Odisha News: (ନାରାୟଣ ବେହେରା)  ଓଏଏସ ପରୀକ୍ଷାରେ ସଫଳତା ପାଇଁ ସରୋଜ କୁମାର ବେହେରାଙ୍କୁ କାନ୍ଧରେ ବସାଇ ବୁଲାଇଲେ ଗ୍ରାମବାସୀ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡକୁଜଙ୍ଗ ପଞ୍ଚାୟତ ନୋଳିଆସାହି ଗ୍ରାମର ସରୋଜ କୁମାର ବେହେରା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରି ଅଂଚଳ ପାଇଁ ଗର୍ବ ଆଣି ପାରିଛନ୍ତି। ସରୋଜ କୁମାର ବ୍ରହ୍ମପୁର ର ଏକ ସରକାରୀ ସ୍କୁଲ ରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ପରେ ଗତ ମଙ୍ଗଳବାର ଦିନ ସେ ନିଜ ଗ୍ରାମ ନୋଳିଆ ସାହିରେ ଆସି ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ପଞ୍ଚାୟତ ବାସୀ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ସଫଳତା ପାଇଁ ତାଙ୍କୁ ଭୂରିଭୂରି ପ୍ରଶଂସା କରାଯାଇଛି। ପ୍ରଥମେ ସରୋଜ ଗଡକୁଜଙ୍ଗ ସୁଭଦ୍ରା କ୍ଷେତ୍ର ଶ୍ରୀ ଶ୍ରୀ କୁଞ୍ଜବିହାରୀ ଗଡକୁଜଙ୍ଗ ମନ୍ଦିର ଠାରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ତାଙ୍କୁ ପାଛୋଟି ନେଇଥିଲେ। କିଏକିଏ କାନ୍ଧରେ ବସି ଗ୍ରାମରେ ବୁଲାଉଥିଲା ତ ଆଉ କିଏ କିଏ ଗ୍ରାମର ବିଭିନ୍ନ ଦେବାଦେବୀ ମନ୍ଦିରକୁ ନେବା ସହିତ ଗ୍ରାମର ମୁରବୀ ମାଆ ଓ ଭଉଣୀମାନେ ତାଙ୍କୁ ବନ୍ଦାପନା କରିବା ସହିତ ଆଶୀର୍ବାଦ ଦେଉଥିଲେ।


COMMERCIAL BREAK
SCROLL TO CONTINUE READING

 ତେବେ ରାଜ୍ୟରେ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଏରସମା ବ୍ଲକ ନୋଳିଆ ସାହି ଗ୍ରାମର ଜଣେ ଚାଷୀ ପରିବାର ରୁ ଆସିଥିବା କ୍ଷେତ୍ରବାସୀ ବେହେରାଙ୍କ ପୁଅ ମନୋଜ କୃତକାର୍ଯ୍ୟ ହେବା ସହ ୧୬୦ ନମ୍ବର ସ୍ଥାନରେ ରହିଛନ୍ତି। ଏହି ସଫଳତା ହାସଲ କରିବା ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ରାଜ୍ୟର ଗରିବଗୁରୁବା ଙ୍କ ସେବା କରିବା ଲାଗି ସେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ହେବାର ଲକ୍ଷ୍ୟ ରଖି ଓଏଏସ ପରୀକ୍ଷା ଦେଇଥିଲେ। ତାଙ୍କର ଏହି ସଫଳତା ପଛରେ ଭଗବାନ ଙ୍କ ଆଶୀର୍ବାଦ ଏବଂ ନିଜର ପିତାମାତା, ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ନିଜ ପ୍ରତିକ୍ରିୟା ରେ ସରୋଜ ପ୍ରକାଶ କରିଛନ୍ତି। 


ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟିଥିବା ବେଳେ ନୋଳିଆ ସାହି ଗ୍ରାମ ଏକ ଅନୁନ୍ନତ ଗ୍ରାମ ହୋଇଥିବା ବେଳେ ଗ୍ରାମର କିପରି ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ରଖିବେ ବୋଲି କହିଛନ୍ତି ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ସରୋଜ କୁମାର ବେହେରା। ତେବେ ସରୋଜ ଙ୍କ ସଫଳତା ରେ ଗଡକୁଜଙ୍ଗ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ଗଡକୁଜଙ୍ଗ ପଞ୍ଚାୟତ ତଥା ଆଖପାଖ ଗ୍ରାମରେ ଏକମାତ୍ର ପୁଅ ସରୋଜ କୁମାର ବେହେରା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗର୍ବ ଆଣି ପାରିଛନ୍ତି।