Odisha News: ଭୁବନେଶ୍ୱର:  ସରକାର ଗଠନର ଷଷ୍ଠ ପାଳି ଆଡ଼କୁ ମୁହାଁଥିବା ବିଜୁ ଜନତା ଦଳ ପାଇଁ ଏହି ବିଧାନସଭା ଅଧିବେଶନ ବିଶେଷ ଗୁରୁତ୍ୱ ବହନ କରୁଛି। ବିଶେଷକରି ରାଜ୍ୟର ପଶ୍ଚିମାଞ୍ଚଳର ଭୋଟରଙ୍କ ଦାବିକୁ କିପରି ସରାକାର ତୁଲାଇବେ ତାହା ଏବେ ଆହ୍ୱାନ ହୋଇଛି। କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍‍ ପାଇଁ କେନ୍ଦ୍ରକୁ ଲେଖି ଯଦିଓ ଲୋକଙ୍କ ଭାବାବେଗକୁ ଆକର୍ଷିତ କରିଛନ୍ତି କିନ୍ତୁ ଗତ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ପୂରଣ ହୋଇପାରି ବ ତ? ଏ ପ୍ରଶ୍ନର ଉତ୍ତର ପାଇଁ ରାଜ୍ୟବାସୀ ଚଳିତ ବିଧାନସଭା ଅଧିବେଶନକୁ ଅପେକ୍ଷା କରିଛନ୍ତି ।  


COMMERCIAL BREAK
SCROLL TO CONTINUE READING

ଗତ ବର୍ଷ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମାଞ୍ଚଳରେ ବରଗଡ଼ ଜିଲ୍ଲାକୁ ଭାଗ କରି ପଦ୍ମପୁର ଏନ୍‍ଏସିକୁ ଏକ ଜିଲ୍ଲା ଭାବେ ମାନ୍ୟତା ଦେବା ଲାଗି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ଏକ ବର୍ଷ ଭିତରେ ଏ ପ୍ରତିଶୃତି ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରରୀ ସାଧାରଣ ସଭାରେ ମଧ୍ୟ ଲୋକଙ୍କୁ କହି ଭୋଟ ହାତେଇଥିଲେ। ଏ ଭିତରେ ଏକବର୍ଷ ବିତିବାକୁ ଆଉ କିଛି ଦିନ ବାକି ଅଛି। ହେଲେ ରାଜ୍ୟରେ ଜିଲ୍ଲା ପୁନର୍ଗଠନର କିଛି ସୋର ଶବ୍ଦ ଶୁଣିବାକୁ ମିଳୁ ନାହିଁ।  


ରାଜ୍ୟବାସୀଙ୍କୁ ସବୁବେଳେ ଅଚାନକ ଉପହାର ଦେଉଥିବା ସରକାର ଏ ପ୍ରସଙ୍ଗରେ ମଧ୍ୟ ହଠାତ କିଛି ଘୋଷଣା କରିପାରନ୍ତି। ହେଲେ ଜିଲ୍ଲା ପୁନର୍ଗଠନ ଏକ ନୀତିଗତ ପ୍ରକ୍ରିୟା ହୋଇଥିବାରୁ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତାବ ବିଧାନସଭାରେ ଆଣିବେ। ଯଦି ତାହା ହୁଏ ତେବେ ସରକାରଙ୍କ ପାଖରେ ଚଳିତ ଅଧିବେଶନ ହେଉଛି ପ୍ରତିଶୃତି ପୂରଣ କରିବାର ଶେଷ ଅଧିବେଶନ। ଯେହେତୁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଲାଗି ସରକାର ଡିସେମ୍ବର ୩୧ ତାରିଖକୁ ଶେଷ ନିର୍ଦ୍ଧାରିତ ତାରିଖ ବୋଲି ଘୋଷଣା କରିଛନ୍ତି ଏଣୁ ଡିସେମ୍ବର ୩୦ରେ ଶେଷ ହେଉଥିବା ଚଳିତ ଶୀତ ଅଧିବେଶନରେ ଜିଲ୍ଲା ପୁନର୍ଗଠନ ବିଲ୍‍ ଆସିବ।  


ଅବଶ୍ୟ ଜିଲ୍ଲା ପୁନର୍ଗଠନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ସ୍ଥିତି ସମୀକ୍ଷା କରାଯାଇଥାଏ। ଏହିକ୍ରମରେ ପଦ୍ମପୁର ପାଇଁ କୌଣସି ସ୍ୱତନ୍ତ୍ର କମିଟି ଗଠନ କରାଯାଇ ନାହିଁ। କିନ୍ତୁ ସରକାର ଚାହିଁଲେ ଓଡ଼ିଶା ରାଜସ୍ୱ ଏକକ ଆଇନ ୧୯୬୩ରେ ସଂଶୋଧନ ଆଣି ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ବୋଲି ଘୋଷଣା କରିପାରନ୍ତି।  


ହେଲେ ଏ ବ୍ୟବସ୍ଥା ସରକାରଙ୍କ ପାଇଁ ଏତେ ସହଜ ହେବ ନାହିଁ। କାରଣ ଗଲା ଏକ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଖଣ୍ଡ ବିଖଣ୍ଡିତ ରାଜସ୍ୱ ଏକକ ବା ନୂଆ ଜିଲ୍ଲା ଗଠନ ଲାଗି ଦାବି ଆସିଛି। ଗତ ବିଧାନସଭାରେ ରାଜସ୍ୱମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ, ସ୍ୱତନ୍ତ୍ର ଜିଲ୍ଲା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୩ଟି ଦାବି ଆସିଛି। ପୁଣି ସର୍ବାଧିକ ଦାବି ଆସିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ। ଏହି ଜିଲ୍ଲାକୁ ୫ ଭାଗରେ ଭଙ୍ଗାଯାଇ ୪ଟି ନୂଆ ଜିଲ୍ଲା ସୃଷ୍ଟି ପାଇଁ ଦାବି ହୋଇଛି। ସେଗୁଡ଼ିକ ହେଲା ଘୁମୁସର, ଋଷିକୂଲ୍ୟା, ଭଞ୍ଜନଗର ଓ ବ୍ରହ୍ମପୁର। ସେହିପରି ମୟୂରଭଞ୍ଜ ଜିଲ୍ଲାକୁ ୪ ଭାଗରେ ଭାଙ୍ଗିବାକୁ ପ୍ରସ୍ତାବ ଆସିଛି। ଏହାଦ୍ୱାରା ପଶ୍ଚିମ ମୟୂରଭଞ୍ଜଳ ରାଇରଙ୍ଗପୁର ଓ ଖିଚିଂକୁ ନୂଆ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି ହୋଇଛି। ସୁନ୍ଦରଗଡ଼ରୁ ରାଉରକେଲା, ବଣାଇକୁ ନୂଆ ଜିଲ୍ଲା ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଆସିଥିବାବେଳେ ଚଣ୍ଡିଗଡ଼, ଆଠଗଡ଼, ନିଳଗିରି, ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଗୁଣୁପୁର, ଆନନ୍ଦପୁର ପ୍ରଭୃତି ଅଞ୍ଚଳକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି ହୋଇଛି।  


ଏହି ଦାବିକୁ ଆଖିରେ ରଖି କେଉଁ ଅଞ୍ଚଳକୁ ନଊଆ ଜିଲ୍ଲା ଘୋଷଣା କରାଯିବାର ଆବଶ୍ୟକତା ରହିଛି ତାହାକୁ ବିଚାର କରାଯିବା ପାଇଁ ଏକ କମିଟି ଗଠନର ଆବଶ୍ୟକତା ରହିଛି। କମିଟି ବାସ୍ତବ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସାଧାରଣତଃ ପ୍ରସ୍ତାବ ବା ବିଲ୍‍ ପ୍ରସ୍ତୁତ ହୋଇଥାଏ। ହେଲେ ସରକାର ଏ ଦିଗରେ ଏଯାଏ ଧ୍ୟାନ ଦେଇ ନାହାନ୍ତି। ଏଣୁ ପ୍ରତିଶୃତି କେମିତି ପୂରଣ ହେବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟିହେବା ସ୍ୱଭାବିକ।