମେତ ଦିଲ୍ଲୀ, ହରିୟାଣା, କୋଲକତା ଓ ମୁମ୍ବାଇରେ ଥିବା ତାଙ୍କ ଆବାସ ଓ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମୟରେ ୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା କୁହାଯାଇଛି।


6.ଏକାମ୍ର ସମୀକ୍ଷା: ଭୁବନେଶ୍ୱରର ଐତିହ୍ୟକୁ ପୁନଃର୍ଜୀବିତ କରି ସହରର ବିକାଶ କରିବା ଦିଗରେ ପ୍ରଣୟନ କରାଯାଇଥିବା ‘ଏକାମ୍ର’ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ୍‍ ସମୀକ୍ଷା କରିଛନ୍ତି।ସମୟ ଅନୁସାରେ ଏହି ପ୍ରକଳ୍ପକୁ ଶେଷ କରିବା ପାଇଁ ବିଭିନ୍ନ ଅଧିକାରୀ ଓ ନିୟୋଜିତ ସଂସ୍ଥାକୁ କୁହାଯାଇଛି।


7. ପରିବା ବେପାରୀଙ୍କ ଜିଦ୍‍: ୨୦ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଆନ୍ଦାଳନ ଓହ୍ଲାଇବ ଭୁବନେଶ୍ୱର କଞ୍ଚା ପରିବା ମହାସଂଘ । ଫଳରେ ପରିବା ଦୋକାନ ସବୁ ବନ୍ଦ ରହିବ। ଏହାଦ୍ବାରା ରାଜଧାନୀର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସଂଘ କହିଛି । ୟୁନିଟ-୧ ହାଟ ପ୍ରବେଶ ଦ୍ୱାର ନିକଟରେ ତୋରଣ ହୋଇଥିବାରୁ ହାଟ ଭିତରକୁ ପରିବା ଗାଡ଼ି ଆସିପାରୁ ନାହିଁ। ସଙ୍କୁଚିତ ରାସ୍ତାକୁ ଆହୁରି ଜବରଦଖଲ ନକରିବା ତଥା ଏପରି ତୋରଣକୁ ବାରଣ କରିବା ପାଇଁ ସଂଘ ବିଏମ୍‍ସିକୁ ବାରମ୍ବାର କହିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି।


8. ୪ ଘଣ୍ଟା ଶୋଇବେ ଶ୍ରୀ ଜିଉ: ପବିତ୍ର କାର୍ତ୍ତିକ ମାସରେ ପୁରୀରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଆଖିରେ ରଖି ନୀତିକାନ୍ତିକୁ ସୁପରିଚାଳନା କରିବା ଲାଗି ଛତିଶା ନିଯୋଗ ପକ୍ଷରୁ ସ୍ଥିର କରାଯାଇଛି। ଏହିକ୍ରମରେ ରାତି ୧୨ଟାରେ ମହାପ୍ରଭୁଙ୍କ ପହୁଡ଼ କରିବା ପାଇଁ ସ୍ଥିର କରାଯାଇଛି। ଭୋର ୪ଟାରେ ଦ୍ୱାର ଓ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୬ଟାରୁ ସାଢ଼େ ସାତଟା ଭିତରେ ରାଇଦାମୋଦର ବେଶ ଅନୁଷ୍ଠିତ ହେବ। ୧୦ଟାରେ ବାଳଧୂପ, ୧୨ଟାରେ ପ୍ରଥମ ଭୋଗ ମଣ୍ଡପ, ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ, ୩ଟାରେ ଦିବା ପହୁଡ଼, ରାତି ୧୦ଟାରେ ଚନ୍ଦନ ଲାଗି ୧୧ଟାରେ ବଡ଼ ସିଂହାର ବେଶ କରାଯାଇ ୧୨ଟା ବେଳେ ପହୁଡ଼ ପାଇଁ ନୀତି ସ୍ଥିର କରାଯାଇଛି।


9. ବର୍ଷାଯୋଗୁଁ ମ୍ୟାଚ ବିଳମ୍ବ: ବିଶ୍ୱକପର ୧୫ତମ ମ୍ୟାଚରେ ନେଦରଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚଟି ଆଜି ଧର୍ମଶାଳାରେ ଖେଳାଯାଉଛି। ବର୍ଷା କାରଣରୁ ଏହି ମ୍ୟାଚଟି ଆଜି ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି। ବିଳମ୍ବରେ ଆରମ୍ଭ ହେବାରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରାଯାଇଛି। 


10. ଦକ୍ଷିଣ ଆଫ୍ରିକା-ନେଦରଲ୍ୟାଣ୍ଡ ମୁହାଁମୁହିଁ: ଆଜି ଧର୍ମଶାଳାରେ ବିଶ୍ୱକପର ୧୫ତମ ମ୍ୟାଚ ନେଦରଲ୍ୟାଣ୍ଡ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ରିପୋର୍ଟ ଲେଖିଯିବା ବେଳକୁ ୪ ଓଭରରେ ନେଦର ଲ୍ୟାଣ୍ଡ ୧୬ ରନ କରି ଖେଳ ଜାରି ରଖିଛି। ବର୍ଷା କାରଣରୁ ଏହି ମ୍ୟାଚ ବିଳମ୍ବିରେ ଆରମ୍ଭ ହୋଇଛି। ବିଳମ୍ବ କାରଣରୁ ଏହି ମ୍ୟାଚ ମାତ୍ର ୪୩ ଓଭର ଲେଖାଏଁ ଖେଳାଯିବ।