Odisha Governor Raghubar Das:ଭୁବନେଶ୍ୱର: ସମସ୍ତଙ୍କୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ। ତାଙ୍କ ଫଟୋ ସହ ଏହି ବାର୍ତ୍ତା ପ୍ରକାଶ ହେଲା। କିନ୍ତୁ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରକାଶ ହେବା ବେଳକୁ ସେ ଆଉ ରାଜ୍ୟପାଳ ହୋଇ ନାହାନ୍ତି। ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦାୟିତ୍ୱ ଦେଇଛନ୍ତି। ପ୍ରଶ୍ନ ଉଠୁଛି ହଠାତ ଏ ପରିବର୍ତ୍ତନ କାହିଁକି? ଓଡ଼ିଶାରେ ସେ ଛନ୍ଦି ହୋଇଥିବା ବିବାଦ ନା ଝାଡ଼ଖଣ୍ଡରେ ଦଳ ଭୋଗୁଥିବା ରାଜନୀତିକ ଅଭିଶାପ? 


COMMERCIAL BREAK
SCROLL TO CONTINUE READING


ଯେତେବଳେ ଝାଡ଼ଖଣ୍ଡ ନିର୍ବାଚନ ଆସନ୍ନ ହେଲା, ରାଜ୍ୟପାଳ ରଘୁବର ତାଙ୍କ ରାଜ୍ୟକୁ ଫେରି ସକ୍ରିୟ ରାଜନୀତି ପାଇଁ ଆଗ୍ରହ ଦେଖାଇଥିବା ଚର୍ଚ୍ଚା ହେଉଥିଲା। ହେଲେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସେଠାରେ ଗଣିତ ବିଗାଡ଼ିବାର ଆଶଙ୍କା କରି ନେଲେ ନାହିଁ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିଜେପରି ଏହି ଗଣିତ ପସନ୍ଦ ଆସି ନଥିଲା। ଯୋଗକୁ ସେଠାରେ ଦଳ ଭଲ ପ୍ରଦର୍ଶନ ବି କରି ନାହିଁ। ଅର୍ଥାତ୍‍ ତାଙ୍କ ପାଇଁ ସକ୍ରିୟ ରାଜନୀତିର ବାଟ ସବୁଦିନ ପାଇଁ ବନ୍ଦ ହୋଇନାହିଁ। 


କିନ୍ତୁ ହଠାତ୍‍ କୌଣସି ସମ୍ଭାବନା ଗଣିତ କସା ଯାଉ ନଥିବା ବେଳେ ତାଙ୍କୁ କାହିଁକି ହଠାତ୍‍ ପଦବୀ ଛାଡ଼ିବାକୁ ପଡ଼ିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଏହି ଗଣିତରେ ଓଡ଼ିଶାର ବିଜେପି ନେତାମାନେ ତିଳେମାତ୍ର ସୁରାକ ପାଇପାରି ନାହାନ୍ତି। ସୋମବାର ସନ୍ଧ୍ୟାରେ ସନ୍ଦେଶ ଆଉ ମଙ୍ଗଳବାର ସନ୍ଧ୍ୟାରେ ପଦବୀରୁ ଇସ୍ତଫା ପରେ ଅନ୍ୟ ନିଯୁକ୍ତି ପାଇଁ ଆଦେଶ ରଘୁବରଙ୍କୁ କିଛି ଭିନ୍ନ ବାର୍ତ୍ତା ଦେବାକୁ ଇଙ୍ଗିତ କରିଛି। 


ଅପରପକ୍ଷେ ଓଡ଼ିଶା ରାଜନୀତିରେ ଆଦିବାସୀ ନେତୃତ୍ୱଙ୍କୁ ଅନେକ ପ୍ରୋତ୍ସାହନ ଦେଇଛି ବିଜେପି। ଏହି ରାଜ୍ୟର ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ କରାଇ ସମୁଦାୟ ଆଦିବାସୀ ସମ୍ପ୍ରଦାୟଙ୍କୁ ଗୌରାବାନ୍ୱିତ କରିଛି। ଏହାସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ମୋହନ ଚରଣ ମାଝିଙ୍କୁ ଅଧିଷ୍ଠିତ କରାଯାଇଛି। ଜଣେ ସରଳ, ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବେ ମୋହନ ଧୀରେ ଧୀରେ ଲୋକଙ୍କ ନିକଟତର ହେଉଛନ୍ତି।  ସେ ବି ଆଦିବାସୀ ସମ୍ପ୍ରଦାୟର ନେତା। ପୁଣି  ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କ ପଦବୀରେ ମଧ୍ୟ ଜଣେ ଆଦିବାସୀ ନେତାଙ୍କୁ ଅଧିଷ୍ଠିତ କରାଯାଇଥିଲା। ଅର୍ଥାତ୍‍ ରାଜ୍ୟର ଦୁଇଟି ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଦୁଇ ଜଣଯାକ ଆଦିବାସୀ ନେତାଙ୍କୁ ଅଧିଷ୍ଠିତ କରାଯାଇଥିଲା। ହୁଏ ତ ବର୍ଗର ଭୋଟ ଅନୁପାତରେ ଏହା ଅଧିକ ହୋଇଥାଇପାରେ। ପୁଣି ଅନ୍ୟ ସମ୍ପ୍ରଦାୟକୁ ଆଘାତ ନ ପହଞ୍ଚାଇବା ଲାଗି ଏହି ଉଦ୍ୟମ କରାଯାଇଥାଇପାରେ। 



ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜଣେ ଆଦିବାସୀ ନେତା ଓ ସେଠାରେ ତାଙ୍କର ଅନେକ ପ୍ରଭାବ ମଧ୍ୟ ରହିଛି। ଏବେ ତାଙ୍କ ବୋହୂ ନିର୍ବାଚନରେ ବିଜୟ ହୋଇଛନ୍ତି। ନବୀନ ସରକାରଙ୍କ ଶେଷ ପାଦରେ ସେ ଓଡ଼ିଶାରେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଦାୟିତ୍ୱ ଗ୍ରହଣ କରିବାର କିଛିଦିନ ତାଙ୍କୁ ଅନେକ ସକ୍ରିୟତାର ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସରକାରଙ୍କୁ ନିର୍ଦ୍ଦେଶ ଦେବା ଭଳି କାର୍ଯ୍ୟରେ ଦେଖିବାକୁ ମିଳିଥିଲା। ଲୋକଙ୍କ ସହ ପରିଚିତ ହେବା ସହ ଆଦୃତ ମଧ୍ୟ ହୋଇଥିଲେ। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କର ଲୋକପ୍ରିୟତା ବିବାଦ ଆଡ଼କୁ ମୁହାଁଇଥିଲା। 


ଏହି ବିବଦାମଧ୍ୟରେ ଦୁଇଟି ବିବାଦ ଉଲ୍ଲେଖନୀୟ।  ଗୋଟିଏ ହେଉଛି ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କୁ ପୁଅ ମାଡ଼ ମାରିବା ଘଟଣା ଏବଂ ଅନ୍ୟ ହେଉଛି ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ। ଏହି ଦୁଇଟି କାରଣ  ନବ ଗଠିତ ଓଡ଼ିଶା ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ପୁରୀ ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବିରୋଧୀ ଏହାକୁ ନେଇ ସବୁବେଳେ  ସରକାରଙ୍କୁ ସମାଲୋଚନା କରୁଛି। ସେହିପରି ଗତ ବିଧାନସଭା ଅଧିବେଶନରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଧେୟକ ପ୍ରସ୍ତୁତ ରହିଥିଲେ ମଧ୍ୟ ରାଜ୍ୟପାଳଙ୍କ ଆପତ୍ତି ଏହାକୁ ବିଧାନସଭାରେ ଆସିବାକୁ ବାରଣ କରିଥିଲା। ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲେ। 


ଏଣୁ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରୁ ମୁକ୍ତ କରିବା ତଥା ଓଡ଼ିଶାର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଣ ଆଦିବାସୀଙ୍କୁ ଅଧିଷ୍ଠିତ କରାଇ ଅନ୍ୟ ସମ୍ପ୍ରଦାୟକୁ ସକ୍ରିୟ କରିବା ଲାଗି ଏହି ଉଦ୍ୟମ ହୋଇଥାଇପାରେ।