Vigilance Raid: ବନ୍ୟପ୍ରାଣୀ ଏସିଏଫଙ୍କ ୩ ସୌଖିନ ଘର, ୪ ଫ୍ଲାଟ, ୭ ପ୍ଲଟରେ ଭିଜିଲାନ୍ସ ନଜର
Vigilance Raid: ତାଙ୍କ ସମ୍ପତ୍ତି ତାଲିକାରେ ୩ଟି କୋଠା, ୪ ଫ୍ଲାଟ, ୭ଟି ପ୍ଲଟ ସହ ୧୪ ଲକ୍ଷ ୭୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ହେଲେ ଏସବୁ ସମ୍ପତ୍ତି ସେ ନିଜର ଦରମା ଅର୍ଥରେ କିଣିଛନ୍ତି ଏବଂ ସବୁର କାରବାର ବିବରଣୀ ରଖିଥିବା ରେବତୀ ଏକ ଟିଭି ଚ୍ୟାନେଲକୁ କହିଛନ୍ତି।
Vigilance Raid: (ଅଜୟ ନାଥ) ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ରେବତୀ ରମଣ ଯୋଶୀଙ୍କ ବାସସ୍ଥାନ ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଛି। ତାଙ୍କର ସମ୍ବଲପୁର ଏବଂ ବରଗଡ଼ରେ ଥିବା ତାଙ୍କ ଘରେ ଚଢ଼ଉ କରାଯାଇଛି। ସମୁଦାୟ ୯ଟି ସ୍ଥାନକୁ ତାଙ୍କର ଆସ୍ଥାନ ଭାବେ ଚିହ୍ନିତ କରିଛି ଭିଜିଲାନ୍ସ। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଛି। ତାଙ୍କ ସମ୍ପତ୍ତି ତାଲିକାରେ ୩ଟି କୋଠା, ୪ ଫ୍ଲାଟ, ୭ଟି ପ୍ଲଟ ସହ ୧୪ ଲକ୍ଷ ୭୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ହେଲେ ଏସବୁ ସମ୍ପତ୍ତି ସେ ନିଜର ଦରମା ଅର୍ଥରେ କିଣିଛନ୍ତି ଏବଂ ସବୁର କାରବାର ବିବରଣୀ ରଖିଥିବା ରେବତୀ ଏକ ଟିଭି ଚ୍ୟାନେଲକୁ କହିଛନ୍ତି।
ରେବତୀ ରଞ୍ଜନଙ୍କ ଚାକିରି ପ୍ରାୟ ୨୨ ବର୍ଷ ହେବ। ଏହି ସମୟ ଭିତରେ ସେ ଯେଉଁ ସମ୍ପତ୍ତି ଅର୍ଜନ କରିଛନ୍ତି ତାହା ଆୟ ବହିର୍ଭୁତ ବୋଲି ଭିଜିଲାନ୍ସ ଅଭିଯୋଗ କରି ମାମଲା ରୁଜୁ କରିଛି। ଆଜି ସକାଳେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଆଦେଶ ଅନୁସାରେ ତାଙ୍କର ବିଭିନ୍ନ ଆସ୍ଥାନ ଉପରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ସମ୍ବଲପୁରରେ ଏକ ୩ ମହଲା ବିଶିଷ୍ଟ ସୌଖୀନ କୋଠା ସମେତ ୩ଟି କୋଠାକୁ ଠାବ କରିଥିଲେ। ଭୁବନେଶ୍ୱରରେ ଏକ ଫ୍ଲାଟ, ସମ୍ବଲପୁରରେ ୩ଟି ଫ୍ଲାଟର କାଗଜପତ୍ର, ୭ଟି ପ୍ଲଟ, ୧୪ ଲକ୍ଷ ୭୦ ହଜାର ନଗଦ ଟଙ୍କା, ୧୫୦ ଗ୍ରାମ ସୁନା ଓ ୩୦୦ ଗ୍ରାମ ରୂପା ଅଳଙ୍କାର, ୩୧ ଲକ୍ଷ ୩୧ ହଜାର ୮୪୯ ଟଙ୍କାର ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଜମା ଏବଂ ୯ ଲକ୍ଷ ଟଙ୍କାର ଅନ୍ୟ ଘର ଉପକରଣକୁ ଠାବ କରିଛି ଭିଜିଲାନ୍ସ। ଏହାସହ ଏହି ଛାନଭିନ ଶେଷ ହୋଇ ନାହିଁ ଏବଂ ଆଗକୁ ଆହୁରି ତାଲିକା ଲମ୍ବା ହେବ ବୋଲି ଭିଜିଲାନ୍ସ ଆଶା କରୁଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି।